Odisha news

ପାଟଣା ପାଟନା ହାଇକୋର୍ଟର ଗୁରୁତ୍ୱ ପୁର୍ଣ ରାୟ : ଋଣ ଖିଲାପ କରିଥିବା ମାଲିକଙ୍କ ଠାରୁ ଜୋରଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ

0

ପାଟନା: ଋଣ ଖିଲାପ କରିଥିବା ମାଲିକଙ୍କ ଠାରୁ ଜୋରଜବରଦସ୍ତ ଗାଡ଼ି ଜବତ କରିବା ବେଆଇନ। ଏହା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ନିଶ୍ଚିତ ଜୀବନ ଓ ଜୀବିକାର ମୌଳିକ ଅଧିକାରର ସମ୍ପୂର୍ଣ୍ଣ ଉଲ୍ଲଂଘନ ଏବଂ ଏଭଳି ଗୁଣ୍ଡାଗିରି କାର୍ଯ୍ୟ ଏଫଆଇଆର ରୁଜୁ କରିବାକୁ ବାଧ୍ୟ କରୁଛି ବୋଲି ପାଟନା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।

ଅଦାଲତ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ସହାୟତାରେ ଋଣ ଖିଲାପକାରୀ ଋଣଧାରୀଙ୍କ ବନ୍ଧକ ସମ୍ପତ୍ତିର ଭୌତିକ କବଜା ବା ଅଧିଗ୍ରହଣ କରି ନିଲାମ ପ୍ରକ୍ରିୟାରେ ବକେୟା ଋଣ ଓ ସୁଧକୁ ଆଦାୟ କରିବା ପାଇଁ ବ୍ୟାଙ୍କ ଏବଂ ସମକକ୍ଷ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ‘ଖରାପ ଋଣ’ ଆଦାୟ କରିବା ପାଇଁ ପ୍ରଦତ୍ତ କ୍ଷମତା ଅନୁଯାୟୀ ସୁରକ୍ଷିତ ବ୍ୟବସ୍ଥା ଅନୁସରଣ କରି ଗାଡ଼ି ଋଣ ଆଦାୟ କରାଯିବା ଉଚିତ।

ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରାଜୀବ ରଞ୍ଜନ ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକାଧିକ ରିଟ୍‌ ପିଟିସନର ଶୁଣାଣି କରି ବ୍ୟାଙ୍କ ଏବଂ ଫାଇନାନ୍‌ସ କମ୍ପାନିଗୁଡ଼ିକୁ କଡ଼ା ସମାଲୋଚନା କରିଛନ୍ତି, ଯେଉଁମାନେ ‘ରିକଭରି’ ଏଜେଣ୍ଟଙ୍କୁ ଲଗାଇ ଜୋରଜବରଦସ୍ତ (ବନ୍ଧୁକ ଦେଖାଇ) ଗାଡ଼ି ଜବତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୌଣସି ରିକଭରି ଏଜେଣ୍ଟ ଯେପରି ଜୋରଜବରଦସ୍ତ ଭାବେ କୌଣସି ଗାଡି ଜବତ ନ କରନ୍ତି ତାହା ସୁନିଶ୍ଚିତ କରିବାକୁ ହାଇକୋର୍ଟ ବିହାରର ସମସ୍ତ ପୁଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

‘ରିକଭରି’ ଏଜେଣ୍ଟଙ୍କ ଦ୍ୱାରା ଜୋରଜବରଦସ୍ତ ଗାଡ଼ି ଜବତ କରିବାର ୫ଟି ମାମଲାର ଶୁଣାଣି କରି ଅଦାଲତ ମେ’ ୧୯ ତାରିଖରେ ଏହି ରାୟ ଘୋଷଣା କରିଛନ୍ତି। ଏହି ମାମଲାରେ ଦୋଷୀ ବ୍ୟାଙ୍କ/ଆର୍ଥିକ କମ୍ପାନିଗୁଡ଼ିକୁ ୫୦ ହଜାର ଟଙ୍କା ଲେଖାଏଁର ଜରିମାନା ମଧ୍ୟ କରିଛନ୍ତି ଅଦାଲତ।

ଜଷ୍ଟିସ ରଞ୍ଜନ ତାଙ୍କ ୫୩ ପୃଷ୍ଠାର ରାୟରେ ସୁପ୍ରିମ୍‌କୋର୍ଟର ୨୫ରୁ ଅଧିକ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ରିକଭରି’ ଏଜେଣ୍ଟଙ୍କ ଏପରି କାର୍ଯ୍ୟ ‘ସରକାରଙ୍କ ନାକ ତଳେ’ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ନାଗରିକଙ୍କୁ ତାଙ୍କ ଜୀବନ ଏବଂ ଜୀବିକାର ମୌଳିକ ଅଧିକାରରୁ ବଞ୍ଚିତ କରିଥାଏ।

Leave A Reply