Odisha news

ସୁଖ ଦୁଃଖ

0

ସୁଧାଂଶୁ ଶେଖର ଦ୍ବିବେଦୀ : ଯେତେବେଳେ ରାତିରେ ଆମକୁ ଭୟଲାଗେ ଆମେ ଅନ୍ଧାରକୁ ଆଲୋକିତ କରିବା ପାଇଁ ଲାଇଟ ଜଳାଉ।ଆମର ଧ୍ୟାନ ପରିବର୍ତ୍ତିତ ହୋଇ ଅଦୃଶ୍ୟ ଭୟ ଅପେକ୍ଷା ଆଖ ପାଖ ଜିନିଷ ପ୍ରତି କେନ୍ଦ୍ରିତ ହୋଇଯାଏ।ଯାହାଫଳରେ ଆମେ ଭୟରୁ ମୁକ୍ତ ହୋଇଯାଉ।
ଭୟ ହେଉ ବା ଅନ୍ୟ କୌଣସି ସଙ୍କଟାପନ୍ନ ଅବସ୍ଥା ହେଉ ସେଇବେଳେ ଆମେମାନେ ଭଗବାନଙ୍କୁ ବହୁତ ମନେ ପକାଉ।କାରଣ ଆମର ପୂର୍ଣ୍ଣ ବିଶ୍ବାସ ଭଗବାନ ନିଶ୍ଚୟ ସହାୟତା କରିବେ।

କୌଣସି ସଙ୍କଟ ସମୟରେ ଆମେମାନେ ହନୁମାନ ଚାଳିଶା,ଗାୟତ୍ରୀ ମନ୍ତ୍ର,ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅବା ଧର୍ମଗ୍ରନ୍ଥରୁ ଯେକୌଣସି ମନ୍ତ୍ର ଇତ୍ୟାଦି ମନେମନେ ଜପ କରିଥାଉ।ବସ୍ତୁତଃ ଏହିପରି ପରିବର୍ତ୍ତିତ ଅବସ୍ଥାକୁ ଧ୍ୟାନର ବିଧି ବୋଲି କୁହାଯାଏ।ରାତି ହେଉ ବା ଦିନ ମନ ମଧ୍ୟରୁ ଭୟକୁ ଦୂର କରିବା ପାଇଁ ଏକମାତ୍ର ଉପାୟ ହେଉଛି ନିର୍ଦ୍ଧିଷ୍ଟ ବସ୍ତୁରୁ ମନକୁ ଅନ୍ୟତ୍ର ପରିବର୍ତ୍ତନ କରିବା।
ସେହିପରି ବ୍ୟାଧି ଅନ୍ୟ ଏକ ପ୍ରକାର ଭୟ।ମନକୁ ଯଦି ଗଭୀର ଭାବେ ବ୍ୟାଧି ପ୍ରତି କେନ୍ଦ୍ରିତ କରାଯାଏ ତାହେଲେ ଅବଶ୍ୟ ଶାରୀରିକ ପୀଡା ନିଶ୍ଚୟ ହେବ।କିନ୍ତୁ ସେଇ ଅବସ୍ଥାରେ ମନକୁ ଅନ୍ୟ ବସ୍ତୁ ପ୍ରତି ପରିବର୍ତ୍ତନ କରିଦେଲେ ଯନ୍ତ୍ରଣାରୁ ମୁକ୍ତ ହେବା ପାଇଁ ବେଶୀ ସମୟ ଲାଗେନାହିଁ।

ବ୍ୟାଧିର ଉପଚାର ନିମନ୍ତେ ଏହା ଅତ୍ୟନ୍ତ ସହାୟକ ହୁଏ।ବୋଧହୁଏ ସେଇଥିପାଇଁ ବ୍ୟାଧିଗ୍ରସ୍ଥ ଲୋକଙ୍କ ନିକଟକୁ ତାଙ୍କ ବନ୍ଧୁ ପରିଜନ ମାନେ ସୁଖ ଦୁଃଖ, ହସ ଖୁସି ହେବାଲାଗି ଆସି ଥାଆନ୍ତି ଏବଂ ତାଙ୍କ ମନକୁ ପରିବର୍ତ୍ତନ କରିବା ସକାଶେ ଅନେକ କିଛି ଉପାୟମାନ ପ୍ରୟାସ କରନ୍ତି। କେବେ କେବେ ଏମିତି ବି ହୁଏ ଏଭଳି କିଛି ସମସ୍ୟାକୁ ସମାଧାନ କରିବା ପାଇଁ ବ୍ୟକ୍ତି ବ୍ୟାଧିର ଯନ୍ତ୍ରଣାକୁ ଭୁଲି ଯାଆନ୍ତି।ସେଇବେଳେ ମନ ମଧ୍ୟରେ ଅସନ୍ତୁଳନ ସୃଷ୍ଟି ହୋଇ ଛୋଟ ଛୋଟ ବ୍ୟାଧି ସବୁ ଆପେ ଆପେ ଭଲ ହୋଇ ଯାଇଥାଏ ଓ ଜଟିଳ ସମସ୍ୟା ଛୋଟ ସମସ୍ୟାକୁ ସମାଧାନ କରିଦିଏ।ବାସ୍ତବିକ ଏହା ମନ ପରିବର୍ତ୍ତନର ରୂପାନ୍ତରଣ ପ୍ରକ୍ରିୟା ଦ୍ୱାରା ସମ୍ଭବ ହୋଇଥାଏ।

ମନକୁ ଦୁଃଖ ସ୍ଥାନରୁ ହଟେଇ ଅନ୍ୟତ୍ର ଲଗାଇଲେ ଦୁଃଖରୁ ମୁକ୍ତି ପାଇଁ ସହାୟତା ମିଳିବ, ଚିନ୍ତାରୁ ମୁକ୍ତ ହୋଇ ଉତ୍ତମ ମାର୍ଗ ଅବଲମ୍ବନ କରିହେବ।ତାହା ପୁଣି ଇଛା କରୁନଥିବା ସ୍ଥିତିରୁ ଦୂରେଇ ନେଇ ଅନ୍ୟତ୍ର କେନ୍ଦ୍ରିଭୂତ କରି ସମସ୍ୟାକୁ ସମାଧାନ କରିହେବ।
ପ୍ରଶ୍ନ ହେଉଛି ମନକୁ ଅନ୍ୟତ୍ର କୋଉଠି ଲଗାଇବା?

ପ୍ରକୃତରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରଶ୍ନ। ଯଦି ମନ କୌଣସି ଜଟିଳ ସମସ୍ୟା ବା ସେହିପରି ଅନ୍ୟ କୌଣସି ଚିନ୍ତା ପ୍ରତି କେନ୍ଦ୍ରିତ ହେଲା ତାହେଲେ ତାକୁ ପରିବର୍ତ୍ତନ କରି ଲାଭ କଣ ମିଳିବ?

ମନକୁ କୌଣସି ସୁଖଦ ସ୍ମୃତି ବା କଳ୍ପନାରେ ଲଗାଇଲେ ତାହା ଶ୍ରେୟସ୍କର ହୁଏ।ସୁଖର କଳ୍ପନା ସୁଖୀ ଜୀବନ, ଦୁଃଖର କଳ୍ପନା ଦୁଃଖୀ ଜୀବନ ହୋଇଥାଏ।ଧିରେ ଧିରେ ଏହି କଳ୍ପନା ବାସ୍ତବିକତାରେ ପରିବର୍ତ୍ତିତ ହୋଇ ସ୍ଥାୟୀ ସୁଖ ବା ଦୁଃଖ ହୋଇ ରହିଯାଏ। ସେଇ ମନ ଯେବେ ସୁଖଦ ସ୍ମୃତିରେ କେନ୍ଦ୍ରିତ ହୁଏ ସେତେ ବେଳେ ମାନସିକ ଅବସ୍ଥାରେ ଯେଉଁ ଆନନ୍ଦର ଅନୁଭୂତି ସୃଷ୍ଟି ହୁଏ ତାହାହିଁ ସୁସ୍ଥ ଜୀବନର ପରିଚୟ।ଠିକ ଏହି ଅବସ୍ଥାରେ ଆମ ଶରୀରରୁ ଉପକାରୀ ରାସାୟନିକ ଉତ୍ସର୍ଜନ ପ୍ରାରମ୍ଭ ହୁଏ। ଯାହା ଆମର ଉତ୍ତମ ସ୍ୱାସ୍ଥ୍ୟ ଓ ବ୍ୟାଧି ମୁକ୍ତ ପାଇଁ ଅନିବାର୍ଯ୍ୟ। ଅପିତୁ ଆମ କଳ୍ପନାକୁ ବାସ୍ତବତାରେ ପରିବର୍ତ୍ତନ କରି ମନ ଚାହୁଁଥିବା ସ୍ମୃତି ନିର୍ମାଣ ପାଇଁ ମଧ୍ୟ ସହାୟକ ହୁଏ।

Leave A Reply