Odisha news

ଡ୍ୟୁଟି ବେଳେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହୋମଗାର୍ଡ ଜେଲ ଗଲେ

0

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ପୋଲିସ ଖାକିରେ ଲାଗିଲା ଦାଗ ।ରାତିରେ ଡ୍ୟୁଟି କରିଥିବା ସମୟରେ ସଦର ଥାନାର ଜଣେ ହୋମଗାର୍ଡ ଝୁମ୍ପୁଡି ଭିତରେ ପଶି ଜନୈକା ଅସହାୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି । ଜଗତସିଂହପୁରରେ ରକ୍ଷକ ସାଜିଲା ଭକ୍ଷକ ।ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ପୋଲିସ କର୍ମଚାରୀ ରାତିରେ ଜନୈକା ନାବାଳିକାକୁ ଘରେ ପଶି ଟଣା ଓଟରା କରିବା ଘଟଣା ପୋଲିସର ଖାକିରେ କଳାଦାଗ ଲଗାଇଛି ।ସଦର ଥାନାରେ କାର୍ଯ୍ୟରତ ଜଣେ ପୋଲିସ ହୋମଗାର୍ଡ ରାତିରେ ଡ୍ୟୁଟିରେ ଥାଇ ଜଣେ ଅସହାୟ ନାବାଳିକାକୁ  ମନ୍ଦ ଉଦେ୍ଦଶ୍ୟ ରଖି ଘରେ ଘରେ ପଶି ଟଣାଓଟରା କରିବା ସହିତ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ଜଗତସିଂହପୁର ଥାନାରେ ଏତଲା ହୋଇଥିଲା ।

ସଂପୃକ୍ତ ନାବାଳିକାର ମାଆ କେଉଁଆଡେ ଚାଲି ଯାଇଥିବା ବେଳେ ନାବାଳିକାଟି ଶିଶୁ ଆଶ୍ରମରେ ରହୁଥିଲା ।ମାତ୍ର ଗତ କିଛି ଦିନ ହେବ ନାବାଳିକା ଜଣକ ସେଠାରୁ ପଳାଇ ଆସି ବଙ୍ଗଳା ଛକ ନିକଟରେ ରହୁଥିବା ଅନ୍ୟ ଜଣେ ନିରାଶ୍ରୟ ମହିଳାଙ୍କ କୁଡିଆରେ ଆଶ୍ରୟ ନେଇଥିଲା ।ମାତ୍ର ଗତ ରବିବାର ରାତିରେ ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ସୁଶାନ୍ତ ବାରିକ ଡ୍ୟୁଟିରେ ଥିବା ବେଳେ ସଂପୃକ୍ତ ନାବାଳିକା ରହୁଥିବା ସ୍ଥାନକୁ ଯାଇ ଟଣା ଓଟରା କରିବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା ।ଏହାକୁ ଦେଖି ନାବାଳିକା ଓ ସେହି କୁଡିଆରେ ଥିବା ଜଣେ ମହିଳା ପାଟି କରିବାରୁ ଅଭିଯୁକ୍ତ ସୁଶାନ୍ତ ବାରିକ ସେଠାରୁ ଦୌଡି ପଳାଇଥିଲା ।

ଏହାକୁ ନେଇ ସଂପୃକ୍ତ ନାବାଳିକା ପକ୍ଷରୁ ଜଗତସିଂହପୁର ଥାନାରେ ଏତଲା ଦିଆଯିବା ପରେ ସଦର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପୋଲିସ କେଶ ନମ୍ବର ୧୫୯ ରୁଜୁ କରି ଏସଆଇ ଶ୍ୱେତପଦ୍ମା ଦାଶକୁ ତଦନ୍ତ ପାଇଁ ଦାୟିତ୍ୱ ଦେଇଥିଲେ ।ପୋଲିସ ପକ୍ଷରୁ ସଂପୃକ୍ତ ନାବାଳିକାକୁ ୧୬୧ରେ ବୟାନ ରେକର୍ଡ କରାଯାଇଥିଲା ।ତଦନ୍ତ ପରେ ଜଗତସିଂହପୁର ପୋଲିସ ହୋମଗାର୍ଡ ସୁଶାନ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା ।ତେବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରାତିରେ ବିଭିନ୍ନ ସ୍ଥାନରେ ନିୟୋଜିତ ପୋଲିସ କର୍ମଚାରୀ ଯଦି ଏପରି ଘୃଣ୍ୟ କାମ କରିବାର ଲାଳସା ରଖି ଉଦ୍ୟମ କରନ୍ତି ତେବେ ସାଧାରଣ ଲୋକେ କାହା ଉପରେ ଭରସା ରଖିବେ ।ଏହାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

Leave A Reply

Your email address will not be published.