Odisha news

ପାକିସ୍ତାନର ସୁପ୍ରିମ୍‌କୋର୍ଟ ଇମ୍ରାନ୍‌ ଖାନ୍‌ଙ୍କ ଗିରଫଦାରୀକୁ ‘ବେଆଇନ’ ଘୋଷଣା : ଅବିଳମ୍ବେ ଜେଲରୁ ମୁକ୍ତ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ

0

ଇସଲାମାବାଦ୍‌: ପାକିସ୍ତାନର ସୁପ୍ରିମ୍‌କୋର୍ଟ ଗୁରୁବାର ଇମ୍ରାନ୍‌ ଖାନ୍‌ ଙ୍କ ଗିରଫଦାରୀକୁ ‘ବେଆଇନ’ ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ଇମ୍ରାନ୍‌ଙ୍କୁ ଅବିଳମ୍ବେ ମୁକ୍ତ କରାଯାଇଛି।

ପାକିସ୍ତାନ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉମର ଆତା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲ୍ଲୀ ମଜହର ଏବଂ ଜଷ୍ଟିସ ଅତହର ମିନାଲ୍ଲାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ୭୦ ବର୍ଷୀୟ ଖାନଙ୍କୁ ଅବିଳମ୍ବେ ଜେଲରୁ ମୁକ୍ତ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଲ୍‌ କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ୍‌ଙ୍କ ଗିରଫଦାରୀ ବିରୋଧରେ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଇସଲାମାବାଦ ହାଇକୋର୍ଟ ପରିସରରୁ ଇମ୍ରାନଖାନଙ୍କୁ ଯେଉଁଭଳି ଭାବେ ହେପାଜତକୁ ନିଆଯାଇଛି ତାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଖଣ୍ଡପୀଠ ନ୍ୟାସନାଲ ଆକାଉଣ୍ଟଣ୍ଟେବିଲିଟି ବ୍ୟୁରୋ (ଏନଏବି)କୁ ନିର୍ଦ୍ଦେଶ ଦେଇଥିଲେ ଯେ କୋର୍ଟ ପୁନର୍ବାର ଶୁଣାଣି ବେଳେ ସ୍ଥାନୀୟ ସମୟ ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଇମ୍ରାନ୍‌ ଖାନଙ୍କୁ କୋର୍ଟରେ ହାଜର କରନ୍ତୁ।
ଏହି ନିର୍ଦ୍ଦେଶ ପରେ କଡ଼ା ସୁରକ୍ଷା ମଧ୍ୟରେ ଖାନଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା। ସେ କୋର୍ଟ ରୁମ୍‌ ଭିତରକୁ ପ୍ରବେଶ କରିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ଦ କୋର୍ଟରୁମ୍‌ ଭିତରେ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ବାନ୍ଦିଆଲ ଖାନ୍‌ କହିଛନ୍ତି, ଇମ୍ରାନ୍‌ ଖାନ୍‌ଙ୍କ ଗିରଫଦାରୀ ବେଆଇନ ବୋଲି ଆମେ ବିଶ୍ୱାସ କରୁଛୁ। ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରିବା ଉଚିତ ବୋଲି ସେ କହିଛନ୍ତି। ତେବେ, ହାଇକୋର୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବାକୁ ପଡ଼ିବ ବୋଲି ବିଚାରପତି କହିଛନ୍ତି।

Govt
Leave A Reply