ହିଞ୍ଜିଳିକାଟୁ :-କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାର ସ୍ଥିତି ସମ୍ପୂର୍ଣ୍ଣ ଅଣାୟତ।ଏଭଳି ଅସମ୍ଭାଳ ସ୍ଥିତିରେ ମଧ୍ୟ ଜିଲ୍ଲାର ହିଞ୍ଜିଳି ବ୍ଳକ ବାଦ ପଡିନି। କରୋନା ପଞ୍ଝାରେ ସ୍ଥାନୀୟ ସହର ସମେତ ଗ୍ରାମାଞ୍ଚଳର କିଛି ସଂକ୍ରମିତ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ସ୍ଥାନୀୟ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କୁହା ଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତି ରୋଗ ଲୁଚାଉ ଥିବା ଆଲୋଚନା ହେଉଛି।
ବଡ଼ଖଣ୍ଡି ପଞ୍ଚାୟତରେ ଏଭଳି ସ୍ଥିତି ଆଶଙ୍କା ପ୍ରକାଶ କରି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ ଗୁରୁବାର ବିଡିଓ ପ୍ରସନ୍ନ କୁମାର ପାତ୍ର ଓ ତହସିଲଦାର ଗୋପୀନାଥ କୁଅଁରଙ୍କ ସହ ବିଚାର ବିମର୍ଷ କରି ପଦକ୍ଷେପ ନେଇଛନ୍ତି।ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଅଧିକ ସଂକ୍ରମଣ ଆଶଙ୍କା ଥିବା ସମରଝୋଳ ଗାଁ କୁ ୭ ଦିନ ସକାଶେ କଣ୍ଟେନମେଣ୍ଟ ଜୋନ ଓ ବଡ଼ଖଣ୍ଡି ଅଞ୍ଚଳକୁ ବଫର ଜୋନ ଘୋଷଣା କରିଛନ୍ତି ସରପଞ୍ଚ କେ ଦୁର୍ଗା ପ୍ରସାଦ ରାଓ। ସମ୍ପୃକ୍ତ ଗ୍ରାମର ୩ ପ୍ରବେଶ ପଥକୁ ବ୍ୟାରିକେଡ କରାଯାଇ ସିଲ କରାଯାଇଛି।ଏହି ଘୋଷଣା ମୁତାବକ ଗୁରୁବାର ଠାରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଗାଁ ସମେତ ସମରଝୋଳ ଛକର ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ଓ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ।
ପୂର୍ବରୁ ଉକ୍ତ ବଜାର ଅଞ୍ଚଳକୁ ଗତ ୨୬ ତାରିଖ ଗୁରୁବାର ଠାରୁ ୫ ଦିନ ଧରି ସଟଡାଉନ ଘୋଷଣା କରିଥିଲେ ସରପଞ୍ଚ ରାଓ।ବଜାରରେ ଅବାଧ ଯାତାୟାତ ଓ ପ୍ରବଳ ଗହଳି ସହ ସାମାଜିକ ଦୂରତା ନିୟମ ପାଳନ କରୁ ନ ଥିବା କାରଣରୁ ସେ ଏହି ପଦକ୍ଷେପ ନେଇଥିଲେ।ଆଜି ପୁଣି ସମରଝୋଳ ଗାଁ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।ପ୍ରକାଶ ଥାଉକି, ଗତମାସ ୨୫ ତାରିଖରେ ଉକ୍ତ ଗ୍ରାମର ୪୪ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ କୌଣସି କାରଣରୁ ମୃତ୍ୟୁ ହୋଇଥିଲା।ଶବ ସତ୍କାରରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ପ୍ରାୟ ଅଧିକାଂଶ ବ୍ୟକ୍ତି ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେସରକାରୀ ଭାବେ ସୂଚନା ମିଳିଛି।ସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସକାଶେ ଅଞ୍ଚଳବାସୀ ଦାବୀ କରିଛନ୍ତି।