ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ପରିସରରେ ଘୋର ରକ୍ତ ଅଭାବ ଦେଖାଦେଇଥିବାବେଳେ ଏହାର ମୁକାବିଲା ପାଇଁ କିଛି ଯୁବଗୋଷ୍ଟୀ ସ୍ୱେଚ୍ଛାକୃତଭାବେ ଆଗେଇ ଆସି ରବିବାର ମୋଟ ୪୨ ୟୁନିଟ୍ ରକ୍ତସଂଗ୍ରହ କରାଯାଇଛି । ଉତ୍ସାହୀ ଯୁବକମାନଙ୍କ ଏଭଳି ମହାନକାର୍ଯ୍ୟ ପାଇଁ ମେଡିକାଲ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି । ବାସ୍ତବରେ ଏହିମାନେ ହିଁ ବିପଦର ବନ୍ଧୁବୋଲି ମେଡିକାଲ ମେନେଜର ବିଚିତ୍ର କୁମାର ପାଣିଗ୍ରାହୀ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି । ମିଳିଥିବା ସୁଚନା ପ୍ରକାରେ ଚଳିତମାସ ୧୫ ତାରିଖରେ ନିକଟସ୍ଥ ବରଗାଁର ରାଜେଶ ନାୟକ ନାମକ ଜଣେ ଯୁବକ କୌଣସି କାମରେ ଭଞ୍ଜନଗର ମେଡିକାଲକୁ ଆସିଥିବାବେଳେ ରକ୍ତଭଣ୍ଡାରରେ ମାତ୍ର ୯ ୟୁନିଟ୍ ରକ୍ତ ଥିବା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ । ପରେ ସେ ଏମ୍ପର୍କରେ ସୋସିଏଲ ମିଡିଆ ମାଧ୍ୟମରେ ତାଙ୍କର କିଛି ଉତ୍ସାହୀ ଯୁବବନ୍ଧୁଙ୍କୁ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ରବିବାର ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ସେ ନିବେଦନ ମଧ୍ୟ କରିଥିଲେ । ଆଉ ସୋସିଏଲ ମିଡିଆରେ ଏଭଳି ଅପିଲ ପରେ କରୋନା ମୁକାବିଲା ଦୃଷ୍ଟିରୁ ସାମାଜିକ ଦୂରତ୍ୱ ରକ୍ଷା କରି ମୋଟ ୪୨ଜଣ ଯୁବକ ଏଠାରେ ରକ୍ତଦାନ କରିଛନ୍ତି । ଆଉ ଗୋଟିଏ ନିବେଦନରେ ଏଭଳି ମହତ୍ କାର୍ଯ୍ୟରେ ସାମିଲ ହୋଇଥିବା ବନ୍ଧୁମାନଙ୍କୁ ସେ ବିଶେଷ ଧନ୍ୟବାଦ ଜଣାଇଥିଲେ । ଏଥିରେ ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକର ଯୁବକମାନେ ସାମିଲ ହୋଇଥିଲେ ।