ଲଗାଣ ବର୍ଷାରେ ହିରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ : ହଜାରେ ହଜାରେ ହେକ୍ଟର ଚାଷ ଜମି ଜଲମଗ୍ନ , ପରିଦର୍ଶନରେ ତହସିଲିଦାର ଓ ରାଜସ୍ୱନିରୀକ୍ଷକ
ନିରାକାରପୁର,୨୬/୮: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଞ୍ଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ରାସ୍ତାରେ ଆଣ୍ଠୁଏ ପାଣି ଅତିକ୍ରମ କରୁଥିଲେ ବି ଆଜି ଦିନବେଳା ଲୋକେ ସେଥିରେ ଯାତାୟତ କରିପାରୁଥିବାରୁ ପରିସ୍ଥିତ ସେହିପରି କିଛି ଜଟିଳ ହୋଇନାହିଁ ।
ଏହି ପଞ୍ଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ନରଣଗଡ଼ ପଞ୍ଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି । ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଞ୍ଚରେ ବନ୍ୟା ସୃଷ୍ଟି କରୁଛି । ବନ୍ୟାଜଳ ଚାଷ ଜମିରେ ରହିଥିବାବେଳେ ଆହୁରି ଯଦି ଏହି ପରିସ୍ଥିତ ଲାଗି ରହେ ତେବେ ଧାନ ଫସଲ ପଚି ନଷ୍ଟ ହୋଇ ଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।
ଏହି ସବୁ ଅଞ୍ଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ । ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି । ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଏକ ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି ।ଘଟଣା ସ୍ଥଳ ଖୋର୍ଦ୍ଧା ତହସିଲିଦାର ଏବଂ ରାଜସ୍ୱ ନିରୀକ୍ଷକ ପରିଦର୍ଶନ କରି ଲୋକମାନଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ ।ଲୋକମାନଙ୍କ କହିବା ଅନୁଯାଇ ଗୃହପାଳିତ ପଶୁ ଆଜକୁ ଦୀର୍ଘ ୪ଦିନ ହେବ ଉପବାସରେ ଦିନ କାଟୁଛନ୍ତି ।ପ୍ରଶାସନ ତରଫରୁ ଗୋଖାଦ୍ୟ ପାଇଁ କିଛି ବ୍ୟବସ୍ଥା କରାଯାଉନାହିଁ ।ଯାହାଫଳରେ ଭୋକ ଉପାସରେ ଗୃହପାଳିତ ପଶୁ ମାନେ ଦିନ କାଟୁଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇଦିଆଯାଇଥିବା ମୋଟର ଚାଳିତ ବୋଟରେ ପ୍ରର୍ଯ୍ୟପ୍ତ ପରିମାଣରେ ପ୍ରେଟୋଲ ଯୋଗାଇ ଦିଆଯାଇନଥିବାରୁ ମୋଟର ବୋଟ କିଛି ସମୟ ପାଇଁ ବନ୍ଦ ରହିଥିଲା ।
