Odisha news

ଜାତୀୟ ରାଜପଥରେ ଦୁଇଟି ଦୁର୍ଘଟଣା : ମୋଟର ସାଇକେଲ ଆରୋହୀ ୩ ଯୁବକ ମୃତ : ତେଲ ଟ୍ୟାଙ୍କର ଜଳିଗଲା

0

ଚଣ୍ଡିଖୋଲ,୧୩/୦୫ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇଛକ ଓ ଜେନାପୁର ଥାନା ୫୩ ନମ୍ବର ଜାତୀୟ ରାଜପଥର ମହିଶରା ଗ୍ରାମ ନିକଟରେ ଦୁଇଟି ଦୁର୍ଘଟଣାରେ ୩ଜଣ ମୋଟର ସାଇକେଲ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଗୋଟିଏ ତେଲ ଟ୍ୟାଙ୍କର ହୁତୁ ହୁତୁ ହୋଇ ଜଳିଯାଇଛି! ପ୍ରଥମ ଘଟଣା ଘଟିଥିଲା ୧୬ ନମ୍ବର ଜାତୀୟ ରାଜପଥର କଡେଇଛକରେ! ଚଡେଇଧରାରେ କଳାପଥର ବ୍ୟବସାୟ ସହ ସପୃକ୍ତ ତିନିଜଣ ଯୁବକ ଏକ ମୋଟର ସାଇକେଲରେ କଟକ ପଟକୁ ଯାଉଥିଲା ବେଳେ ଶୁକ୍ରବାର ବିରମ୍ବିତ ରାତିରେ କଡେଇଛକରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ! ଭାରସାମ୍ୟ ହରାଇ ସେମାନଙ୍କ ବାଇକ ରାସ୍ତାକଡ ବାଡାରେ ପିଟିହୋଇ ଯିବାରୁ ସମସ୍ତେ ରାସ୍ତା ଉପରେ ପଡିଯାଇଥିଲେ! ଏତିକି ବେଳେ ସେହି ରାସ୍ତାରେ ଆସୁଥିବା ଏକ ଅଜଣା ଗଡି ସେମାନଙ୍କ ଉପରେ ମାଡି ଯାଇଥିଲା! ଫଳରେ ଘଟଣା ସ୍ଥଳରେ ହିଁ ଏହି ତିନିଜଣ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା! ମୃତ୍ୟୁ ବରଣ କରିଥିବା ଉକ୍ତ ଯୁବକ ମାନେ ହେଉଛନ୍ତି ଜେନାପୁର ଥାନା ଚଡେଇଧରା ଠାରେ ଚା’ଦୋକାନ କରିଥିବା ସରତ ସାହୁଙ୍କ ପୁଅ ଅଞ୍ଚଳ ସାହୁ(୨୫),ଜଗତପୁର ଥାନା ବୈକୁଣ୍ଠ ବିହାରର ଦେବାଶିଷ ନାୟକ(୨୬) ଓ ଧର୍ମଶାଳା ଥାନା ମାଣତିରି ଗ୍ରାମର ଅଭିଷେକ ଶର(୨୫)!ଏହି ତିନିଜଣ ଯୁବକଙ୍କ ଘର ପୃଥକ ପୃଥକ ସ୍ଥାନରେ ହୋଇଥିଲେ ମଧ୍ୟ ସେମାନେ ସମସ୍ତେ ଚଡେଇଧରା ଠାରେ ରହନ୍ତି ଓ କଳାପଥର ବ୍ୟବସାୟ ସପୃକ୍ତ ବୋଲି ଜଣାପଡିଛି!ସେମାନେ ୦ଡି୦୪ ଏମ- ୪୬୯୬ ନମ୍ବର ଥିବା ଏକ ବାଇକରେ ଶୁକ୍ରବାର ରାତି ୧୨ଟା ପରେ ଚଡେଇଧରାରୁ କଟକ ଯାଉଥିଲେ ବୋଲି ଜଣାପଡିଛି! ଶନିବାର ସକାଳୁ ରାସ୍ତା ଉପରେ ତିନିଜଣଙ୍କ ମୃତଦେହ ପଡିଥିବା ସୂଚନା ପାଇ ବଡଚଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟର ସାଇକେଲକୁ ଜବତ କରିବା ସହ ଶବଗୁଡିକୁ ଉଦ୍ଧାରକରି ବ୍ୟବଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ! ଏ ସମ୍ପର୍କରେ ବଡଚଣା ଥାନାରେ ୧୩୨/୨୩ ନମ୍ବରରେ ପୋଲିସ ମାମଲା ପଞ୍ଜିକରଣ କରି ତଦନ୍ତ ଅବ୍ୟାହତ ରଖିଛି! ସେହିପରି ୫୩ ନମ୍ବର ଜାତୀୟ ରାଜପଥର ମହିଶରା ଗ୍ରାମ ନିକଟରେ ଶନିବାର ଦିନ ପ୍ରାୟ ୯ଟା ବେଳେ ଏକ ତେଲ ଟ୍ୟାଙ୍କର ଚଣ୍ଡିଖୋଲ ପଟକୁ ଯାଉଥିଲା ବେଳେ ରାସ୍ତାରେ ଛିଡା ହୋଇଥିବା ଅନ୍ୟଏକ  ଗାଡି ପଛରେ ପିଟିହୋଇଥିଲା! ଦୁର୍ଘଟଣା ଘଟିବାପରେ ତେଲ ଟ୍ୟାଙ୍କରଟି ହଠାତ ହୁତୁହୁତୁ ହୋଇ ଜଳିଯାଇଥିଲା! ଏହି ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି! ରାସ୍ତା ଉପରେ ତେଲ ଟ୍ୟାଙ୍କର ଜଳିବା ଫଳରେ ଦୀର୍ଘ ସମୟଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା! ଚଡେଇଧରା ଚେକପୋଷ୍ଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ!

Leave A Reply