(ହିଞ୍ଜିଳିକାଟୁ-25/ମଇ/୨୦୨୨) ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ତଥା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିଧୀନ ଗଣ୍ଡଳା ଗ୍ରାମ ପଞ୍ଚାୟତରେ ଖରିଫ ଋତୁର ସରକାରୀ ଧାନ ବିହନ ବିକ୍ରିରେ କୃଷି ବିଭାଗ ତରଫରୁ ଅନିୟମିତତା ହେଉଥିବା ନେଇ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି l ।
ଗଣ୍ଡଳା ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ଏଯାଏଁ ଖରିଫ ଋତୁର ଧାନ ବିହନ ଯୋଗାଇ ଦିଆ ଯାଇନାହିଁ। ପରିବର୍ତ୍ତିତ ବୈଶ୍ୱିକ ଜଳବାୟୁ ସହ ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଶିଥିଳତା ଚାଷୀ ମାନଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରୁଛି। ଏନେଇ ମଙ୍ଗଳବାର ଗଣ୍ଡଳା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ କୁମାର ସାହୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଦାବି ପତ୍ର ପ୍ରଦାନ କରିବା ପରେ ସ୍ଥାନୀୟ କୃଷିବିଭାଗର ଅସଲ ଚେହେରା ଧରାପଡ଼ିଛି l
ଅଭିଯୋଗ ଯଦି ସତ୍ୟ ତେବେ, କେତେକ ଘରୋଇ ବିହନ କମ୍ପାନୀ ସହିତ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାର ସୁଯୋଗରେ କମ୍ପାନୀ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସରକାରୀ ଧାର୍ଯ୍ୟ ଦର ଠାରୁ ପ୍ରାୟ ତିନି-ଚାରି ଗୁଣ ଅଧିକ ଟଙ୍କାରେ ହାଇବ୍ରିଡ ଧାନ ବିହନ ବିକ୍ରି କରୁଛନ୍ତି। କୃଷି ବିଭାଗୀୟ ଅଧିକାରୀ ମାନଙ୍କୁ ଏନେଇ ଅବଗତ,ଆଲୋଚନା ଓ ଅନୁରୋଧ କରାଯିବା ପରେ ମଧ୍ୟ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଜଣେ ଜନପ୍ରତିନିଧି ଭାବେ ନିଜ ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି।
