ହାଟଡ଼ିହି : ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଯେଉଁ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ୫୦ରୁ ଉର୍ଦ୍ଧ ସେହି ଜିଲ୍ଲାମାନଙ୍କରେ ଜୁଲାଇ ମାସର ଶନିବାର ଓ ରବିବାର ଦୁଇଦିନ ପାଇଁ ସର୍ଟଡାଉନ ନିୟମ ଲାଗୁ କରାଯାଇଛି । ସେହି ଅନୁସାରେ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ୫୦ରୁ ଉର୍ଦ୍ଧ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସର ପ୍ରତ୍ୟେକ ଶନି ଓ ରବିବାର ଦୁଇଦିନିଆ ସର୍ଟଡାଉନ ନିଷ୍ପତିକୁ କାର୍ଯ୍ୟକାରୀ କରାଯାଉଛି । ଲକଡାଉନ ନିୟମକୁ ଲୋକମାନେ ମାନୁ ନଥିବାରୁ ଓ ସାମାଜିକ ଦୁରତାରେ ରହୁ ନଥିବାବେଳେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ଦିନର ସର୍ଟଡାଉନକୁ ପୁର୍ଣ୍ଣ ଜନସମର୍ଥନ ମିଳିଛି । ରାସ୍ତାଘାଟ ଆଜି ଜନଶୁନ୍ୟ ହୋଇପଡିଥିଲା ।
ଛକ ବଜାର ମାନଙ୍କରେ କେବଳ ଔଷଧ, ପେଟ୍ରୋଲ ପମ୍ପ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡିଦେଲେ ପ୍ରାୟତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ବ୍ଲକର ଛେନାପଦି ବଜାରରେ ପ୍ରତିଦିନ ସକାଳୁ ସକାଳୁ ହଜାର ହଜାର ପରିବାଚାଷୀ, ବ୍ୟବସାୟୀ ଓ କ୍ରେତାଙ୍କ ଗହଳି ଲାଗୁଥିବାବେଳେ ଆଜି ଜଣେବି ପରିବା ବ୍ୟବସାୟୀ, ଚାଷୀ କିମ୍ବା କ୍ରେତାଙ୍କୁ ଦେଖିବାକୁ ମିଳିନଥିଲା । ସେହିପରି ହାଟଡିହି, ମରୈଗାଁ, ଶାଳଣିଆଁ, କଳିଗାଁ, ଓରାଳି, ସଢ଼ା, ଢ଼େଙ୍କା, ବିଦ୍ୟାଧରପୁର ଆଦି ବଜାର ଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଥିବାବେଳେ ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା । ଆନନ୍ଦପୁର ଭଦ୍ରକ ରାସ୍ତାରେ ବସ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ଥିବବେଳେ ମାତ୍ର ଅଳ୍ପ କିଛି ପରିମାଣର ଗାଡି ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଅନେକ ସ୍ଥାନରେ ସର୍ଟଡଡାଉନ ଯୋଗୁଁ ବାହାଘର ଭୋଜିଭାତକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।