ହାଟଡ଼ିହି : ହାଟଡିହି ବ୍ଲକ ସୋସୋ ପଞ୍ଚାୟତର ବେଲମଳା ଗ୍ରାମରେ ମନରେଗା ଯୋଜନାରେ ଖେଳପଡିଆ ଉନ୍ନତି କରଣ କାର୍ଯ୍ୟରେ ଶ୍ରମିକଙ୍କ ବଦଳରେ ମେସିନିରେ କାମ କରିବାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାର୍ଯ୍ୟ କରାଯାଉଥିବାବେଳେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ମେସିନି ଓ ଟ୍ରାକ୍ଟର ଯୋଗେ ମାଟି ବୁହାଯାଇ ପକାଯାଉଛି । ବର୍ତ୍ତମାନ ସମୟରେ କୋଭିଡ-୧୯ ପାଇଁ ପ୍ରବାସୀ ଓଡିଆ ଶ୍ରମିକ ମାନେ ବାହାର ରାଜ୍ୟରୁ ଘରକୁ ପଳାଇ ଆସି ବେକାର ହୋଇ ବସିରହିଛନ୍ତି । ସେଥିପାଇଁ ସରକାର ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ କିପରି ଅଧିକରୁ ଅଧିକ କାର୍ଯ୍ୟ ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଠାରେ ତାହାର ଖୁଲାମଖୁଲା ଉଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି ।
ସରକାର ଏବେ ମଜୁରୀ ବାବଦରେ ୨୦୭ଟଙ୍କା ଯୋଗାଇ ଦେଉଥିବାବେଳେ ବାସ୍ତବ କ୍ଷେତ୍ରରେ ଶ୍ରମିକ ମାନଙ୍କ ପାଇଁ ଏହା କମ ହୋଇଥିବାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଅଧିକ ୯୧ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ତଥାପି କିଛି ଦୁର୍ନିତିଗ୍ରସ୍ଥ କର୍ମଚାରୀ ଅଧିକାରୀ ମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହି ଏପରି କାମକୁ ପ୍ରୋତ୍ସାହିତ କରୁଛନ୍ତି । ଶ୍ରମିକ ମାନଙ୍କୁ ନଜଣାଇ କିଛି ହାତଗଣତି ଲୋକଙ୍କ ଠାରୁ ଜବକାର୍ଡ ସଂଗ୍ରହ କରିନେଇ ମେସିନିରେ କାମ କରିବାପରେ ମଷ୍ଟର ରୋଲ ଚଢ଼ାଯିବାର ଚକ୍ରାନ୍ତ କରିଛନ୍ତି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଫଳରେ ସରକାରଙ୍କ ଏହି ଯୋଜନା ଏଠାରେ ଦିଗହରା ହୋଇ ପଡିଛି । ଏ ସମ୍ପର୍କରେ ସୋସୋ ପଞ୍ଚାୟତର ଜିଆରଏସ ସତ୍ୟେନ୍ଦ୍ର ପାଗଳଙ୍କୁ ପଚାରିବାରେ ସେ ଗତକାଲି କାମ ହୋଇଛି ବୋଲି ଶୁଣିଛନ୍ତି, କିନ୍ତୁ କିପରି ହୋଇଛି ଜାଣି ନାହାନ୍ତି ବୋଲି ସଫେଇ ଦେଇଛନ୍ତି । ଜିଲ୍ଲା ପ୍ରଶାରସନ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି ହେଉଛି ।