Odisha news

ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କଲା ଇସ୍ରାଏଲ୍ : ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା

0

ଗାଜା ଉପତ୍ୟକାରୁ ଇସ୍ରାଏଲ ଉପରକୁ ଶହ ଶହ ରକେଟ୍ ମାଡ଼ ହେବା ପରେ ଇସ୍ରାଏଲ ସେନା ଯୁଦ୍ଧ ପରିସ୍ଥିତି ଘୋଷଣା କରିଛି। ଏହି ରକେଟ୍ ଆକ୍ରମଣ ଯୋଗୁଁ ଇସ୍ରାଏଲର ଅନେକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଏବଂ ଓ୍ବାର୍ଣ୍ଣିଂ ସାଇରନ୍ ବାଜିବାରେ ଲାଗିଛି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।  ଏହି ଆକ୍ରମଣରେ ପ୍ରାୟ ୨୨ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ହାମାସ ପକ୍ଷରୁ କେତେକ ଇସ୍ରାଏଲ ସୈନିକଙ୍କୁ ଅପହରଣ କରାଯାଇଥିବା ଦାବି କରାଯାଇଛି ।

ଏହି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି । ଏହି ଯୁଦ୍ଧ ହାମାସ ଆରମ୍ଭ କରିଥିଲା, କିନ୍ତୁ ଇସ୍ରାଏଲ ଶେଷ କରିବ ବୋଲି ଇସ୍ରାଏଲ  କହିଛି । ଏହା ସହିତ ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ପକ୍ଷରୁ ଅପରେସନ ଆଇରନ ସୋର୍ଡ୍ସ ଆରମ୍ଭ କରାଯାଇଛି ।

ଏହି ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବେ ହାମାସକୁ ଧ୍ୱଂସ କରିବାକୁ ଚେତାବନୀ ଦେଇଛନ୍ତି । ନେତାନ୍ୟାହୁ ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ହାମାସକୁ କଡ଼ା ଚେତାବନୀ ଦେଇଛନ୍ତି। ଆମେ ଯୁଦ୍ଧରେ ଅଛୁ ଏବଂ ଆମେ ଜିତିବୁ। ଆମ ଶତ୍ରୁଙ୍କୁ ଏମିତି ମୂଲ୍ୟ ଦେବାକୁ ପଡ଼ିବ ଯାହା ସେମାନେ କେବେ ଭାବି ନଥିବେ, ବୋଲି ସେ କହିଛନ୍ତି ।

ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ମଧ୍ୟ ସାରା ଦେଶର ନାଗରିକମାନଙ୍କୁ ସତର୍କ କରାଇଛନ୍ତି। ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି। ଏହି ଗମ୍ଭୀର ଭୁଲର ପରିଣାମ ହମାସ ନିଶ୍ଚିତ ଭାବେ ଭୋଗିବ ବୋଲି ସେ କହିଛନ୍ତି ।

Nalco
Leave A Reply