ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଆନୁଷ୍ଠାନିକ ଭାବେ ଆଇପିଏଲ୍ ୨୦୨୧ ର ତାରିଖ ଘୋଷଣା କରିଛି। ଆଇପିଏଲର ୧୪ତମ ସିଜନ ଏପ୍ରିଲ ୯ ରେ ଆରମ୍ଭ ହେବାକୁ ଥିବାବେଳେ ଏହାର ଫାଇନାଲ ମ୍ୟାଚ ମେ ୩୦ ରେ ଖେଳାଯିବ | ଆଇପିଏଲର ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୯ ରେ ଚେନ୍ନାଇରେ ଖେଳାଯିବ ଏବଂ ଫାଇନାଲ୍ ମ୍ୟାଚ୍ ମେ ୩୦ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ଏଥର ମୋଟ ୬ଟି ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ। ଏଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ରହିଛି।
୯ ଏପ୍ରିଲରେ ଚେନ୍ନାଇରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପରକୁ ଭେଟିବେ | ଆଇପିଏଲର ୧୪ତମ ସିଜନର ସମସ୍ତ ପ୍ଲେ ଅଫ୍ ମ୍ୟାଚ୍ ଏବଂ ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ | ଚଳିତ ସିଜିନରେ ୧୧ ଦିନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ | ଦୁଇଟି ମ୍ୟାଚ୍ ହେବା ଦିନ ପ୍ରଥମ ମ୍ୟାଚ ଅପରାହ୍ନ ୩:୩୦ ରେ ଆରମ୍ଭ ହେବାକୁ ଥିବାବେଳେ ଦ୍ଵିତୀୟ ମ୍ୟାଚ୍ ୭:୩୦ ରେ ଆରମ୍ଭ ହେବ |

ସୂଚନା ଥାଉ କି, ଗତ ବର୍ଷ କୋଭିଡ-୧୯ କାରଣରୁ ୟୁଏଇରେ ଏହା ଅନୁଷ୍ଠିତ ହୋଇଥିଲା | କିନ୍ତୁ ଏଥର ବିସିସିଆଇ ନିଶ୍ଚିତ ଯେ ପ୍ରାରମ୍ଭରେ କିଛି ମ୍ୟାଚ୍ ପାଇଁ ଦର୍ଶକଙ୍କୁ ପ୍ରବେଶକୁ ବାରଣ କରାଯାଇଥିବାବେଳେ ପରେ କିଛି ମ୍ୟାଚରେ ଦର୍ଶକମାନେ ପ୍ରବେଶ କରିବାକୁ ଅନୁମତି ପାଇପାରିବେ |