ହିଞ୍ଜିଳିକାଟୁ ତା 25/9 : କଲେଜ ଜଇନିଙ୍ଗ ପାଇଁ ଫର୍ମ ପୂରଣ ସାରି ମଧ୍ୟାହ୍ନରେ ଘରକୁ ଫେରିବା ବାଟରେ ହିଞ୍ଜିଳି- ସିକିରି ରାସ୍ତାରେ ଛାତ୍ରୀଙ୍କ ବ୍ୟାଗ ଲୁଟିବା ଅଭିଯୋଗରେ ହିଞ୍ଜିଳି ପୋଲିସକୁ ମିଳିଥିବା ବଡ଼ ସଫଳତା ହିଞ୍ଜିଳି ତଥା ଆଖପାଖ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ଘଟଣାରୁ ପ୍ରକାଶ ଯେ, ଗତ ଅଗଷ୍ଟ 25 ତାରିଖରେ ଯୁକ୍ତ ଦୁଇରେ ଆଡ଼ମିସନ ପାଇଁ ଫର୍ମ ପୂରଣ କରି ସାଙ୍ଗ ଝିଅଙ୍କ ସହ ଘରକୁ ସାଇକେଲ ଯୋଗେ ଫେରିବା ବେଳେ ଲୁଟର ଶିକାର ହୋଇଥିଲେ ସ୍ଥାନୀୟ ବ୍ଲକ ତଥା ଥାନାର ଜୈନିକ ଛାତ୍ରୀ ସନ୍ଧ୍ୟାରାଣୀ ଜେନା l ପଛପଟୁ ତିନି ଜଣ ବାଇକ ଆରୋହୀ ଲୁଟେରା ଛାତ୍ରୀଙ୍କ ଆଗ ବାସ୍କେଟରୁ ବ୍ୟାଗ ଛଡାଇ ଦ୍ରୁତଗତିରେ ସିକିରି ଆଡକୁ ପଳାଇ ଯାଇଥିଲେ l ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ଫୋନ, ଅର୍ଜିନାଲ ସାର୍ଟିଫିକେଟ, ଆଧାର କାର୍ଡ ଓ ଅଳ୍ପ କିଛି ଟଙ୍କା ଥିଲା l ଛାତ୍ରୀ ଜଣଙ୍କ କାନ୍ଦୁଣୀ ମାଣ୍ଡୁଣୀ ହୋଇ ରାସ୍ତାରେ ଚିତ୍କାର କରୁଥିବା ବେଳେ ଆମ ହିଞ୍ଜିଳି ପ୍ରତିନିଧି କୈଳାଶପତି ଦାଶ ସେହି ରାସ୍ତା ଦେଇ ଯାଉଥିବା ବେଳେ ଘଟଣା ସମ୍ପର୍କରେ ଅବଗତ ହୋଇ ତତକ୍ଷଣାତ ହିଞ୍ଜିଳି ଥାନାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଥାନାଧିକାରୀ ଅଭିମନ୍ୟୁ ଦାସ ସଦଳବଳେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ପାଇପାରିନଥିଲେ l ଏ ନେଇ ଛାତ୍ରୀଜଣଙ୍କ ଥାନାରେ ଲିଖିତ ଏତଲା 25 ଅଗଷ୍ଟରେ ଦାଏର କରିବା ପରେ ଏଭଳି ଏକ ସମ୍ବେଦନ ଅଭିଯୋଗକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ତଦନ୍ତ ଜାରିରଖିଥିଲା l ଲୁଟରା ମାନେ ଲୁଟକରିଥିବା ଫୋନକୁ ପୋଲିସ ଟ୍ରାକ ଜାରି ରଖିଥିବା ବେଳେ ସେହି ଲୁଟେରା ମାନେ ପୁଣି ଗୋଟିଏ ଲୁଟ ସ୍ଥାନୀୟ ଥାନାଞ୍ଚଳ ଦୁର୍ବନ୍ଧ ନିକଟରେ ପୁଣି ଜଣେ ଛାତ୍ରୀଙ୍କ ବ୍ୟାଗ ଛଡାଇ ନେବାରେ ସକ୍ଷମ ହୋଇଥିଲେ l ହିଞ୍ଜିଳି ପୋଲିସ ଲୁଟ ଫୋନ ଗୁଡିକର ଟ୍ରାକିଙ୍ଗ କରି ପାଟପୁର ଥାନାଞ୍ଚଳ କଂକୋରଡ଼ା ଗ୍ରାମର ଅଶୋକ ବିଶୋଇକୁ ସ୍ଥାନୀୟ ବସଷ୍ଟାଣ୍ଡରୁ ଗିରଫ କରିବାରେ ସଫଳ ହୋଇଥିଲା l ତଦନ୍ତ ପରେ ତାହାର ସ୍ପିକାରୋକ୍ତି ଆଧାରରେ ଅନ୍ୟ ଦୁଇ ସହଯୋଗି ଲୁଟେରା ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନାକୁ କଙ୍କୋରଡା ଗ୍ରାମରୁ ଗିରଫକରି ଲୁଟ ସାମଗ୍ରୀ ଜବତ କରିଥିବା ବେଳେ ଲୁଟରେ ବ୍ୟବହାର ହୋଇଥିବା ହିରୋ ଏଚ ଏଫ ଡିଲକ୍ସ ବାଇକ ଜବତ କରିଥିବା ବେଳେ ଲୁଟର ଶିକାର ହୋଇଥିବା ଛାତ୍ରୀଙ୍କୁ ତାଙ୍କ ଲୁଟ ହୋଇଥିବା ସାମଗ୍ରୀ ପ୍ରଦାନ କରିଥିବା ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ଜଣାଯାଇଛି l ହିଞ୍ଜିଳି ଥାନା କେଶ ନମ୍ବର 445/22ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି l ହିଞ୍ଜିଳି ପୋଲିସର ଏହି ତ୍ୱରିତ ପଦକ୍ଷେପ ଗ୍ରହଣ ଓ ନିଷ୍ଠାପର ସଫଳ ଉଦ୍ୟମ ଓ ସଫଳତା ପାଇଁ ସାରା ଅଂଚଳରେ ପ୍ରସଂଶାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି l
