ରାଜଧାନୀ ଭୁବନେଶ୍ୱର ୭୩ ବର୍ଷର ରେକର୍ଡ ଭାଙ୍ଗିଲା ତାତି : ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର , ୨୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ , ଅପରାହ୍ଣରେ କାଳବୈଶାଖୀ
ଭୁବନେଶ୍ୱର : ଭୁବନେଶ୍ୱର ରାଜଧାନୀ ହେବା ପରଠୁ ମାର୍ଚ୍ଚ ମାସରେ ଏଭଳି ତାତି କେବେ ଅନୁଭବ କରିନଥିଲା। ୭୩ବର୍ଷ ଭିତରେ ପାରଦ କେବେ ଏତେ ଉପରମୁହାଁ ହୋଇନଥିଲା। ଆଜି ରାଜଧାନୀ ତାତି ସବୁ ରେକର୍ଡ ଭାଙ୍ଗି ୪୪.୨ଡିଗ୍ରି ଛୁଇଁଛି। ଭାରତୀୟ ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ୧୯୪୮ ମସିହାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦିନଠାରୁ ଭୁବନେଶ୍ବରରେ ପାରଦ ମାର୍ଚ୍ଚ ମାସରେ ଆଜି ସବୁଠୁ ଅଧିକ ରହିଛି। ଏହା ପୂର୍ବରୁ ୨୧ ମାର୍ଚ୍ଚ ୨୦୧୬ରେ ଭୁବନେଶ୍ବରରେ ୪୨.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା।
ଖାଲି ଭୁବନେଶ୍ବର ନୁହେଁ; ଏବେ ପ୍ରବଳ ଖରାରେ ସାରା ଓଡ଼ିଶା ଜଳୁଛି। ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁଦିନ ଉତ୍ତର ଓଡ଼ିଶାରେ ତାତି ରେକର୍ଡ ଭାଙ୍ଗୁଛି ତ କେଉଁଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ। ଗତକାଲି ଉତ୍ତର ଓଡ଼ିଶାର ବାରିପଦାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ଼ ହୋଇଥିବା ବେଳେ ଆଜି ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି। କେବଳ ଏତିକି ନୁହେଁ, ଭୁବନେଶ୍ବର ଆଜି ବିଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୮ଟି ସ୍ଥାନରେ ପାରଦ ୪୦ ଡିଗ୍ରି ଉପରେ ଥିବାବେଳେ ତିନିଟି ସ୍ଥାନରେ ପାରଦ ୪୩ଡିଗ୍ରି ଉପରେ ଥିଲା।
ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବନି। କିଛି ସ୍ଥାନରେ ପାରଦ ୪୫ଡିଗ୍ରି ଟପିବାର ଆଶଙ୍କା ଅଛି। ୨୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ଆଶଙ୍କା କରାଯାଉଥିବାରୁ ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣଂ ଜାରି କରାଯାଇଛି। ଅର୍ଥାତ୍ ଏଠାରେ ପାରଦ ୪୦ଡିଗ୍ରି ଉପରେ ରହିବା ସହ ଅସହ୍ୟ ତାତି ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବା ସହ ରାଜ୍ୟବାସୀ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ସତର୍କ କରିଛି। ଏପ୍ରିଲ ୨ତାରିଖ ଅପରାହ୍ନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ଅଛି। ଲଗାତାର ଦୁଇ ଦିନ କାଳବୈଶାଖୀ ବର୍ଷା ହେବ। ଏହା ହେଲେ ୩ତାରିଖରୁ ତାତି କମିବ।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ମାଟିର ଆର୍ଦ୍ରତା କମ୍ ରହୁଛି। ଗତ ୪/୫ମାସ ହେଲା ଅଧିକାଂଶ ସ୍ଥାନରେ ବର୍ଷା ହୋଇନି। ଫଳରେ ସୂର୍ଯ୍ୟକିରଣ ଭୂପୃଷ୍ଠରେ ପଡ଼ିବା ପରେ ବିକିରଣ ହେଉଛି। ଯାହା ଅସହ୍ୟ ତାତି ସୃଷ୍ଟି କରୁଛି। ଏହାବାଦ୍ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହା ନିକଟବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁଁ ଏବେ ସମୁଦ୍ରରୁ ପବନ ସ୍ଥଳଭାଗକୁ ଆସୁନି। ଉତ୍ତର ପଶ୍ଚିମ ପବନ ସମୁଦ୍ର ଆଡ଼କୁ ବହୁଛି। ତେଣୁ ତତଲା ପବନ ସହ ଅଧିକ ଖରା ଉପକୂଳ ଓଡ଼ିଶାରେ ଅନୁଭୂତ ହେଉଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ବାଲେଶ୍ବରରେ ୪୩ଡିଗ୍ରି, ଚାନ୍ଦବାଲିରେ ୪୨.୬ଡିଗ୍ରି, କଟକରେ ୪୦.୬, ଅନୁଗୁଳରେ ୪୧.୭, ବାରିପଦାରେ ୪୩.୬, ଝାରସୁଗୁଡ଼ାରେ ୪୦.୫, ସମ୍ବଲପୁରରେ ୪୦.୮, ସୁନ୍ଦରଗଡ଼ରେ ୪୦.୫, ତାଳଚେରରେ ୪୨.୫, ଭବାନିପାଟଣାରେ ୪୧.୫, ବଲାଙ୍ଗୀରରେ ୪୧.୫, ଟିଟିଲାଗଡ଼ରେ ୪୧.୨, ମାଲକାନଗିରିରେ ୪୨, ସୋନପୁରରେ ୪୦.୮, ନୟାଗଡ଼ରେ ୪୧.୨, ବୌଦ୍ଧରେ ୪୨, ରାୟଗଡ଼ାରେ ୪୦.୧ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ବାରିପଦା ଦ୍ବିତୀୟ, ବାଲେଶ୍ବର ପଞ୍ଚମ
ଭୁବନେଶ୍ବର : ଭୁବନେଶ୍ବର ଆଜି ବିଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବିଦେଶୀ ପାଣିପାଗ ସଂସ୍ଥା ଓଜିମେଟ୍ ଏହି ସୂଚନା ଦେଇଛି। ରାଜଧାନୀରେ ଆଜି ୪୪.୨ଡିଗ୍ରି ତାତି ରେକର୍ଡ ହୋଇଥିବା ବେଳେ ସାରା ବିଶ୍ବରେ କୌଣସି ସ୍ଥାନରେ ବି ପାରଦ ୪୪ଡିଗ୍ରି ଉପରକୁ ଉଠିନି। ଭୁବନେଶ୍ବରର ତାତି ଓମାନର ଯୋବା, ସେନେଗାଲର ମାତମ୍, ମାଲିର କାୟେସ୍ ଭଳି ସହରକୁ ପଛରେ ପକାଇଦେଇଛି।
ଅନ୍ୟପକ୍ଷରେ ମଙ୍ଗଳବାର ବିଶ୍ବର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବାରିପଦା ଆଜି ୪୩.୬ ଡିଗ୍ରି ତାତି ସହ ଦ୍ବିତୀୟ ସ୍ଥାନରେ ରହିଛି। ୪୩ଡିଗ୍ରି ସହ ବାଲେଶ୍ବର ବିଶ୍ବର ୫ମ ସ୍ଥାନରେ ଥିବା ବେଳେ ୪୨.୬ ଡିଗ୍ରି ରେକର୍ଡ ହୋଇଥିବା ଚାନ୍ଦବାଲି ୧୨ତମ ଉତ୍ତପ୍ତ ସହର ପାଲଟିଛି।
Comments are closed.