କେନ୍ଦ୍ରାପଡା : କେନ୍ଦ୍ରାପଡା ଓ କେଉଁଝର ଟ୍ରକ ମାଲିକ ସଂଘ ମଧ୍ୟରେ ବିବାଦ ଦେଖାଦେଇଛି । ଦୀର୍ଘ ୩ଦିନ ହେଲା ଏହି ବିବାଦ ଯୋଗୁଁ କେଉଁଝର ଠାରେ କେନ୍ଦ୍ରାପଡାର ବହୁ ସଂଖ୍ୟକ ଟ୍ରକ କୁ ଅଟକ ରଖାଯାଇଛି । ଏହା ସହ ଗାଡିର ଡ୍ରାଇଭର ମାନଙ୍କୁ ଗାଳି ଗୁଲଜ ଦେବା ସହ ସେମାନଙ୍କ ଠାରୁ ଚାଲାଣ ଓ ଗାଡିର କାଗଜ ପତ୍ର ଛଡାଇ ନେଇଥିବା କେନ୍ଦ୍ରାପଡା ଶ୍ରୀ ବଳଦେବଜୀୟୁ ଟ୍ରକ ମାଲିକ ସଂଘ ଦୁହୁରିଆ ତରଫରୁ ଅଭିଯୋଗ କରାଯାଇଛି । ରବିବାର ଟ୍ରକ ମାଲିକ ସଂଘ ପକ୍ଷରୁ ବରିଷ୍ଠ ସଭାପତି ପ୍ରମୋଦ କୁମାର ନାୟକ ଓ କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଦାବି ଜଣାଇଥିଲେ ।
ଅଭିଯୋଗ ମୁତାବକ ପାରାଦ୍ୱୀପ ବନ୍ଦର କୁ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରୁଥିବା କେନ୍ଦ୍ରାପଡା ଓ କେଉଁଝର ର ଟ୍ରକ ମଧ୍ୟରେ କେଉଁଝର ର କେତେକ ଟ୍ରକ ଡାହାଣ ପଟ ରୁଟରେ ଯିବା ଫଳରେ ବନ୍ଦର କତୃପକ୍ଷଙ୍କ ଦ୍ୱାରା ବ୍ଲାକ ଲିଷ୍ଟେଡ ହୋଇଥିଲେ । ଏଥିରେ ଉତ୍କ୍ଷୀପ୍ତ ହୋଇ କେଉଁଝର ର ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦ୍ରାପଡାର ଟ୍ରକ ଗୁଡିକୁ ବେଆଇନ ଭାବରେ ଅଟକ ରଖା ଯାଇଛି । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଶ୍ରୀ ବର୍ମା କେଉଁଝର ର ଜିଲ୍ଲାପାଳଙ୍କ ସହ କଥାବାର୍ତା କରି ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସୂଚନା ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ରାଜେଶ ମହାନ୍ତି, ଅନୱାର ଅଲ୍ଲୀ ଖାଁ, ପ୍ରଭାତ ନାୟକ, ଅଶୋକ କୁମାର ପରିଡା, ଧନେଶ୍ୱର ଦାସ, ଚିନ୍ମୟ ବିଶ୍ୱାଳ, ସୈାମ୍ୟ ରଞ୍ଜନ ନାୟକ, ରମାକାନ୍ତ ବିଶ୍ୱାଳ, ଭବାନୀ ଶଙ୍କର ସାହୁ, ଅମିତ ଅଗ୍ରୱାଲ, ବିକ୍ରମ ସିଂ, କିଶୋର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।