କଣ୍ଟାପଡ଼ା : ଅଡ଼ଶପୁର ସାପ୍ତାହିକ ହାଟ ଯୋଗୁଁ ଲୋକେ ହଟହଟା ହେବାରେ ଲାଗିଛନ୍ତି । ବିଶେଷ କରି ଯାତ୍ରୀମାନେ ଏହି ସମୟରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଯାଉଛି । ସରକାରଙ୍କ କୋଭିଡ଼-୧୯ ନିୟମ ଅନୁସାରେ ସାପ୍ତାହିକ ହାଟକସ୍ନିକଟବର୍ତ୍ତୀ ଖୋଲା ସ୍ଥାନକୁ ଉଠାିନିଆଯାଇଥିଲା । ମାତ୍ର ବ୍ୟବସାୟୀମାନେ ସେଠାକୁ ନଯାଇ ରାସ୍ତା ପାଶ୍ୱର୍ରେ ପରିବା ବିକ୍ରୟ କରୁଥିବାରୁ ଏହାଦ୍ୱାରା ଗ୍ରାହକଙ୍କ ଗହଳି ହୋଇ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି । ଓଲଯପୁର ଥାନା ଅନ୍ତର୍ଗତ ଅଡ଼ଶପୁର ସାପ୍ତାହିକ ହାଟ ସମ୍ପୃକ୍ତ ଅଞ୍ଚଳର ବୃହତ୍ତମ ପରିବା ବଜାରଭାବେ ଜଣାଯାଏ । ଏହା ଉପରେ ନିକଟବର୍ତ୍ତୀ ଅଞ୍ଚଳର ୨୦ରୁ ଅଧିକ ଗ୍ରାମବାସୀ, କୃଷକ ଓ ଜନସାଧାରଣ ପ୍ରତ୍ୟକ୍ଷଭାବେ ନିର୍ଭରଶୀଳ । ତେବେ ସପ୍ତାହର ପ୍ରତି ସୋମ ଓ ଶୁକ୍ରବାର ହାଟ ପାଳିରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ ।
ଫୁଲନଖରା-ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ ପାଶ୍ୱର୍ରେ ଚାଲୁଥିବା ଏହି ହାଟ ଯୋଗୁଁ ନାହିଁନଥିବା ସମସ୍ୟା ସୃଷ୍ଟି ହୁଏ । ଟ୍ରାଫିକ ଜାମ ଯୋଗୁଁ ଘଣ୍ଟା ଘଣ୍ଟା ଧରି ରାସ୍ତା ବନ୍ଦ ହେବା ସହିତ ଯାତ୍ରୀମାନେ ଅସୁବିଧାରେ ପଡ଼ନ୍ତି । ଥାନା ପକ୍ଷରୁ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଗଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇପାରେନାହିଁ । ସମ୍ପୃକ୍ତ ବ୍ୟବସାୟୀ ଓ ହାଟକୁ ବରାହୀପୁର ଖେଳ ପଡ଼ିଆକୁ ସ୍ତାନାନ୍ତର କଲେ ପରିସ୍ଥିତିରେ ସୁଧାର ଆସନ୍ତାବୋଲି ଅନେକ ମତ ବ୍ୟକ୍ତ କରିଛନ୍ତି । ତେବେ କରୋନା ଆଳରେ ସଂଖ୍ୟାଧିକ ବ୍ୟବସାୟୀ ରାଜ୍ୟ ରାଜପଥକୁ ଅବରୋଧ କରିବାରୁ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତା’ର ମୁକାବିଲ ପାଇଁ ପ୍ରଶାସନିକ ଅଧିକାରୀ ଓ ଥାନା ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।
