ହିଞ୍ଜିଳି କାଟୁ,୧/୭ :-ଚଳିତ ଜୁଲାଇ ମାସ କରୋନା ସଂକ୍ରମଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ।ରାଜ୍ୟ ସରକାର ଏହି କଠିନ ପରିସ୍ଥିତିର ମୁକାବିଲା ପାଇଁ କରୋନା ରଣନୀତି ପ୍ରସ୍ତୁତ କରିଛନ୍ତି।ରାଜ୍ୟରେ ସର୍ବାଧିକ କରୋନା ପ୍ରବଣ ଗଞ୍ଜାମ ଜିଲ୍ଲାକୁ ଚଳିତ ମାସ ଶେଷ ସୁଦ୍ଧା କରୋନା ମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ବ୍ଳକକୁ ଘନ ଘନ ଗସ୍ତ କରି ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ସ୍ଥିତି ସମୀକ୍ଷା କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ବୁଧବାର ହିଞ୍ଜିଳି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଉପସ୍ଥିତ ରହି ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ କରୋନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଥିଲେ।ବ୍ଳକର ୨୧ଟି ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ସ୍ଥାପନ କରି ଗ୍ରାମାଞ୍ଚଳ ରେ ସରପଞ୍ଚ ମାନଙ୍କ ସହିତ ମିଶି କୋଭିଡ ପରିଚାଳନା ସଭା ଖୋଲା ସ୍ଥାନରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।ବର୍ତ୍ତମାନ ସୁଦ୍ଧା ବ୍ଳକ ରେ ପାଖାପାଖି ୪୦ଜଣ ବ୍ୟକ୍ତି କରୋନା ସଂକ୍ରମିତ ଥିବା ଅଧିକାରୀ ମାନେ ସୂଚାଇ ଥିଲେ।ଏଣୁ ପ୍ରତି ୱାର୍ଡରେ ଜଣେ ଲେଖାଏଁ କୋଭିଡ ମନିଟର ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଉପରେ କହିଥିଲେ।ସେମାନେ ଦୈନନ୍ଦିନ ତଥ୍ୟ ପ୍ରଦାନ କରିବା ସହ ସତର୍କତା ଓ ସଚେତନତା ସୃଷ୍ଟି କରିବେ।
ଏହା ସହିତ କୋଭିଡ କେୟାର ହୋମ ଓ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦେଇଥିଲେ।ପରିବେଶ ସ୍ୱଚ୍ଛ ଓ ସାନିଟାଇଜେସନ କରିବା ସହ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ପାଳନକରିବା ଓ ଜନଗହଳି ଉପରେ କଡା ନଜର ରଖିବାକୁ କହିଥିଲେ।ପ୍ରତି ପଞ୍ଚାୟତରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସ୍ୱାବ ସଂଗ୍ରହ,ଟ୍ରେସିଂ, ଟେଷ୍ଟିଙ୍ଗ ଓ ଟ୍ରିଟମେଣ୍ଟ ଜରିଆରେ ସମନ୍ୱୟ ରଖି ସଂକ୍ରମଣ ରୋକିବା ଦିଗରେ ଉପସ୍ଥିତ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ସମୟରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ପ୍ରତିଭା ପାତ୍ର, ସିଡିପିଓ ଶୁଭଶ୍ରୀ ପାତ୍ର,ଡଃ ଅନୀଲ ରଥ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ,ବିପିଏମ ଶଶାଙ୍କ ପଣ୍ଡା ଙ୍କ ସମେତ ପଞ୍ଚାୟତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।