ହିଞ୍ଜିଳିକାଟୁ,: ହିଂଜିଳିକାଟୁ ସହର ଚୋରା କାଠ ବେପାରୀଙ୍କ ପେଣ୍ଠସ୍ଥଳୀ ପାଲଟିଛି । ସ୍ଥାନୀୟ ଅଂଚଳର ଚୋରା କାଠ ବେପାରୀ ଓ ବନ ବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ବାର୍ଷିକ କୋଟ କୋଟି ଟଙ୍କା ରାଜସ୍ୱ ହାନି ଘଟୁଥିବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ପ୍ରକାଶ ଯେ, ଗଂଜାମ ଜିଲ୍ଲାର ପ୍ରତ୍ୟେହ ଘରୋଇ ଯାତ୍ରୀବାହୀ ବସ୍ ଯୋଗେ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ବହୁ ସମୟରେ ଘରୋଇ ଯାତ୍ରୀବାହୀ ବସ ଯୋଗେ ବରଗଡ଼ ଓ ଗାଙ୍ଗପୁର ଅଂଚଳରୁ ମୂଲ୍ୟବାନ କାଠ ସମେତ ବାଉଁଶ, ଅଙ୍ଗାର, ଝୁଡ଼ି ସମେତ ଶାଳ, ପିଆଶାଳ କାଠରେ ନିର୍ମିତ ଘରକରଣା ସମାଗ୍ରୀ ବିଭିନ୍ନ ସହରକୁ ରପ୍ତାନି କରାଯାଉଥିବାର ନଜିର ରହିଛି । ପୂର୍ବରୁ ଯାତ୍ରୀବାହୀ ବସ ଯୋଗେ ମୂଲ୍ୟବାନ କାଠ ସମେତ ବାଉଁଶ, ଅଙ୍ଗାର, ଝୁଡ଼ି ସମେତ ଶାଳ, ପିଆଶାଳ କାଠରେ ନିର୍ମିତ ଘରକରଣା ସମାଗ୍ରୀ ଆଣି ହିଂଜିଳିକାଟୁ ସହରରେ ଓହ୍ଲାଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ଖବର ପ୍ରକାଶନ ପରେ ସ୍ଥାନୀୟ ବନ ବିଭାଗ କର୍ମଚାରୀ କିଛି ଘରୋଇ ବସ କର୍ମଚାରୀଙ୍କୁ ତାଗିଦ କରିଥିବା ଦେଖିବାକୁ ମିଳିଥିଲା । କିଛି ଦିନର ନିରବତା ପରେ ପୁଣି ଥରେ ସ୍ଥାନୀୟ ଅଂଚଳର ଚୋରା କାଠ ବେପାରୀ ମାନେ ସକ୍ରିୟ ହୋଇ ଉଠିଛନ୍ତି । ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ବସ ଗୋଲଡ଼େନ ପ୍ରିନ୍ସ ()ରେ ବହୁ ପରିମାଣରେ ବାଉଁଶ ଅଣାଯାଇ ହିଂଜିଳିକାଟୁ ପୌରାଂଚଳ ଜଳସେଜନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଓହ୍ଲାଉଥିବାର ଦେଖିବାକୁ ମିଳିଥିଲା । ଘଟଣା ନେଇ ହିଂଜିଳିକାଟୁ ବନ ବିଭାଗୀୟ ବିଟ୍ ହାଉସ ଭାରପ୍ରାପ୍ତ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ବାଉଁଶ ରପ୍ତାନି କରାଯିବା ନେଇ ବହୁ ବିଧାୟକ ଓ ସଂସଦଙ୍କ ସୁପାରିଶ ଆଦେଶ ରହିଛି ।
ପ୍ରକାଶ ଥାଉକି, ବିଭିନ୍ନ ବଣ ଜଙ୍ଗଲରୁ ବାଉଁଶ ଆଣି ବିକ୍ରି କରିବା ଲାଗି ସଂପୃକ୍ତ ଅଂଚଳର ବନବିଭାଗ ଠାରୁ ଓଟିଡ଼ି ରସିଦ କାଟି ବଜାରରେ ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରାଯାିଥିବା ବେଳେ କିଛି ଚୋରା ବେପାରୀ – ବନବିଭାଗ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯାତ୍ରୀବାହୀ ବସରେ କିଭଳି ବାଉଁଶ ଏବଂ କାଠ ପରିବହନ କରାଯାଉଛି, ଏହା କିପରି ବନ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏବଂ ଆଂଚଳିକ ପରିବହନ ଅଧିକାରୀଙ୍କ ନଜରକୁ ଆସୁନାହିଁ ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।