ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର (ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ) : କରୋନା ସଂକ୍ରମଣ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତା ଓ ଉଦ୍ବେଗର କାରଣ ହୋଇଛି । କ୍ରମାନ୍ୱୟରେ ନମୁନା ପରୀକ୍ଷା ବଢ଼ୁଥିବାବେଳେ ସେହି ପରିମାଣର ସଂକ୍ରମିତ ମଧ୍ୟ ବଢ଼ୁଛନ୍ତି । ଜୁନ, ଜୁଲାଇ ପରେ ଅଗଷ୍ଟ ମାସରେ ଭାରତ ସଂକ୍ରମଣର ଯେଉଁ ଶୀର୍ଷ ସ୍ଥାନକୁ ଯିବବୋଲି ଚିକିତ୍ସା ବିଜ୍ଞାନୀମାନେ ସମ୍ଭାବ୍ୟ ସୂଚୀତ କରିଥିଲେ ସେହିକ୍ରମରେ ପରିସଂଖ୍ୟନ ମଧ୍ୟ ବଢ଼ୁଛି । କିନ୍ତୁ କିଛି ଖୁସିର କଥାଟି ହେଉଛି ଏହା ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟ ହାର ମଧ୍ୟ ଭଲ ସ୍ଥିତିରେ ରହିଛି । ବଡ଼ ଉପଲବ୍ଧି ହେଉଛି ମୃତୁ୍ୟ ସଂଖ୍ୟା ମୋଟ ସଂକ୍ରମଣର ମାତ୍ର ୨.୫ ପ୍ରତିଶତ ଭିତରେ ସୀମିତ । ଭାରତର କରୋନା ମୁକାବିଲାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଉଚ୍ଚ ପ୍ରଶଂସା କରିଛି । ଟିକା ପ୍ରସ୍ତୁତି ଲାଗି ବିଶେଷଜ୍ଞଦଳଙ୍କ ପରୀକ୍ଷା ନିରୀକ୍ଷା ସଫଳତା ପାଇବା ସହ ଶେଷ ସୋପାନରେ ପହଞ୍ଚôଛି ।
ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ବଜାରରେ ଉପଲବ୍ଧ ହେବ ବୋଲି ଚିକିତ୍ସା ବିଜ୍ଞାନୀ ଆଶା ରଖିଛନ୍ତି । ଏ କ୍ଷେତ୍ରରେ ଓଡ଼ିଶା ସରକାର ସମଗ୍ର ଭାରତରେ ଆଗୁଆ ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ସେରମ୍ ଇନଷ୍ଟିଚୁ୍ୟଟ ଦ୍ୱାରା ପ୍ରସ୍ତୁତ ଟିକାର ପ୍ରଥମ ପରୀକ୍ଷଣ ସଫଳ ହେବାପରେ ଏହା ନୂଆ ଆଶା ସଞ୍ଚାର କରିଛି । ଦ୍ୱିତୀୟ ପରୀକ୍ଷା ସଫଳ ହେଲେ ଏହା ହୁଏତ କୋଭିଡ଼ ଯୁଦ୍ଧରେ ଲଢ଼ିବା ପାଇଁ ଏକ ସଫଳ ଚିକିତ୍ସା ପଦ୍ଧତି ଭାବେ ଆପଣା ଯାଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଅତ୍ୟନ୍ତ ଗୁରୁତ୍ୱ ଓ ପ୍ରାଥମିକତା ପ୍ରଦାନ କରି କୋଭିଡ଼ ଟିକା ଉଦ୍ଭାବନର ଅଗ୍ରଗତି ସଂକ୍ରାନ୍ତରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ସେରମ ଇନଷ୍ଟିଚୁ୍ୟଟର ସିଇଓ ପୁନାୱାଲାଙ୍କ ସହ କଥା ହୋଇଛନ୍ତି । କୋଭିଡ଼ ଟିକା ବିକାଶରେ ସେରମ ଇନ୍ଷ୍ଟିଚୁ୍ୟଟ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଆନୁଷ୍ଠାନିକ ମଞ୍ଜୁରୀ ମିଳିବା ପରେ ଓଡ଼ିଶାକୁ ପ୍ରାଥମିକତା ଭିତରେ ଟିକା ଯୋଗାଇ ଦେବା ପାଇଁ ଏହି ସଂସ୍ଥା ପ୍ରତିଶ୍ରୁତି ଦେଇଛି । ଲାନ୍ସେଟରେ ପ୍ରକାଶ ପାଇଥିବା ଫଳାଫଳ ଓ ଟିକାର ଅଗ୍ରଗତି ସମ୍ପର୍କରେ ଜାଣିବା ଲାଗି ସେରମ୍ ଇନ୍ଷ୍ଟିିଚୁ୍ୟଟ ସହିତ ଯୋଗସୂତ୍ର ସ୍ଥାପନ କରିଥିବାରୁ ପୁନାୱାଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏହି କମ୍ପାନୀ ବିଶ୍ୱବ୍ୟାପୀ ୧୪୦ଟି ଦେଶକୁ ଏହାର ଟିକା ରପ୍ତାନି କରୁଛି । ପ୍ରାୟ ୮୫ ପ୍ରତିଶତ ରାଜସ୍ୱ ବିଦେଶରୁ ଆସୁଛି । ୨୦୧୪ରେ ପୁନାୱାଲା ସେରମ ଇନ୍ଷ୍ଟିଚୁ୍ୟଟର ଓରାଲ ପୋଲିଓ ଟିକା ବାହାର କରିଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସେ ଅନେକ ପୁରସ୍କାରରେ ସମ୍ମାନିତ । ଜିକୁ୍ୟ ମାଗାଜିନ୍ ଦ୍ୱାରା ୫୦ଜଣ ପ୍ରଭାବଶାଳୀ ଯୁବ ଭାରତୀୟଙ୍କ ଭିତରେ ସେ ସ୍ଥାନ ପାଇଛନ୍ତି । ୨୦୧୬ ବର୍ଷ ପାଇଁ ତାଙ୍କୁ ଫିଲାନ୍ଥ୍ରୋପିଷ୍ଟ ଭାବେ ପୁରସ୍କୃତ କରାଯାଇଥିଲା ।
ଦିଲ୍ଲୀର ଏକ ତଥ୍ୟ ସମ୍ବନ୍ଧରେ ଆସନ୍ତୁ ଚର୍ଚ୍ଚା କରିବା । ଜୁନ୍ ୨୭ରୁ ଜୁଲାଇ ୧୦ ତାରିଖ ଭିତରେ ଦିଲ୍ଳୀର ୧୧ଟି ଜିଲ୍ଲାରେ କରାଯାଇଥିଲା ସିରୋଲୋଜିକାଲ ସର୍ଭେ ପରୀକ୍ଷା । ଯାହାକୁ ସାଧାରଣତଃ ସିରୋ ସର୍ଭେ କୁହାଯାଇଥାଏ । ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଦ୍ୱାରା ଦିଲ୍ଲୀର ଜନଘନତ୍ୱ ଅଞ୍ଚଳ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଯେଉଁଥିରେ ଦିଲ୍ଳୀର ମୋଟ ଜନସଂଖ୍ୟାର ୨୩.୪୮ ପ୍ରତିଶତ ବ୍ୟକ୍ତି କରୋନା ସଂକ୍ରମିତ ହୋଇସାରିଥିବା ଜଣାପଡ଼ିଛି । ଏହି ରୋଗୀଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ପାଖାପାଖି ୩୧,୩୮୭ ରକ୍ତ ନମୁନା ପରୀକ୍ଷା ହୋଇଥିଲା । ସର୍ଭେର ଉଦେ୍ଦଶ୍ୟ ଥିଲା କେତେ ଜଣଙ୍କ ଠାରେ କରୋନା ଭୂତାଣୁ ବିରୋଧରେ ଲଢ଼ିବାକୁ ଆଣ୍ଟିବଡ଼ି ତଥା ରୋଗ ପ୍ରତିରୋଧୀ କ୍ଷମତା ବିକଶିତ ହୋଇଛି । ସର୍ଭେ ରିପୋର୍ଟ ଅନୁଯାୟୀ ଅଧିକାଂଶ ଜାଣି ବି ନାହାନ୍ତି ଯେ, ସେମାନଙ୍କ ଠାରେ କେତେବେଳେ କରୋନା ଭୂତାଣୁ ପ୍ରବେଶ କରିଥିଲେ ବି ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସେମାନେ ଆପେ ଆପେ ଭଲ ହୋଇସାରିଛନ୍ତି । ୨୩ ପ୍ରତିଶତ ବ୍ୟକ୍ତି ଅର୍ଥାତ୍ ପାଖାପାଖି ପ୍ରତି ୪ଜଣରେ ଜଣେ ସଂକ୍ରମିତ ହୋଇସାରିଛନ୍ତି ଓ ସେମାନଙ୍କ ଠାରେ ହାର୍ଟ ଇମୁ୍ୟନିଟି ଆପେ ଆପେ ବିକଶିତ ହୋଇସାରିଛି ।
ଅର୍ଥାତ୍ ଏସବୁ ଲୋକଙ୍କ ଭିତରେ କରୋନା ଭୂତାଣୁ ଆଣ୍ଟିବଡ଼ି ସ୍ୱତଃ ବିକଶିତ ହୋଇସାରିଛି । ଗୋଷ୍ଠୀ ସଂକ୍ରମଣ ହେଲେ ଅନୁରୂପ ଭାବେ ଲୋକଙ୍କ ଠାରେ ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଯଦି ମୋଟ ଜନସଂଖ୍ୟାର ଏକ ବୃହତ୍ ଅଂଶ ଅର୍ଥାତ୍ ୬୦ରୁ ୭୦ ଭାଗ ଲୋକ ସଂକ୍ରମିତ ହୁଅନ୍ତି ଓ ସେମାନଙ୍କ ଠାରେ ଭୂତାଣୁ ପ୍ରତିରୋଧୀ ଶକ୍ତି ବୃଦ୍ଧି ପାଏ, ତାହେଲେ ଏହାକୁ ଡାକ୍ତରୀ ଭାଷାରେ ହଡ ଇମୁ୍ୟନିଟି କୁହାଯାଇଥାଏ । ପୂର୍ବରୁ ମଧ୍ୟ କେତେକ ବିଶେଷଜ୍ଞ ଡାକ୍ତର ହର୍ଡ଼ ଇମୁ୍ୟନିଟି ପ୍ରସଙ୍ଗରେ ବିବୃତି ଦେଇ ସମାଲୋଚନାର ଶରବ୍ୟ ହୋଇଥିଲେ । ଦିଲ୍ଳୀରେ ମାର୍ଚ୍ଚ ଶେଷରୁ ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ କରୋନାର କାୟା ବ୍ୟାପକ ଥିଲା । ଏପରିକି ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ରହୁଥିଲା । ଜୁନ୍ରେ ଦିଲ୍ଲୀରେ ପଜେଟିଭ ହାର ୩୨ ପ୍ରତିଶତ ଥିଲା କିନ୍ତୁ ଜୁଲାଇ ଦ୍ୱିତୀୟ ସପ୍ତାହ ବେଳକୁ ଏହା ୭ ପ୍ରତିଶତକୁ ଖସିଆସିବା ଏକ ଆଶ୍ୱସ୍ତିର ବିଷୟ । ସବୁଠୁ ବଡ଼କଥା ହେଲା, ଏଠାରେ ଆଜି ସୁଦ୍ଧା ୧ଲକ୍ଷ ୨୬ ସଂକ୍ରମିତ ହୋଇଥିଲେ ବି ୧ଲକ୍ଷ ୮ହଜାର ଆରୋଗ୍ୟ ଲାଭ କରିସାରିଛନ୍ତି । ମୃତୁ୍ୟହାର ବି କମ୍ ରହିଛି ।
ଅର୍ଥାତ୍ ଦିଳ୍ଲୀ ସଂକ୍ରମଣ ଶିଖର ସମୟକୁ ଅତିକ୍ରମ କରିସାରିଥିବ । ସେହିଭଳି ଗୁଜୁରାଟ, ତାମିଲନାଡୁ ମଧ୍ୟ ଆରୋଗ୍ୟ କ୍ଷେତ୍ରରେ ଉତ୍ସାହଜନକ ସ୍ଥିିତିରେ ରହିଛନ୍ତି । ଅନୁରୂପ ଭାବେ ଯଦି ଆମେ ଓଡ଼ିଶା, ଆସାମ, ବିହାର ଓ ପଶ୍ଚିମବଙ୍ଗ ସ୍ଥିତି ଦେଖିବା ଏସବୁ ରାଜ୍ୟରେ ସଂକ୍ରମଣ ତୁଳନାରେ ସୁସ୍ଥତା ଅଧିକ ରହିଛି । ମୃତୁ୍ୟସଂଖ୍ୟା ବି କମ୍ । ଓଡ଼ିଶାରେ ଗଞ୍ଜାମ ସହ ଖୋର୍ଦ୍ଧା ଓ କଟକ ଜିଲ୍ଲା ଚିନ୍ତା ବଢ଼ାଇଛି । ଗଞ୍ଜାମରେ ହଠାତ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ନମୁନା ପରୀକ୍ଷାଜନିତ କାରଣରୁ ଆସିଛି । ଗଞ୍ଜାମରେ ସଂକ୍ରମଣ ବଢ଼ୁଥିବାରୁ ଜୁଲାଇରୁ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଶିଖର ସ୍ତର ଛୁଇଁ ପରେ ହ୍ରାସ ପାଇପାରେ । ଏଠାରେ ପ୍ରବାସ ଫେରାନ୍ତଙ୍କ ସଂଖ୍ୟା ବେଶୀ । ଅନ୍ୟପକ୍ଷରେ ଯେଉଁସବୁ ଜିଲ୍ଲା ପୂର୍ବରୁ ସଂକ୍ରମିତ ନଥିଲା ଏବେ ସେଠାରେ ସଂକ୍ରମଣ ବଢ଼ୁଛି । ତେଣୁ ପୂର୍ବାପେକ୍ଷା ଅଧିକ ସତର୍କ ଓ ସଚେତନତା ଜରୁରୀ । ଭୂତାଣୁ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ସ୍ୱଚ୍ଛତା ଅବଲମ୍ବନ, ଭିଡ଼ ସ୍ଥାନକୁ ନଯିବା ଭଳି ଘଟଣା ମାନିବା ସହିତ ସୁଷମ ଭୋଜନ ଓ ବିଶ୍ରାମ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଚିକିତ୍ସାବିତ୍ ମାନେ ପରାମର୍ଶ ଦେଉଛନ୍ତି । ଏହା ଆମକୁ ହାର୍ଟ ଇମୁ୍ୟନିଟି ତିଆରି କରିବାରେ ସହାୟକ ହୋଇପାରିବ । ଆମେ ଜାଣିନେ କାହାଠାରେ ଭୂତାଣୁ ରହିଛି । ଉଚ୍ଚରକ୍ତଚାପ, ମଧୁମେହ, କର୍କଟ ଓ ଅନ୍ୟାନ୍ୟ ଜଟିଳ ରୋଗୀଙ୍କ ଲାଗି ଏହା ଘାତକ ହୋଇପାରେ । ସେମାନଙ୍କୁ ସୁରକ୍ଷିତ ରଖିବାକୁ ପଡ଼ିବ ।
ସେଥିପାଇଁ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଜଟିଳ ରୋଗୀ, ବୟସ୍କ, ଗର୍ଭବତୀ, ଶିଶୁମାନଙ୍କୁ ବାହାରକୁ ନବାହାରିବା ଲାଗି ସରକାର ପରାମର୍ଶ ଦେଉଛନ୍ତି । ଫଳରେ ଗୋଷ୍ଠୀ ସଂକ୍ରମଣ ରୋକିବା ସହ ଗୋଷ୍ଠୀ ସଂକ୍ରମଣ ହେଲେ ବି କରୋନା ମୁକୁଳିବା ସହଜ ହୋଇପାରିବ । ଦୁଇମାସ ତଳେ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ୧୦ ହଜାର ଛୁଇଁବ ବୋଲି ଆକଳନ କରାଯାଇଥିଲା । ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ ଆମ ସୁରକ୍ଷାରେ ସହାୟକ ହେବ ବୋଲି ପୂର୍ବରୁ ଏହି ଲେଖକ ମଧ୍ୟ ସୂଚୀତ କରିଛି । ଯାହା ଏବେ ସତ୍ୟ ପ୍ରମାଣିତ ହୋଇଛି । କରୋନା କାଳ ମଣିଷକୁ ବହୁତ କିଛି ଶିଖାଇଛି । ଆତ୍ମୀୟଙ୍କୁ ଦୂରେଇଛି । ପ୍ରବାସୀକୁ ଘର ମୁହାଁ କରିଥିଲେ ବି ଆତ୍ମୀୟକୁ ଦୂରେଇଛି । ଶୁଭ ଓ ମାଙ୍ଗଳିକ କାର୍ଯ୍ୟରେ ଆତ୍ମୀୟସ୍ୱଜନ ସାମିଲ ହୋଇପାରୁନାହାନ୍ତି କି ମୃତୁ୍ୟକାଳରେ ପ୍ରିୟଜନକୁ କାନ୍ଧ ମିଳୁନି ଶ୍ମଶାନ ପର୍ଯ୍ୟନ୍ତ । ଛୁଇଁବାକୁ ବି ସମସ୍ତେ ଡରୁଛନ୍ତି । ସାମାଜିକ ଓ ପାରିବାରିକ ସମ୍ପର୍କ ସହିତ ଅର୍ଥନୀତିକୁ ମଧ୍ୟ ବିପର୍ଯ୍ୟସ୍ତ କରିଛି କରୋନା । ଆମେ ସତର୍କ ହୋଇ ନିୟମ ମାନି ଚଳିଲେ ଶେଷରେ କରୋନା ହାରିବ ଏବଂ ମାନବ ସମାଜ ଏହି ଲଢ଼େଇରେ ଜିତିପାରିବ ।
ଗୋଟିଏ ରାଷ୍ଟ୍ର କିମ୍ବା ସହରର ଅତିକମ୍ରେ ୬୦% ଲୋକ କରୋନା ସଂକ୍ରମିତ ହେଲେ ସେମାନଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହେବ । ଫଳରେ କରୋନା ଆଉ ସେମାନଙ୍କର କ୍ଷତି କରିପାରିବ ନାହିଁ । ଏହା ସେମାନଙ୍କ ପାଇଁ କେବଳ ଏକ ସାଧାରଣ ଭୂତାଣୁ ହୋଇ ରହିଯିବ । ଅନ୍ୟପକ୍ଷରେ ଗୋଷ୍ଠୀ ପ୍ରତିରୋଧକ ଏତେ ସହଜ କଥା ନୁହେଁ । ବିଶ୍ୱରେ ଏବେ ମୋଟ ଲୋକସଂଖ୍ୟା ପାଖାପାଖି ୭୬୦ କୋଟି । କରୋନା ସଂକ୍ରମିତ ସଂଖ୍ୟା ୬୨ଲକ୍ଷ । ଅର୍ଥାତ୍ ବିଶ୍ୱର ମୋଟ ଲୋକସଂଖ୍ୟାର ମାତ୍ର ୦.୦୮% ସଂକ୍ରମିତ । ୬୦% ଲୋକ ସଂକ୍ରମିତ ହେବା ସହଜ ହେବନାହିଁ । ଭାରତ କଥା ଯଦି କହିବା, ଦେଶରେ ଲୋକସଂଖ୍ୟା ୧୩୫ କୋଟି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପାଖାପାଖି ୧.୮୩ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି, ଯାହା ମୋଟ ଜନସଂଖ୍ୟାର ୦.୦୧% ।
ତେଣୁ ୬୦% ଲୋକ ସଂକ୍ରମିତ ହେବା ପାଇଁ ଅନେକ ସମୟ ଲାଗିପାରେ । ସେତେବେଳେ କରୋନା ଯେ କେତେ ଜୀବନ ନେଇସାରିଥିବ, ତାହା କଳ୍ପନା କରିବା କଷ୍ଟକର । ଏତେ ଶୀଘ୍ର ଅଧିକ ସଂଖ୍ୟକ ଲୋକ ଏକାବେଳେ ସଂକ୍ରମିତ ହେବା ସହଜ ନୁହେଁ । ଭାରତ ତୁଳନାରେ ଆହୁରି ଅନେକ ରାଷ୍ଟ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛନ୍ତି । ତଥାପି ସେମାନେ ଗୋଷ୍ଠୀ ପ୍ରତିରୋଧ ଠାରୁ ଅନେକ ଦୂରରେ ରହିଛନ୍ତି । ଭାରତ କଥା ଯଦି ଦେଖିବା ଦେଶର ଦୁଇଟି ସହର ଯଥା ମୁମ୍ବାଇ ଓ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ମୁମ୍ବାଇର ମୋଟ ଲୋକସଂଖ୍ୟା ପାଖାପାଖି ୧.୮୪କୋଟି ହୋଇଥିବାବେଳେ ସଂକ୍ରମିତ ପାଖାପାଖି ୩୮,୦୦୦ ହେବ, ଯାହା କି ୦.୨% । ସେହିଭଳି ଦିଲ୍ଳୀର ୧.୯କୋଟି ଲୋକଙ୍କ ମଧ୍ୟରୁ ୧୭,୩୮୬ ସଂକ୍ରମିତ ହୋଇଛନ୍ତି ଯାହା କି ୦.୦୯% । ଗୋଷ୍ଠୀ ପ୍ରତିରୋଧକ ଠାରୁ ଏମାନେ ଅନେକ ଦୂରରେ । ହାରାହାରି ଭାବେ ଦେଖିଲେ ଦେଶଗୁଡ଼ିକର ସଂକ୍ରମିତ ଲୋକସଂଖ୍ୟା ମୋଟ ଜନସଂଖ୍ୟାର ଏକଅଙ୍କ ପ୍ରତିଶତ ଛୁଇଁପାରି ନାହିଁ । କରୋନା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଠାରେ ପ୍ରତିରୋଧକ କ୍ଷମତା କେତେଦିନ ଯାଏ ରହିବ, ତାହାର କୌଣସି ଠୋସ ଆକଳନ ବାହାରି ପାରିନାହିଁ । ମାଇକେଲ ମିନା କହିଛନ୍ତି, ପିଲାମାନଙ୍କ ଠାରେ ମିଳିମିଳା, ହାଡ଼ଫୁଟି ଅତ୍ୟନ୍ତ ସାଧାରଣ ପାଲଟିଯାଇଛି ।
କାରଣ ଟିକା ଦ୍ୱାରା ସେମାନେ ଗୋଷ୍ଠୀ ପ୍ରତିରୋଧ ସୃଷ୍ଟି କରିପାରିଛନ୍ତି । କରୋନା ପାଇଁ ଏବେ କୌଣସି ଟୀକା କିମ୍ବା ଔଷଧ ବାହାରି ପାରିନାହିଁ । ତେଣୁ ନିରାପଦ ବ୍ୟବସ୍ଥା ନ ଆପଣାଇ ଯଦି ଗୋଷ୍ଠୀ ପ୍ରତିରୋଧ ପଦକ୍ଷେପ ନିଆଯାଏ, ତେବେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେବେ ଏବଂ ଅନେକ ଲୋକ ପ୍ରାଣ ହରାଇବେ । ନୁ୍ୟୟର୍କରେ ପ୍ରତି ଲକ୍ଷେ ଲୋକରେ ଏବେ ୨୫୦ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି । ଯଦି ୬୦% ଲୋକ ସଂକ୍ରମିତ ହୁଅନ୍ତି, ତେବେ ହଜାର ହଜାର ଲୋକଙ୍କ ଜୀବନ ଯିବ ବୋଲି ମିନା କହିଛନ୍ତି । ତେଣୁ ହର୍ଡ଼ ଇମୁ୍ୟନିଟିରେ ଯଦିଓ କରୋନା ସଂକ୍ରମଣ ମୁକାବିଲାର ସୂତ୍ର ରହିଛି, ଏହା କେବେ ଓ କେମିତି ସମ୍ଭବ ହେବ, ତାହାର ସୂତ୍ର ଖୋଜିପାଇବା ମୁସ୍କିଲ ହୋଇଛି ।
