Odisha news

ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’ ଭାରତୀୟ ନୌସେନାରେ ସାମିଲ ହେଲା

0

ବିଶାଖାପଟନମ୍: ଗୁରୁବାର ଦିନ ବିଶାଖାପଟନମ୍‌ସ୍ଥିତ ନେଭାଲ୍‌ ଡକ୍‌ୟାର୍ଡରେ ଭାରତର ସେନାମୁଖ୍ୟ ଜେନେରାଲ୍‌ ମନୋଜ ମୁକୁନ୍ଦ ନରୱଣେଙ୍କ ଦ୍ବାରା ବୁଡ଼ାଜାହାଜ ଚିହ୍ନଟକାରୀ କ୍ଷୁଦ୍ର ଯୁଦ୍ଧପୋତ ଆଇଏନ୍‌ଏସ୍‌ ‘କବରତ୍ତୀ’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି।

ବୁଡ଼ାଜାହାଜ ଠାବ କରି ସେମାନଙ୍କୁ ମୁକାବିଲା କରିବା ନିମନ୍ତେ ‘କବରତ୍ତୀ’ରେ ସେନ୍‌ସର୍‌ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ଏହି କ୍ଷୁଦ୍ର ଯୁଦ୍ଧପୋତର ଆତ୍ମରକ୍ଷା ସାମର୍ଥ୍ୟ ମଧ୍ୟ ରହିଛି। ଦୀର୍ଘକାଳୀନ ମୁତୟନ ନିମନ୍ତେ ମଧ୍ୟ ଏହା ଉପାଦେୟ।

ଭାରତୀୟ ନୌସେନାର ନିଜସ୍ବ ସଂସ୍ଥା ‘ଡାଇରେ‌କ୍ଟୋରେଟ୍‌ ଅଫ୍ ନେଭାଲ୍‌ ଡିଜାଇନ୍’ ଦ୍ବାରା ‘କବରତ୍ତୀ’ର ନକ୍ସା କରାଯାଇଛି ଏବଂ କୋଲ୍‌କାତାର ‘ଗାର୍ଡେନ୍‌ ରିଚ୍ ସିପ୍‌ବିଲ୍‌ଡର୍ସ ଆଣ୍ଡ୍‌ ଇଞ୍ଜିନିୟର୍ସ ଏହାକୁ ନିର୍ମାଣ କରିଛନ୍ତି ବୋଲି ଭାରତୀୟ ନୌସେନା କହିଛି।

ଏହି ଜାହାଜର ୯୦ ପ୍ରତିଶତ ସାମଗ୍ରୀ ହେଉଛି ସ୍ବଦେଶୀ ବୋଲି ଜଣାପଡ଼ିଛି। ନୂଆ ‘କବରତ୍ତୀ’ ବିଗତ ଦିନର ‘ଆର୍ନାଲା କ୍ଲାସ୍ ମିସାଇଲ୍‌ କୋଭେଟ୍‌’ ‘ଆଇଏନ୍‌ଏସ୍‌ କବରତ୍ତୀ’ର ନାଁ ଧାରଣ କରିଛି। ୧୯୭୧ ମସିହା ବାଂଲାଦେଶ ମୁକ୍ତି ସଂଗ୍ରାମରେ ପୁରୁଣା ‘କବରତ୍ତୀ’ ବିଶେଷ ସହାୟକ ହୋଇଥିଲା।

IEC 2 years
Leave A Reply