ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୩ର ଏକ ମ୍ୟାଚରେ ଦିଲ୍ଲୀକୁ ୨୩ ରନରେ ହରାଇଦେଇଛି ବାଙ୍ଗାଲୋର୍ ।ଏହି ମ୍ୟାଚରେ ଦିଲ୍ଲୀ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହି ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୧ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ମନୀଷ ପାଣ୍ଡେ ୫୦ ରନ କରିଥିବାବେଳେ ଆନରିଜ୍ ନୋର୍ଜି ୨୩ରନ ଓ ଅକ୍ଷର ପଟେଲ ୨୧ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳର ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ସେ ମାତ୍ର ୧୩ରନ କରି ଆଉଟ ହୋଇଥିଲେ । ପୂର୍ବ କିଛି ମ୍ୟାଚରେ ସେ ଅର୍ଦ୍ଧଶତକ ଲଗାଇଥିଲେ ବି ନିଜ ଦଳକୁ ଜିତାଇପାରିନଥିଲେ ।
ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୪ ରନ କରିଥିଲା । ଦଳ ପକ୍ଷରୁ ବିରାଟ କୋହଲି ୫୦ ରନ କରିଥିବାବେଳେ ଅନ୍ୟମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମହୀପାଲ ଲୋମରୋର ୨୬ରନ କରିଥିବାବେଳେ ଗ୍ଲେନ ମାକ୍ସଓ୍ବେଲ ୨୪ରନ କରିଥିଲେ । ସେହିପରି ଫାଫ୍ ଡୁପ୍ଲେସିସ ୨୨ରନ, ଶାହବାଜ ଅଦମ୍ମଦ ୨୦ ରନ କରିଥିଲେ । ତେବେ ଦିନେଶ କାର୍ତ୍ତିକ ପୁଣି ବିଫଳ ହୋଇଥିଲେ । ସେ ଖାତା ଖୋଲିପାରିନଥିଲେ । ତାଙ୍କର ଖରାପ ଫର୍ମ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।