ଫେବୃଆରୀରୁ ତ ଏମିତି ଅବସ୍ଥା : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପରୁ କିପରି ରକ୍ଷା ମିଳିବ ସେ ନେଇ ରାଜ୍ୟ ସକାରଙ୍କ ପକ୍ଷରୁ ସତର୍କତା ଜାରି
ହିମାଂଶୁ ଶେଖର ଆଚାର୍ଯ୍ୟ : ରାଜ୍ୟରେ ଏବେ ତାତି ଓ ଗୁଳୁଗୁଳି ବଢିଚାଲିଛି । ଫେବୃଆରୀ ନସରୁଣୁ ଅସହ୍ୟ ଗୁଳୁଗୁଳି ସହ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହୋଇଛି । ଗତକାଲି ୯ଟି ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ ରହିଛି । ଅପର ପକ୍ଷରେ ରାଜଧାନୀ ଭୁବନେଶ୍ୱର କ୍ରମାଗତ ଭାବରେ ଦ୍ୱିତୀୟ ଦିନରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ରାଜଧାନୀର ତାପମାତ୍ରୀ ୩୮.୧ଡିଗ୍ରୀ ସେଲ୍ସିୟସ୍ ଥିଲା । ପୂର୍ବରୁ ମଧ୍ୟ ଫେବୃଆରୀରେ ରାଜଧାନୀରେ ତାପମାତ୍ରା ୪୦ଡିଗ୍ରୀ ପାର କରିବାର ରେକର୍ଡ ରହିଛି ।
୧୯୬୩ ଫେବୃଆରୀ ୨୩ରେ ଭୁବନେଶ୍ୱର ତାପମାତ୍ରା ୪୨.୭ଡିଗ୍ରୀ ସେଲ୍ସିୟସ୍ ରହିଥିବା ବେଳେ, ୨୦୧୨ରେ ୪୦.୧ଡିଗ୍ରୀ, ୨୦୧୬ରେ ୪୦.୯ଡିଗ୍ରୀ, ୨୦୧୯ରେ ୩୯.୪ଡିଗ୍ରୀ ରହିଥିଲା । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର ଭୁବନେଶ୍ୱରରେ ସର୍ବଧିକ ୩୮.୦ଡିଗ୍ରୀ, ବାରିପଦା ୩୬.୮ଡିଗ୍ରୀ, କଟକ ୩୬.୬ଡିଗ୍ରୀ, ନୟାଗଡ ୩୬.୫ଡିଗ୍ରୀ, ବଲାଙ୍ଗୀର ୩୬.୪ଡିଗ୍ରୀ, ଅନୁଗୁଳ ୩୫.୭ଡିଗ୍ରୀ, ତାଳଚେର ୩୫.୫ ଡିଗ୍ରୀ, ଭବାନୀପାଟଣା ୩୫.୫ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି । ଆସନ୍ତା ଦିନରେ ରାଜ୍ୟର ତାପମାତ୍ରା ବଢିବା ସହ ୨୦୨୧ ଉତ୍ତପ୍ତ ବର୍ଷ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ମିଳିଥିବା ସୂଚନାଅନୁଯାୟୀ ଚଳିତ ବର୍ଷ ଖରାଦିନ ଶୀଘ୍ର ଆସିବ, ଲମ୍ବା ଅବଧି ପର୍ଯ୍ୟନ୍ତ ଛଟପଟ କରିବ ।
ଏବେ ଋତୁଚକ୍ରରେ ଅସ୍ୱାଭାବିକ ପରିବର୍ତ୍ତନ ହେଉଛି । ଆଗ ଭଳି ଆଉ ଛଅ ଋତୁ ଅନୁଭବ କରିହେଉନି । ଛଅ ଋତୁ ଆଜି ସାତ ସପନ । ଶରତ, ଶୀତ ଓ ବସନ୍ତ କ୍ରମଶଃ ମାନସ ପଟରୁ ହଜିଗଲେଣି । ଏବେ କେବଳ ଗ୍ରୀଷ୍ମ ,ବର୍ଷା ଓ ଶୀତ ତିନୋଟି ଋତୁ ଅନୁଭବ କରିହେଉଛି । ଏଥିମଧ୍ୟରୁ ପ୍ରାୟ ସାତ ଆଠ ମାସ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି କେବଳ ବୈଶାଖ-ଜ୍ୟେଷ୍ଠ ନୁହେଁ, ବର୍ଷର ଅନେକ ସମୟରେ ମୁଣ୍ଡଫଟା ଖରା । ସବୁଠି ହା-ହୁତାଶମୟ ପରିବେଶ । କହିବା ବାହୁଲ୍ୟ ଯେ, ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ବସନ୍ତ । ଋତୁରାଜ ସେ । ଫାଲଗୁନ-ଚୈତ୍ର, ନା ଥାଏ ଖରା, ନା ଶୀତ । ମଳୟ ପବନ ସାଥେ ଭାସିଆସେ କୋଇଲିର କୁହୁତାନ । ମୃଦୁ ମଳୟ ପବନ ତନୁମନରେ ଶିହରଣ ଆଣେ । କିନ୍ତୁ ଆଗଭଳି ଶୁଭୁନାହିଁ କୋଇଲିର ସ୍ୱର କି ବହୁନାହିଁ ସୁଲୁସୁଲିଆ ପବନ । ଯେଉଁ ସମୟରେ ବସନ୍ତ ଋତୁ ଅନୁଭବ ହେବା କଥା ସେହି ସମୟରେ ରାଜ୍ୟରେ ଯେଭଳି ହାରରେ ତାପମାତ୍ର ବଢିଛି ତାକୁ ଦେଖିଲେ ଲାଗୁଛି ବସନ୍ତ ସମେତ ଶରତ ଓ ହେମନ୍ତ ଅଚିରେ ହଜିଯିବ ଓ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲିବ । ସୂଚନାଅନୁଯାୟୀ ମାର୍ଚ୍ଚ ୧ ସୁଦ୍ଧା ଅନୁଗୁଳ, ତାଳଚେର, ଟିଟିଲାଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ ଓ ମାଲକାନଗିରିରେ ତାପମାତ୍ରା ୪୦ଡିଗ୍ରୀ ଛୁଇଁପାରେ ।
ନିକଟରେ ପାଣିପାଗରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ । ମାର୍ଚ୍ଚ ଓ ଏପ୍ରିଲରେ ଅଧିକରୁ ଅଧିକ ତାତି ଅନୁଭୂତ ହେବ ବୋଲି ପ୍ରାକ୍ ଆକଳନ କରାଯାଇଛି । ଏପରିକି କଟକ ଓ ଭୁବନେଶ୍ୱର ସହରରେ ମଧ୍ୟ ତାତି ଚିନ୍ତାଜନକ ହୋଇରହିବ ।
ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଏହି କଥାକୁ ଆଖି ଆଗରେ ରଖି ୧୯୭୨ ମସିହାରୁ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଉଛି । ସେହିପରି ଆମ ଦେଶରେ ୧୯୫୦ ମାସିହାରୁ ପ୍ରତିବର୍ଷ ଜୁଲାଇ ପହିଲାରୁ ସପ୍ତାହବ୍ୟାପୀ ବନ ମହୋତ୍ସବ ପାଳିତ ହୋଇ ଆସୁଅଛି । ଏହାର ମୁଖ୍ୟ ଉଦେ୍ଦଶ୍ୟ ହେଲା ଜନସଚେତନ ସୃଷ୍ଟି କରିବା ଓ ଏହି ପ୍ରଦୂଷଣର ଦୂରୀକରଣ ପାଇଁ ସର୍ବତ୍ର ଜନସହଯୋଗକୁ ଉତ୍ସାହିତ କରିବା । ଯାହାଫଳରେ ପରିବେଶର ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଆଗାମୀ ପିଢି ପାଇଁ ପରିବେଶ ସଂରକ୍ଷିତ ହୋଇ ରହିପାରିବ । ଏସବୁ ସତ୍ତ୍ୱେ ପୃଥିବୀ ସମେତ ଆମ ଦେଶ ତଥା ରାଜ୍ୟରେ ପ୍ରତିବର୍ଷ ହଜାର ହଜାର ହେକ୍ଟର ଜଙ୍ଗଲ ଧ୍ୱଂସ ପାଉଛି ।
ଫଳରେ ପରିବେଶ ପ୍ରଦୂଷଣକୁ ରୋକିବାରେ ଆମର ପ୍ରଚେଷ୍ଟା ସେତେ ସନ୍ତୋଷଜନକ ହୋଇପାରୁନାହିଁ । ଫଳସ୍ୱରୂପ, ତାପାୟନ ବଢିଚାଲିଛି, ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି ଓ ବୃଷ୍ଟିପାତ ହ୍ରାସ ପାଉଛି । ବିଗତ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟ ହେଉଛି । ସେହିପରି ୨୦୧୫ରେ ଭୟଙ୍କର ଭୂକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସୁିକିମ୍, ଭୁଟାନ୍, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା ।
ସେହିପରି ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ୬ବର୍ଷ ପୁରିବାକୁ ଯାଉଛି । ସେହି ପ୍ରଳୟର କଥା ମନେପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ ।
ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । ସେହିପରି ୧୯୯୯ ମସିହାରେ ମହାବିନାଶକାରୀ ମହାବାତ୍ୟା ଓ ୧୯୯୮ର ଅଂଶୁଘାତ ଜନିତ ପରିସ୍ଥିତିକୁ ଆମେ ଭୁଲିପାରିବା ନାହିଁ । ନିକଟରେ ଫୋନି ଭଳି ପ୍ରାକୃତିକ ବାତ୍ୟାର ପ୍ରକୋପକୁ ଆମେ ଅଙ୍ଗେ ନିଭେଇ ସାରିଛୁ । ପ୍ରକୃତିର ଏହି କ୍ରୁର ରୂପ କେତେବେଳେ କିଭଳି ଆକାର ଧାରଣକରିବ ତାହା ଆମ କଳ୍ପନାର ବାହାରେ । ପ୍ରତି ମୁହୂର୍ତ୍ତରେ ମହାପ୍ରଳୟର ଆଶଙ୍କାରେ ଆମେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏପରି ହୋଇଛି ଯେ ସାମାନ୍ୟ ଟିକେ ପବନ ହେଲେ ମହାବାତ୍ୟା ଓ ଲଘୁଚାପ ସୃଷ୍ଟି ହେଲେ ସୁନାମି ଆସିବାର ଆଶଙ୍କା ଲୋକଙ୍କ ମନରେ କୋକୁଆ ଭାୟ ସୃଷ୍ଟି କରୁଛି । ଜଙ୍ଗଲ ଧ୍ୱଂସ ହିଁ ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି । ନିକଟରେ ଉତ୍ତରାଖଣ୍ଡରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ମୂଳକାରଣ ହେଉଛି ଏହି ଜଙ୍ଗଲ ଧ୍ୱଂସ ।
ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପରୁ କିପରି ରକ୍ଷା ମିଳିବ ସେ ନେଇ ରାଜ୍ୟ ସକାରଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି । ଏସ୍ଆର୍ସି ପ୍ରଦୀପ କୁମାର ଜେନା ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ରାଜ୍ୟସାରା ଜାରି ରହିଥିବା ହିଟ୍ୱେଭ୍କୁ ପ୍ରତିହତ ପାଇଁ ସଚେତନତା କରାଯିବ । ବିଶେଷକରି ଜଳାଭାବ ଦୂର କରିବାକୁ ଚିଠିରେ ଉଲ୍ଲେଖ ଅଛି । ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଥିବ ତାକୁ ଦୂର କରିବା ସହ ଗାଁ ଗଣ୍ଡାରେ ଥିବା ନଳକୂପ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ସେହିପରି ସ୍କୁଲ, କଲେଜ ଖୋଲାଯାଉଥିବାରୁ ପାନୀୟ ଜଳ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସ୍କୁଲ, କଲେଜକୁ ପ୍ରଚୁର ପରିମାଣରେ ଓଆର୍ଏସ୍ ପହଞ୍ଚାଯିବ ବୋଲି ସମ୍ପୃକ୍ତ ଚିଠିରେ ଉଲ୍ଲେଖ ରହିଛି । ସେହିପରି ବୁଲା ଜୀବଜନ୍ତୁଙ୍କ ପାଇଁ ବାହାରେ ପାଣି ରଖିବାକୁ ପରାମର୍ଶ ଦିଆଯାଇଛି । ଫେବୃଆରୀରୁ ତ ଏମିତି ଅବସ୍ଥା । ମେ,ଜୁନ୍ ଆଡକୁ ତାତି କିଭଳି ଅସହ୍ୟ ହେବ ତାହା ଜଳ ଜଳ ହୋଇ ଦେଖାଗଲାଣି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ତାତିରୁ ଆଶ୍ୱସ୍ତି ମିଳିବକି ନାହିଁ ସେ ନେଇ ଅନିଶ୍ଚିତତା ଦେଖାଦେଇଛି ।