ପ୍ରଫେସର ଡାକ୍ତର ମଦନ ମୋହନ ସାହୁ (ପ୍ରଫେସର, ଅସ୍ଥିଶଲ୍ୟ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ) : ଖାଇବା ପିଇବା ଠିକ୍ ହେଉଛି । ଠିକ୍ ରେଷ୍ଟ ବି ନେଉଛନ୍ତି, ବ୍ୟାୟାମ ପାଇଁ ସଠିକ ସମୟ ମଧ୍ୟ ଦେଉଛନ୍ତି, ପୁଣି ଏତେ ସମସ୍ୟା କ’ଣ ପାଇଁ ? ବେକ ଆଉ କାନ୍ଧରେ ଏତେ ଯନ୍ତ୍ରଣା । ଏଥିପାଇଁ ଆଉ ଆପଣ ବ୍ୟବହାର କରୁଥିବା ବ୍ୟାଗ ଦାୟୀ ନୁହେଁ ତ ? ଏଇ ନିକଟରେ ସେଲିବ୍ରିଟି ଭିକ୍ଟୋରିଆ ବେକ୍ହାମ ଓରଫ୍ ପୋସ୍ ସ୍କାନର ଅଧୀନରେ ଆସିଥିଲେ । ଏହାର କାରଣ ସେ ବ୍ୟବହାର କରୁଥିବା ବ୍ୟାଗ୍ ଷ୍ଟାଇଲ ପାଇଁ ତାଙ୍କ ବେକ ଏବଂ କାନ୍ଧରେ ପ୍ରଚୁର ଯନ୍ତ୍ରଣା ହେଲା । ଏବେକାର ବ୍ୟାଗ ଟ୍ରେଣ୍ଡି ଷ୍ଟାଇଲର ଦେଖିବାକୁ ଖୁବ୍ ଗ୍ଲାମରସ୍ ହେଲେ ମଧ୍ୟ ନାନାଦି ସ୍ୱାସ୍ଥ୍ୟ ସମସ୍ୟା ଆଣିଦେଉଛି । ଏହି ଭିନ୍ନ ଡିଜାଇନର ବ୍ୟାଗ ଏବଂ ଭିନ୍ନ ଷ୍ଟାଇଲରେ ଏହାର ବ୍ୟବହାର ହେତୁ ମାଂସପେଶୀ ଏବଂ ହାଡ଼ ଉପରେ ଏହାର ଖୁବ୍ ଖରାପ ପ୍ରଭାବ ପଡ଼ୁଛି । ଏ ପ୍ରକାର ନୂଆ ସ୍ୱାସ୍ଥ୍ୟ ସମସ୍ୟାକୁ କୁହାଯାଉଛି “ପସ୍ହିଟିସ୍’ ଯାହାର ଅର୍ଥ ମାଂସପେଶୀ ଏବଂ ପେଶୀକୁ ହାଡ଼ ସଙ୍ଗେ ସଂଯୋଗ କରୁଥିବା ପେଶୀରଜ୍ଜୁରେ ସାଂଘାତିକ କ୍ଷତି । ରୋଗର ଏକମାତ୍ର କାରଣ ହେଉଛି ଓଜନଦାର ବ୍ୟାଗ ବୋହିବା । ଏବେ ଚିକିତ୍ସକମାନେ ମହିଳାମାନଙ୍କର ଏହି ବ୍ୟାଗ୍ପକା ଷ୍ଟାଇଲ ଉପରେ ସତର୍କ ସୂଚନା ଦେବା ଆରମ୍ଭ କଲେଣି ।
ଅଧିକାଂଶ ଏହାକୁ ଏତେ ଧ୍ୟାନ ଦେଉନଥିଲେ ବି ପ୍ରକୃତରେ ବ୍ୟାଗ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଆମେ ଅଧିକ ସମୟରେ ଆମ କ୍ଷମତା ଠାରୁ ଅଧିକ ଓଜନର ବ୍ୟାଗ ବୋହିଥାଉ ଯାହାଫଳରେ ବ୍ୟାକ୍ପେନ୍ ଠାରୁ ଆରମ୍ଭ କରି ମେରୁହାଡ଼ ଉପରେ ପ୍ରଭାବ ପଡ଼ିବା ପରି ସମସ୍ୟା ସୃଷ୍ଟି ହେଲାଣି । ଏହାକୁ ସାଇଲେଣ୍ଟ କିଲର୍ ବି କୁହାଯାଉଛି । ଦିନକୁ ଦିନ ଟ୍ରାଭେଲିଙ୍ଗ ବଢ଼ିବା ସହିତ ଲାଇଫ୍ଷ୍ଟାଇଲ ମଧ୍ୟ ବଦଳୁଛି । ତେଣୁ ନାନାଦି ସମସ୍ୟା ଦେଖାଦେଉଛି । ଏହାଦ୍ୱାରା ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଯୁବଗୋଷ୍ଠୀ । ବେଙ୍ଗାଲୁରର ରିକୋପ୍ ନୁ୍ୟରୋମସ୍କୁ ଲୋସ୍କେଲିଟାଲ୍ ରିହାବିଲିଟେସନ୍ ସେଣ୍ଟର ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ, ସ୍କୁଲ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବ୍ୟାକ୍ପେନ୍ ବୃଦ୍ଧି ପାଇଲାଣି । କାରଣ ହେଉଛି ସେମାନଙ୍କର ଅତି ଓଜନିଆ ବ୍ୟାଗ୍ ।
ହ୍ୟାଣ୍ଡବ୍ୟାଗ୍ ଏବଂ ଏହାର ସ୍ୱାସ୍ଥ୍ୟ ସମସ୍ୟା : ଦିନକୁ ଦିନ ମହିଳାମାନେ ସେମାନଙ୍କ ବ୍ୟାଗରେ ଅଧିକରୁ ଅଧିକ ଜିନିଷ ବୋହୁଛନ୍ତି ଏଇ ଯେମିତି ଆଇପଡ଼, ସେଲ୍ଫୋନ୍, ଡିଜିଟାଲ କ୍ୟାମେରା । ଯାହାଦ୍ୱାରା ହ୍ୟାଣ୍ଡବ୍ୟାଗ ବୋହିବାର ଡିମାଣ୍ଡ ବଢ଼ୁଛି । ତେଣୁ ଖୁବ୍ ସଂଖ୍ୟକ ମହିଳା ବେକ ଆଉ ବ୍ୟାକ୍ପେନ୍ରେ ଆକ୍ରାନ୍ତ ହେଉଛନ୍ତି ।
କାନ୍ଧ : ଶରୀରର ଗୋଟିଏ ପାଖରେ ଓଜନିଆ ବ୍ୟାଗ ଏବଂ ପର୍ସ ବୋହିବା ଦ୍ୱାରା ଗଠନରେ ଅସନ୍ତୁଳନ ସୃଷ୍ଟି ହେଉଛି । ଅଧିକ ସମୟ ଯାଏ ବ୍ୟାଗ ଗୋଟିଏ ପଟ କାନ୍ଧରେ ପକାଇବା ଦ୍ୱାରା ଏହା ବେକରେ ଥିବା ମାଂସପେଶୀ ଏବଂ ହାଡ଼ରେ ଅତ୍ୟଧିକ ଚାପ ସୃଷ୍ଟି କରିଥାଏ । ଯଦି ସଠିକ୍ ସମୟରେ ଯତ୍ନ ନିଆନଯାଏ ତେବେ ଆର୍ଥ୍ରାଇଟିସ୍ ପରି ସମସ୍ୟା ବାହାରିଯାଇପାରେ । ଭାରି ବ୍ୟାଗ ଦ୍ୱାରା କେବଳ ବେକ, କାନ୍ଧ ଏବଂ ବ୍ୟାକ୍ପେନ୍ ହୋଇନଥାଏ – ଏହାଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ ଏବଂ ଆର୍ଥ୍ରାଇଟିସ୍ (ଆଣ୍ଠୁଗଣ୍ଠି ରୋଗ)କୁ ମଧ୍ୟ ବଢ଼ାଇଦେଇପାରେ ।
ବ୍ୟାକ୍ପେନ୍ : ସୁନ୍ଦର ବ୍ୟାଗକୁ ସୁନ୍ଦର ଢ଼ଙ୍ଗରେ ପକାଇବା ଭିତରେ କେତେବେଳେ ଯେ ଶରୀରର ଗଠନରେ ଅସନ୍ତୁଳନ ସୃଷ୍ଟି ହୋଇଯିବ ତାହା ଜାଣିହେବ ନାହିଁ । ପୂର୍ବରୁ କୌଣସି ସୂଚନା ବି ମିଳିନଥିବ । ତେବେ ନିୟମିତ ଭାବେ ୨କେଜି ଓଜନର ବ୍ୟାଗ ବୋହିବା ଦ୍ୱାରା ମାଂସପେଶୀ ଏବଂ ମେରୁଦଣ୍ଡ ଯନ୍ତ୍ରଣା ହୋଇଥାଏ ।
ବେକରେ ବିନ୍ଧା : ଆମେ ଯେତେବେଳେ ଓଜନଦାର ବ୍ୟାଗ ବୋହିଥାଉ ସେତେବେଳେ ଆମ ବେକ ଉପରେ ବି ଯଥେଷ୍ଟ ଚାପ ପଡ଼ିଥାଏ । ଯେଉଁ ପଟରେ ବ୍ୟାଗ ପକାଇଥିବେ ସେଇ ପାଖରେ ତ ଯନ୍ତ୍ରଣା ବେହ ତା ସାଙ୍ଗକୁ ଅପରପାଶ୍ୱର୍ରେ ମଧ୍ୟ ସମସ୍ୟା ସୃଷ୍ଟି କରିବ । ବେକରେ ଥିବା ଶିରାଗୁଡ଼ିକ ଏହାଦ୍ୱାରା ଦୁର୍ବଳ ହୋଇଯାଇପାରନ୍ତି । ଫଳରେ ଅଧିକାଂଶ ସମୟ ବେକ ବିନ୍ଧାହେବ ।
ଗୋଡ଼ ଯନ୍ତ୍ରଣା : କିଛି ବୋଝ ନଥାଇ ଚାଲିଲେ ତ ଜଣେ ପୂରା ଆରାମରେ ଚାଲିପାରିବେ । କିନ୍ତୁ ହାତରେ ଯଦି କିଛି ଭାରି ଜିନିଷ ଧରିଥାନ୍ତି ତେବେ ତାହାର ପ୍ରଭାବ ଚାଲି ଉପରେ ନିଶ୍ଚୟ ପଡ଼ିବ । ଏହାଦ୍ୱାରା ଗୋଡ଼ରେ ଥିବା ଗଣ୍ଠି ଜାଗାମାନଙ୍କରେ ଭାରି ଖରାପ ପ୍ରଭାବ ପଡ଼ିଥାଏ । ଆଣ୍ଠୁ ଉପରେ ଯଦି ବେଶୀ ଚାପ ପଡ଼ିଲା ତ ଆର୍ଥ୍ରାଇଟିସ୍ ସମସ୍ୟା ବାହାରିବା ଟା ଥୟ ।
ତେବେ ଭାରି ବ୍ୟାଗ ବହନ କରିବାର ଏକ ସାଧାରଣ ସାଇଡ଼ଇଫେକ୍ଟ ହେଉଛି ଦୁଇ କାନ୍ଧ ମଧ୍ୟରେ ସମାନତା ରହିବନି । ଗୋଟିଏ କାନ୍ଧ ଉପରକୁ ଉଠିଯିବ ନିଶ୍ଚୟ । ଛୋଟ ପିଲାମାନଙ୍କ କ୍ଷେତ୍ରରେ ଏଥିରେ ଲୋୟର ବ୍ୟାକ୍ପେନ୍ ବୃଦ୍ଧି ପାଉଛି ଯାହାକୁ ସମ୍ଭାଳିବା ଅତୀବ କଷ୍ଟଦାୟକ ।
ହ୍ୟାଣ୍ଡପର୍ସ : ହ୍ୟାଣ୍ଡପର୍ସ ମଧ୍ୟ ବେଶୀ ଓଜନ ହେଲେ ସେହି ସମାନ ସମସ୍ୟାରେ ଆକ୍ରାନ୍ତ କରେ । ଏହାଦ୍ୱାରା ମଧ୍ୟ ବ୍ୟାକ୍ପେନ୍, ବେକବିନ୍ଧା, କହୁଣି ବିନ୍ଧା ଏବଂ ମୁଣ୍ଡ ବିନ୍ଧା ହୋଇଥାଏ । ନିୟମିତ ଭାବେ ବେଶୀ ଓଜନର ହ୍ୟାଣ୍ଡପର୍ସ ବ୍ୟବହାର କଲେ ଏହାଦ୍ୱାରା କାନ୍ଧ ଯନ୍ତ୍ରଣା ଲାଗିରହିବା ହିଁ ସାର ହେବ ।
ଧ୍ୟାନ ଦିଅନ୍ତୁ : ପ୍ରଥମ କଥା ହେଉଛି ଗୋଟିଏ କାନ୍ଧ ଉପରେ ସବୁଯାକ ଚାପ ଲଦିବା ଉଚିତ ନୁହେଁ । ଏହାଦ୍ୱାରା ବେକ ଏବଂ କାନ୍ଧ ମଧ୍ୟରେ ଓଜନର ଅସନ୍ତୁଳନ ବଣ୍ଟନ ହୋଇଥାଏ । ତେଣୁ ୧ରୁ ୧.୮ କେ.ଜି. ଓଜନର ବ୍ୟାଗ ବୋହିବା ପର୍ଯ୍ୟନ୍ତ ଠିକ୍ ଅଚି । ୧.୫ କେ.ଜି. ହେଲେ ଚଳନୀୟ, କିନ୍ତୁ ୟାଠାରୁ ଅଧିକ ଓଜନର ବ୍ୟାଗ ଆଦୌ ବୋହିବା ଉଚିତ ନୁହେଁ । ନିଜ ଶରୀରର ଆକାର ଏବଂ କ୍ଷମତାକୁ ଦୃଷ୍ଟିରେ ରଖି ବ୍ୟାଗ ବାଛନ୍ତୁ । ଏମିତି ବ୍ୟାଗ ଦେଖନ୍ତୁ ଯେଉଁଥିରେ ଏକାଧିକ ପକେଟ ଥିବ । ଯାହାଫଳରେ ଜିନିଷଗୁଡ଼ିକ ଗୋଟିଏ ଜାଗାରେ ନରହି ଖେଳେଇ ହୋଇ ରହିବ । ଫଳରେ ଓଜନ ଗୋଟିଏ ଜାଗାରେ ରହିବନି । ଚଉଡା ଷ୍ଟ୍ରିପ୍ ଥିବା ବ୍ୟାଗ ବ୍ୟବହାର କରିବା କାନ୍ଧ ପାଇଁ ଖୁବ୍ ଭଲ ।
ବ୍ୟାଗଟିକୁ କେବଳ ଗୋଟିଏ କାନ୍ଧରେ ନପକାଇ ପ୍ରତି ପାଞ୍ଚ ମିନିଟରେ ଥରେ ଏପଟସେପଟ କରନ୍ତୁ । ଯଦି ଲ୍ୟାପ୍ଟପ୍ ବହନ କରୁଛନ୍ତି ତେବେ ଭଲ ହେବ ଆପଣ ପ୍ୟାଡ଼େଡ଼ ବ୍ୟାକ୍କୁ ଥିବା ବ୍ୟାକ୍ପ୍ୟାକ୍ ବ୍ୟବହାର କରନ୍ତୁ । ଏପରିସ୍ଥଳେ ସ୍ଲିଙ୍ଗ ଷ୍ଟାଇଲକୁ ଆଭଏଡ଼ କରିବା ଉଚିତ । ବ୍ୟାକ୍ପ୍ୟାକ୍ର ଓଜନ ଶରୀର ଓଜନର ୧୦-୧୫ ପ୍ରତିଶତ ଭିତରେ ରହିବା ଦରକାର । ଏସବୁ ସମସ୍ୟାରୁ ମୁକୁଳିବାର ସବୁଠାରୁ ସହଜ ଉପାୟ ହେଉଛି ଯୋଗ । ଏହାଦ୍ୱାରା ଯେ କୌଣସି ରୋଗକୁ ଶରୀରକୁ ଅତି କମ୍ ସମୟରେ ଆରୋଗ୍ୟ ମିଳିଥାଏ । ଏକ ଭଲ ରୁଟିନ୍ର ଜୀବନ ବିତାନ୍ତୁ । ଖାଦ୍ୟପେୟ ଓ ବିଶ୍ରାମର ସନ୍ତୁଳନ ରଖନ୍ତୁ । ଦେହର କୌଣସି ଯନ୍ତ୍ରଣା ପାଇଁ ମନଇଛା ପେନ୍କିଲର ଖାଆନ୍ତୁ ନାହିଁ । ସମସ୍ୟା ଥିଲେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
Comments are closed.