ହିମାଂଶୁ ଶେଖର ଆଚାର୍ଯ୍ୟ : ୟୁନିସେଫ ଦ୍ୱାରା ପ୍ରସ୍ତୁତ ଏକ ତଥ୍ୟ ଅନୁଯାୟୀ କରୋନା ସଙ୍କ୍ରମଣ ଜନିତ ଆର୍ଥିକ ଦୁଃସ୍ଥିତି କାରଣରୁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ର ଗୁଡିକରେ ଏହି ବର୍ଷ ଶେଷ ସୁଦ୍ଧା ଯେତିକି ନୂଆ ଗରିବ ପରିବାର ସୃଷ୍ଟିହେବେ ସେଥିରେ ୮୬ନିୟୁତ ଶିଶୁ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବେ । ଏମାନଙ୍କ ସଂଖ୍ୟା ମିଶିଲେ ଏବର୍ଷ ଶେଷ ବେଳକୁ ପୃଥିବୀରେ ଦରିଦ୍ର ପରିବାରର ଶିଶୁ ମାନଙ୍କ ସଂଖ୍ୟା ୯୭୨ନିୟୁତ ହୋଇଯିବ ।କରୋନା ସଙ୍କ୍ରମଣକୁ ପ୍ରତିହତ କରିବା ପାଇଁ ତାଲା ବନ୍ଦ ଭଳି ପଦକ୍ଷେପ ପୃଥିବୀର ସବୁ ରାଷ୍ଟ୍ରରେ ନିଆଯାଇଥିବା ହେତୁ ଆର୍ଥିକ ଦୁଃସ୍ଥିତି ଉଗ୍ରରୂପ ଧାରଣ କରିଛି ।ତେଣୁ ଏହି ପିଢିର ଶିଶୁ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ନୁହେଁ ବୋଲି ୟୁନିସେଫ କହିଛି । ବିଶେଷ କରି ଭାରତ ପରି ଜନବହୁଳ ଓ ବିକାଶମୁଖୀ ରାଷ୍ଟ୍ରରେ ଶିଶୁ ମାନଙ୍କ ଭବିଷ୍ୟତ ଉଦ୍ବେଗଜନକ ଅଟେ । ଏଥିପାଇଁ ସବୁ ସ୍ତରରେ ମିଳିତ ପ୍ରୟାସ ଲୋଡା ।
ଆମକୁ ମନେ ରଖିବାକୁ ହେବ ଯେ, ଶିଶୁ ମାନେହିଁ ଦେଶର ଭବିଷ୍ୟତ ।ପ୍ରଗତିର ମୂଳଦୁଆ । ଯେଉଁ ଦେଶର ମୂଳଦୁଆ ଯେତେ ମଜଭୁତ୍ ସେ ଦେଶ ସେତେ ଶକ୍ତ ଓ ଉନ୍ନତ । ତେଣୁ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷା ଦେବା ପ୍ରତ୍ୟେକ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ ।ଏହି କଥାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ସାରା ବିଶ୍ୱରେ ଆନ୍ତର୍ଜାତିକ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଇଥାଏ । ସେହିପରି ବିଭିନ୍ନ ଦେଶରେ ଭିନ୍ନଭିନ୍ନ ସମୟରେ ଶିଶୁ ଦିବସ ମଧ୍ୟ ପାଳନ କରାଯାଏ । ଉଦେ୍ଦଶ୍ୟ ହେଲା ଶିଶୁକୁ ବଞ୍ଚିବାର ଅଧିକାର, ନିରାପତ୍ତା ଅଧିକାର, ଶିକ୍ଷା ଅଧିକାର ଓ ନିଜର ମତାମତ ପ୍ରକାଶ କରିବାର ଅଧିକାର ଦେବା ସହ ତାର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଇ ତାକୁ ଏକ ଉତ୍ତମ ନାଗରିକ ଓ ସୁଯୋଗ୍ୟ ଦାୟାଦ ରୂପେ ଗଢିବା । ଏହିସବୁ ପ୍ରାଥମିକ ମୌଳିକ ଅଧିକାର ଗୁଡିକ ମଧ୍ୟରୁ ଶିକ୍ଷା ଅଧିକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହି ଅଧିକାରଟି ଶିଶୁମାନଙ୍କୁ ଶ୍ରମ କ୍ଷେତ୍ରରୁ ବାହାରକୁ ଆଣି ବିଦ୍ୟାଳୟ ପରିସରଭୁ୍କ୍ତ କରାଇପାରିବ ଯଦ୍ୱାରା ନିଜର, ପରିବାରର, ସମାଜ ତଥା ଦେଶର ହିତ ସାଧନ କରିପାରିବ ।
ଏକଥା ସତ ଯେ, ଆନ୍ତର୍ଜାତୀୟସ୍ତରଠାରୁ ଆରମ୍ଭକରି ଜାତୀୟସ୍ତର ଓ ବିଭିନ୍ନ ରାଜ୍ୟରେ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଅନେକ ଆଇନ ପ୍ରଣୟନ କରାଯାଇଛି, ବିଭିନ୍ନ ଯୋଜନା ରୂପାୟନ ହୋଇଛି ।
ଏସବୁ ସତ୍ତ୍ୱେ ଶିଶୁମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିଯୁକ୍ତ ଆହାର ଓ ଶିକ୍ଷା ଆଦି ପ୍ରସଙ୍ଗ ଅବହେଳିତ ହୋଇଆସିଛି । ଶିଶୁଟି ଯଦି ଦୁଇଓଳି ଦୁଇମୁଠା ପେଟପୂରା ଖାଦ୍ୟ ଖାଇବାକୁ ପାଇବ ନାହିଁ ଓ ଦି’ ଅକ୍ଷର ପାଠ ପଢିବାର ସୁଯୋଗ ପାଇବ ନାହିଁ, ତାହାହେଲେ ସେ ଶିଶୁ ଶ୍ରମିକ ହେବାକୁ ବାଧ୍ୟ ହେବ । କିନ୍ତୁ କ୍ଷୋଭର ବିଷୟ ଏହି ଯେ, ଏତେ ସବୁ ଆଇନ କାନୁନ, ବିଧିବ୍ୟବସ୍ଥା ଥାଇ ମଧ୍ୟ ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଫଳରେ ପେଟପାଟଣା ପାଇଁ ବହୁସଂଖ୍ୟାରେ ଶିଶୁ ବିଭିନ୍ନ କ୍ଷେତ୍ରରେ ଦୁଃଖ, ଦୁର୍ଦ୍ଦଶା, ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ପେଟ ଚାଖଣ୍ଡ ପାଇଁ କିଏ ହୋଟେଲ, ଗ୍ୟାରେଜ୍ ତ କିଏ ପୁଣି ବିଡି ବଳିବା, ଖଣିରେ ଇଟା ଭାଙ୍ଗିବା ଭଳି ବିପଦସଂକୁଳ କାମକରୁଛନ୍ତି । ଆଉ ପୁଣି କିଏ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ଚାକର ଭାବେ କାମ କରୁଛନ୍ତି । ଏପରିକି କେତେକ ରାସ୍ତାରୁ ବା ଅଳିଆଗଦାରୁ ଭଙ୍ଗା ଟିଣ, ଲୁହା, ପ୍ଲାଷ୍ଟିକ୍ ଜରି ଇତ୍ୟାଦି ଗୋଟାଇ ଗୁଜୁରାଣ ମେଣ୍ଟାଇଥାନ୍ତି । ଏକ ହିସାବ ଅନୁଯାୟୀ ସମଗ୍ର ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୧୫୨ନିୟୁତ ଥିବାବେଳେ ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୧,୦୧,୨୮,୬୬୬ ଏବଂ ଆମ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୩,୩୪,୪୧୬ ରହିଛି ।
ଶିକ୍ଷାକୁ ସାର୍ବଜନୀନ, ମାଗଣ ଓ ବାଧ୍ୟତାମୂଳକ କରିବାପାଇଁ କେନ୍ଦ୍ର ସରକାର ୨୦୦୯ମସିହାରୁ ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଆମ ରାଜ୍ୟରେ ଏହା ୨୦୧୦ମସିହା ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହେଉଛି । ଏହି ଆଇନ କାର୍ଯ୍ୟ କରିବାର ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ଆମର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ । ଯେଉଁ ଶିଶୁମାନେ ମଧ୍ୟାହ୍ନଭୋଜନ ଆକର୍ଷଣରେ ବିଦ୍ୟାଳୟକୁ ଆସନ୍ତି, ପାରିବାରିକ ଦାରିଦ୍ର୍ୟ କାରଣରୁ ସେହି ବିଦ୍ୟାଳୟ ଶିକ୍ଷା ପରେ ପାଠପଢା ଛାଡି ଦେଇଥାନ୍ତି । ଆମ ରାଜ୍ୟରେ ସର୍ବଶିକ୍ଷା ଯୋଜନା ୨୦୦୧-୨୦୦୨ ମସିହାରୁ ଆରମ୍ଭ ହେଲାଣି । ଏଥିପାଇଁ ସ୍କୁଲରେ ମାଗଣା ପୁସ୍ତକ, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ତଥାପି ଆମ ରାଜ୍ୟରେ ପ୍ରାୟ ୩ ଲକ୍ଷରୁ ଉଦ୍ଧ୍ୱର୍ ପିଲା ବିଦ୍ୟାଳୟ ବାହାରେ ରହିଯାଉଛନ୍ତି । ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢିଥିଲେ ମଧ୍ୟ ଅଧାରୁ ଅନେକ ଶିଶୁ ପାଠ ଛାଡିବା ଦେଖାଯାଉଛି । ସବୁ ଉଦ୍ୟମ ସତ୍ତ୍ୱେ ଏବଂ ସ୍ୱାଧୀନତାର ୭୩ ବର୍ଷ ପରେ ବି ବିଶ୍ୱର ଏକ ତୃତୀୟାଂଶ ନିରକ୍ଷର ଲୋକ ଆମ ଦେଶରେ ଅଛନ୍ତି । ଏହାର କାରଣ ଓ ନିରାକରଣ ସମ୍ପର୍କରେ ତର୍ଜମା କରିବାର ଅଛି ।
ଶିଶୁ ଶ୍ରମିକ ବ୍ୟବସ୍ଥାର ଜନନୀ ହେଉଛି ଦାରିଦ୍ର୍ୟ । ଅର୍ଥାତ୍ ଦାରିଦ୍ର୍ୟ ଦୂର ନହୋଇପାରିଲେ ଯେତେ ଯୋଜନା କଲେବି ତାହା ଫଳପ୍ରସୂ ହୋଇପାରିବ ନାହିଁ । ଏକ ଆକଳନ ଅନୁଯାୟୀ ଦେଶର ୭୭ ଭାଗ ଲୋକ ଦୈନିକ ୨୦ ଟଙ୍କା ବି ଆୟ କରିପାରୁନାହାନ୍ତି । ମିଳିତ ଜାତିସଂଘର ସହସ୍ରାବ୍ଦୀ ଲକ୍ଷ୍ୟରେ କୁହାଯାଇଥିଲା ୨୦୧୫ ସୁଦ୍ଧା ଦାରିଦ୍ର୍ୟ, କ୍ଷୁଧା ଓ ରୋଗ ବିରୋଧରେ କାର୍ଯ୍ୟକାରୀ ବ୍ୟବସ୍ଥା ଗ୍ରହଣ କରାଯିବ । ମାତ୍ର ଅଦ୍ୟାବଧି ଏହି ଲକ୍ଷ୍ୟ ପୂରଣ ହୋଇପାରିନାହିଁ । ଦାରିଦ୍ର୍ୟ ହେତୁ ଦେଶର ସାକ୍ଷରତା ହାର ୭୫ ପ୍ରତିଶତ ତଳେ ରହିଛି । ୧୦ ବର୍ଷ ବୟସର ଶିଶୁଙ୍କ ମଧ୍ୟରେ ଅଦେ୍ର୍ଧକ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଠପଢାର ସୁଯୋଗ ପାଆନ୍ତି ନାହିଁ । ୧୦ ଭାଗରୁ ଏକ ଭାଗ ଶିଶୁ କଲେଜ ପର୍ଯ୍ୟନ୍ତ ପହଞ୍ଚି ଥାଆନ୍ତି । ଏଦିଗରେ କିପରି ସୁଧାର ଆସିବ ସେ ଦିଗରେ ଚିନ୍ତା କରିବାକୁ ପଡିବ ଓ ସମସ୍ତ ଶିଶୁଙ୍କୁ ଶିକ୍ଷା ସୁଯୋଗ ଦେବାକୁ ହେବ । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ମୁଖ୍ୟ ଆୟୁଧ ଓ ପ୍ରଗତିର ଚାବିକାଠି । ଏଣୁ, ଶିକ୍ଷା ଅଧିକାର ଆଇନ ବଳରେ ଶିଶୁ ଶ୍ରମିକମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣିବା ପାଇଁ ନିର୍ଦ୍ଦିଷ୍ଟ ବ୍ୟବାସ୍ଥା କରାଯିବା ଜରୁରୀ ।
ଏସବୁ କାରଣରୁ ଶିଶୁ ସମ୍ପଦ ବିଡମ୍ବିତ ଅବସ୍ଥାରେ ରହିଛି । ଯେଉଁମାନେ ଶିଶୁ ଶ୍ରମିକ ହେଉଛନ୍ତି ସେହି କୋମଳମତି ଶିଶୁ ନିର୍ଯ୍ୟାତନା ତଥା ଶୋଷଣ-ପୀଡନର ଶିକାର ହେଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଶିଶୁବିକ୍ରି ଓ ଶିଶୁ ଚାଲାଣ ଭଳି ସ୍ପର୍ଶକାତର ପ୍ରସଙ୍ଗ ତଥା କଳଙ୍କିତ ଘଟଣା ଲୋକଲୋଚନକୁ ଆସୁଛି । ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଶିଶୁ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯେଉଁସବୁ କାର୍ଯ୍ୟରେ ଶିଶୁ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାପାଇଁ ଆଇନଗତ ଭାବେ ନିଷିଦ୍ଧ କରାଯାଇଛି ସେସବୁ କ୍ଷେତ୍ରରେ ଆଇନକୁ ଉଲଙ୍ଘନ କରି ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି । ଏଥିରୁ ଜଣାପଡୁଛି ଶିଶୁ ଶ୍ରମିକ ନିରୋଧ ଆଇନ କେବଳ ନାମକୁ ମାତ୍ର । ସମ୍ପ୍ରତି ଚିନ୍ତା କରିବାର ବେଳ ଆସିଛି ।ବିଶେଷକରି ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଶିଶୁ ଶ୍ରମିକଙ୍କ ସୁରକ୍ଷା ଦାୟିତ୍ୱ ଅଗ୍ରାଧିକାର ଭିତ୍ତିରେ ନେବାର ଯଥେଷ୍ଟ ଆବଶ୍ୟକତା ରହିଛି ।