ଇଂ. ବିଦ୍ୟାଧର ପଣ୍ଡା, ବି.ଟେକ୍. ସିଭିଲ୍, ଏମ୍.ଟେକ୍.(ପରିବେଶ), ଏଲ୍ଏଲ୍ବି : ଗାଣ୍ଡୁଅଜା ଦାଣ୍ଡପଟ ପିଣ୍ଡାଧାରରେ ବସି ପାକୁଆପାଟିକୁ ପାକୁଳି କଲାବେଳେ ଦେଖିଲା ଗାଁ’ମଝି କୋଠକୂଅ ସିମେଂଟବେଢାରେ ମଲ୍ଲୀମା’ ଚମ୍ପାମା’କୁ ତଳେପକେଇ ମାଡିବସିଲା । ତା’ବାଳକୁ ଝିଙ୍କି ମୁଥଉପରେ ମୁଥ ମାରିଚାଲିଲା । ଗାଁ’ମଝି କୋଠକୂଅରେ ମିଠାପାଣିର ଭଲଝର । ଚାରିସାହିଲୋକ ପିଇବା ପାଣି ନିଅନ୍ତି । ପ୍ରଥମେ ବ୍ରାହ୍ମଣସାହି, ତା’ପରେ ଚଷାସାହି ନେଲା ପରେ ଗୋପାଳସାହି । ସବାଶେଷରେ ଅନ୍ୟଜାତି ଓ ଗାଁ’ରେ ଭଡାଘରେ ରହୁଥିବା କିଛି ଭଡାଟିଆ ଲୋକମାନେ ଗରା ବାଲ୍ଟିରେ ପାଣିଭରନ୍ତି । ଏବେ ଚଷାସାହି ଲୋକମାନଙ୍କ ସମୟ । ମଲ୍ଲୀମା’ ଓ ଚମ୍ପାମା’ ଦୁହେଁ ଭଲ ସାଙ୍ଗ । ଜଣକୁ ନ ଦେଖିଲେ ଅନ୍ୟଜଣଙ୍କର ପାଣି ଗଳେନି ।
ହେଞ୍ଜେଡିଙ୍କ ପରି ଦୁହେଁ ହେଁହେଁ ଫେଁଫେଁ ଠେସାଠେସି ହୋଇ ଗରାକାଖେଇ ପାଣି ନେବାକୁ ଆସି କୂଅବେଢାରେ ନିଜନିଜର ଶାଶୂମା ବିଷୟରେ ଦିପଦ କଥା ନହେଲେ ତା’ଙ୍କର ଭାତ ହଜମ ହୁଏନି । ପ୍ରଥମେ ମଲ୍ଲୀମା’ କହିବ,- “ଚମ୍ପାମା’! ତୋ’କାଣ୍ଡେଇ ଶାଶୂର ନୂଆନାଟକ କ’ଣ?” ଚମ୍ପାମା’ର ଏକ୍ସପ୍ରେସ୍ ଗାଡି ଶାଶୂମାର ଉଠିବା ଠାରୁ ଏ’ପର୍ଯ୍ୟନ୍ତ ଯାହାଯାହା କହିଛି ସବୁ ଗାଇଯାଇ ମଲ୍ଲୀମା’କୁ ପଚାରିବ,- ତୋ’ମାଦଳ ଶାଶୂର ଖବର କ’ଣ? ନାଇଁ ମ । ତା’କଥା କ’ଣ କହିବି । କୁଟା ଖଣ୍ଡକ ଦିଖଣ୍ଡ କରିବା ନାଁ ନାହିଁ । ସେହି ବିଛଣାରେ ପଡିପଡି ଅର୍ଡର ଉପରେ ଅର୍ଡର ଚଲଉଛି । ସବୁଦୋଷ ଏଇ ମା’ସୁଆଗିଆ ମଲ୍ଲୀବାପାର । ନହେଲେ ମୁଁ ବୁଢୀକି ଦିନ ଗୋଟାକରେ ସାବାଡ୍ କରିଦିଅନ୍ତି । କୁଆଡେ ଯଦି ଦଶ ପନ୍ଦରଦିନ ପାଇଁ ବାହାରକୁ ପଳାନ୍ତା ବୁଢୀର ରଙ୍ଗ ଛଡେଇଦିଅନ୍ତି । ସଦାବେଳେ ମୋର ସବୁ କାମକୁ ଖୁଣିଲା । ଟିକିଏ ଲୁଣ ଅଧିକ ହେଲେ କହୁଛି ଲୁଣିଆ, ଟିକିଏ କମିଗଲେ କହୁଛି ଅଲଣା । ରାଗିକି ଦିନେ କହିଲି ନିଜେ ଆସି ତିଅଣ ହାଣ୍ଡିରେ ଲୁଣ ପକାଅ । ବୁଢୀ ଏକଥା ପୁଅଆଗେ କହିବାରୁ ମଲ୍ଲୀବାପା ମୋ ପିଠିକୁ ଦୁଇବିଧା ଥୋଇଲା ।
ବୁଢୀକୁ ମୁଁ ପାରୁନି, କୋଉଦିନ କାଳ ହେବ କେଜାଣି? ଚମ୍ପାମା ମନଧ୍ୟାନ ଦେଇ ଶୁଣୁଶୁଣୁ କହିବ ଶାଶୂ ମାତ୍ରକେ ସେଇଆ । ନିଜକୁ କ’ଣ ଭାବନ୍ତି କେଜାଣି! ଆମ ବୁଢୀଟା କଥା କଥାକେ ଆମଘର ଆଡେ ଚାଲିଯାଇ କହୁଛି,- ‘ତୋ’ମାଆ ତୋତେ ଏତିକି ଶିଖେଇନି? ତୋ’ବୋପା ଏଥର ଏଠିକି ଆସୁ । ତା’ଆଗେ ତୋ ଗୁଣଗ୍ରାମ ସବୁ କହୁଛି । ବଡଲୋକଙ୍କୁ ଲଉଟେଇକି ମୁହଁରେ ଜବାବ ଦେଉଛୁ! ଦିନେ କାଳେ ନିଜମନକୁ ମନ ହାତଗୋଡ ଟିକେ ଆଉଁସି ଦେବା କଥା ନାହିଁ, ଖାଲି ଡାକିଲେ ର’ ଠ’ କରି ପାଂଚମିନିଟରେ ପାଳି ତୁଲେଇ ଛୁ କରୁଛୁ ।’ ଏମିତି ଘଡିଏ କାଳ ଦୁହେଁ ଶାଶୂବୁଢୀଙ୍କର ନିନ୍ଦାଗାନ କରିସାରି କୂଅରୁ ପାଣିକାଢି ଫେରନ୍ତି । ଆଜି କ’ଣହେଲା କିଛି ବୁଝା ପଡୁନି । ଭଲରେଭଲରେ କଥାହୋଇ ଘରୁ ଆସିଥିଲେ, ସାଙ୍ଗେସାଙ୍ଗେ ଚୁଟି ଧରାଧରି ହୋଇ ତଳେପଡି ଗଡାତଡା ହେଉଛନ୍ତି । ଜଣଙ୍କର ଲୁଗା ଅଂଟା ଖୋସଣୀରୁ ଖସିଗଲାଣି, ଭାଗ୍ୟଭଲ ଆଜି ଶାୟାଟିଏ ପିନ୍ଧିକି ଆସିଛି । ଗାଣ୍ଡୁବୁଢା ଜୋରରେ ପାଟି କରିବାରୁ ପାଖ ଲୋକମାନେ ଜମାହେଲେ ।
ଦୁଇବୋହୂଙ୍କର ଦୁଇବୁଢୀ ଶାଶୂମା’ ଆସିଲାପରେ ଦୁହିଁଙ୍କୁ ସମ୍ଭାଳି ନେଲେ । ଧିରସ୍ଥିର ହୋଇ ଦୁହେଁ ବସିବାରୁ ଗାଁ ପଧାନବୁଢା ପଚାରିଲା, – ‘କାହିଁକି ଏମିତି ଝଗଡା କରୁଥିଲ?’ ମଲ୍ଲୀମା’ ଚମ୍ପାମା’ ଆଡକୁଚାହିଁ ଚିଲ୍ଲେଇକି କହିଲା,- ଏ ମାଇକିନା ମୋତେ କହୁଛି ତା’ ମରଦ ଯୋଗ୍ୟ ଆଉ ମୋ’ ମରଦ ଅଯୋଗ୍ୟ । ମୋତେ ଚିହ୍ନିନି ସିଏ । ଗୋଟାଏ ମୁଥରେ ତା ଛାମୁଦାନ୍ତ ଝାଡିଦେବି, ତଂଟିକଣାକରି ତା ରକ୍ତ ପିଇବି ବୋଲି ତାଆଡକୁ ଉହୁଁକି ଆସୁଥାଏ ।
କଥା ବୁଝୁବୁଝୁ ଦୁହେଁ ଏପରି ଝଗଡା କରିବାର କାରଣ ହେଲା ଦୁହିଁଙ୍କ ସ୍ୱାମୀଦେବ । ଦୁହେଁ ଚାଷୀ, ଦୁହିଁଙ୍କର ଜମି ଏବେ ବିଗତ କେଇବର୍ଷ ହେଲା ପଡିଆ ପଡିଛି । ନିଜ ନାଁ ରେ ଦୁଇଦୁଇ ମାଣ ଜମି ଅଛି । ଭାଗକୁ ମାଣେ ଲେଖାଏଁ ଆଗରୁ କରୁଥିଲେ । କିନ୍ତୁ ଏ ଫନି, ପାଥେଇ ଓ ହୁଡୁହୁଡୁ ଗୋଟିକ ପରେ ଗୋଟିଏ ଆସି ଫସଲନଷ୍ଟ କରିବାରୁ ଚାଷରୁ ମନ ଛାଡିଗଲା । ଏବେ ଦୁହେଁ ସାଇକେଲରେ ପଚାଶ ଷାଠିଏ କିଲୋ ପରିବା ଗାଁ ଚାଷୀଙ୍କ ଠାରୁ ବିଲମୁଣ୍ଡରୁ ନେଇ କଟକସହରରେ ଘରେଘରେ ବିକି ପରିବାବେପାରରୁ ଭଲ ଦି’ପଇସା ରୋଜଗାର କରୁଛନ୍ତି । କାଳିଆ ପ୍ରଥମକିସ୍ତି ଦୁହିଁଙ୍କ ଖାତାରେ ଜମା ହୋଇଥିଲା । ଏବେ କିନ୍ତୁ ମଲ୍ଲୀବାପାକୁ ଅଯୋଗ୍ୟ ବୋଲି ଟଙ୍କା ଫେରାଇବା ପାଇଁ ବ୍ୟାଙ୍କରୁ ଚିଠି ଆସିଛି । କିନ୍ତୁ ଚମ୍ପାବାପାକୁ ସରକାର କାଳିଆ ଯୋଜନାରେ ଯୋଗ୍ୟ ବିବେଚନା କରିଛନ୍ତି । ସେଇକଥା ଦୁହିଁଙ୍କ ଭିତରେ ହେଲାବେଳେ ଚମ୍ପାମା ମଲ୍ଲୀମା ଆଡକୁ ଚାହିଁ ମୁହଁ ଛିଂଚାଡି ତୋ’ମରଦଟା ଅଯୋଗ୍ୟ ବୋଲି କହିବାରୁ, ତା’ଦେହରେ ନିଆଁ ଲାଗିଗଲା । ମରଦ ଅଯୋଗ୍ୟ ବୋଲି କାନରେ ଶୁଣି ସିଏ ସହି ପାରିଲାନି । ମରଦ ନିନ୍ଦା କିଏ ସହିବ? ପଧାନବୁଢା ମରମକଥା ବୁଝି ସରପଂଚ ରଜତବାବୁଙ୍କ ଘରକୁ ଯାଇ ପଚାରିଲା ଯେ ବେନି ଜନେ ତ ସମଦଶା । ତୁମେ ଜଣଙ୍କୁ ଯୋଗ୍ୟ ଏବଂ ଅନ୍ୟ ଜଣଙ୍କୁ ଅଯୋଗ୍ୟ କାହିଁକି କଲ? ସରପଂଚ ପ୍ରାଞ୍ଜଳଭାବରେ ପଧାନବୁଢାକୁ ବୁଝେଇ ଦେଲେ । ମଲ୍ଲୀବାପା ପଦ୍ମଫୁଲିଆ ।
ଆମ ଦଳର ନୁହେଁ । ନିର୍ବାଚନ ବେଳେ ଜୟ ଶ୍ରୀରାମ କହି ତା’ଙ୍କ ପଛରେ ଗୋଡେଇଲା । ଆମ କଥା ଶୁଣିଲାନି, ଏବେ ନାମ ନେଉ! ସେଦିନ ଡମ୍ଫା ପଣ୍ଡା କଣା ପଧାନକୁ ନେଇ ମୋ’ପାଖକୁ ଆସିଥିଲା । ଦୁହେଁ କହିଲେ ଆମେ କାହିଁକି ପାଇଲୁନି? ଯଦି ବିଜୁ ସାହୁ, ନୀଳ ସ୍ୱାଇଁ ଓ ଧୃବ ପ୍ରଧାନ ଯୋଗ୍ୟ, ତେବେ ଆମକୁ ଅଯୋଗ୍ୟ କଲା କିଏ? ପ୍ରକୃତରେ ଏ ଯୋଜନା ଚାଷୀମାନଙ୍କ ପାଇଁ ନୁହେଁ । କାଳିଆ ଟଙ୍କା ବାଂଟିବା ପରେ ଚାଷୀ ବେଶୀ ଆତ୍ମହତ୍ୟା କରିଛନ୍ତି । ତେବେ ତରବର ହୋଇ ବାଂଟିବାର ମୁଖ୍ୟ କାରଣ ଚାଷୀଙ୍କୁ ରାହତ ଦେବାପାଇଁ ନଥିଲା, ଏହା ଭୋଟ ଗୋଟାଇବା ପାଇଁ କରା ଯାଇଥିଲା । ନିର୍ବାଚନ ସମୟର ଏହାଥିଲା ନେତାଙ୍କ ପାଇଁ ସଞ୍ଜିବନୀ ଘୁଟି । ଦେଖିବାକୁ ଗଲେ ଦୁହେଁ ଅଯୋଗ୍ୟ । କିନ୍ତୁ ଚମ୍ପାବାପା ଆମ ସାଙ୍ଗରେ ରହି ଖଟିଛି, ଦଳପାଇଁ ରାତି ରାତି ଅନିଦ୍ରା ହୋଇ ଗାଁ ଗଳିକନ୍ଦି ଜଗିଛି । ଦଳିୟ କାମ ଏତେ କଲାପରେ ତା’କୁ ଅଯୋଗ୍ୟ କହିଲେ ଅନ୍ୟାୟ ହେବନି!
ପଧାନବୁଢା ଆଖି ଖୋଲିଗଲା । ଆଜିକାଲିର ନେତା ମାନଙ୍କର ଅଦ୍ଭୁତ ନ୍ୟାୟ ଦର୍ଶନ ବୁଝି ପାଇଲା । ସରାକାରୀ ଦଳର ଜିନ୍ଦାବାଦ୍ କଲେ ତୁମେ ଯୋଗ୍ୟ ଏବଂ ବିରୋଧୀଙ୍କ ସାଙ୍ଗରେ ବୁଲିଲେ ଅଯୋଗ୍ୟ । ତେଣୁ ଫାଇଦା ମାରିବାକୁ ସରକାରୀ ଦଳରେ ରହିବାକୁ ହେବ । ବିରୋଧୀ ଦଳପାଇଁ ପ୍ରଚାର କଲେ କି ଭୋଟଦେଲେ ତୁମପାଇଁ ଯାହା ନ୍ୟାଯ୍ୟ ତା’କୁ ବି ସରକାରୀ ବାବୁମାନେ ଦେବାକୁ କୁନ୍ଥଉଛନ୍ତି । ନିର୍ବାଚନ ପୂର୍ବରୁ ତରବର ହୋଇ ବାଂଟିବାର ମୂଳଲକ୍ଷ୍ୟ ଥିଲା ଭୋଟରଙ୍କୁ ପ୍ରଭାବିତ କରେଇବା । ସେଥିରେ ସଫଳ ହୋଇ ସରକାରୀ ଦଳର ନେତା ବିଜୟୀ ହେଲେ ଏବଂ ଶାସନ ଗାଦିରେ ବସିଲେ । କିନ୍ତୁ ଏବେ ଦେଖିଲା ବେଳକୁ ସେମାନଙ୍କ ଭିତରୁ ଲକ୍ଷଲକ୍ଷ ଲୋକ ମିଛଚାଷୀ । ମୋ’ମତରେ ଯେଉଁ ବାବୁମାନେ ଏ’ସବୁ ହୀତାଧିକାରୀଙ୍କ ଖସଡା ପ୍ରସ୍ତୁତ କରିଥିଲେ ସେମାନଙ୍କ ସମ୍ପତ୍ତି ବ୍ୟଜାପ୍ତ କରି ଚାଷୀମାନଙ୍କର କାଳିଆଟଙ୍କା ଫେରସ୍ତ କରିବା ଉଚିତ୍ । ଅଦ୍ଭୁତ ନ୍ୟାୟ ଦର୍ଶନ ହିସାବରେ ସେମିତି କଲେ ବି ସରକାର ଅନ୍ୟାୟ କରିବେ ।
କାରଣ ସେତେବେଳେ ସେମାନେ ଏମିତି ଘୋଟାଲା ନକରିଥିଲେ ନିର୍ବାଚନ ଫଳାଫଳ କ’ଣ ହୋଇଥାନ୍ତା କିଏ ଜାଣେ? ସେମାନେ ଯେହେତୁ ଏପରି ଅନୈତିକ କାଣ୍ଡ କରି ସରକାରଙ୍କୁ ନିର୍ବାଚନ ବୈତରଣୀ ପାର କରେଇଛନ୍ତି, ତେଣୁ ସେ ସମସ୍ତ ବାବୁ ହେଲେ ସରକାରଙ୍କର ଗେହ୍ଲାପୁଅ । ପ୍ରମୋଶନ୍ ପାଇବା ପାଇଁ ହକ୍ଦାର୍ । ଏବେ ସମସ୍ୟା ହେଲା ଗରିବଚାଷୀ ଖାତାରେ ସରକାର କାଳିଆ ଯୋଜନାରେ ଯାହା ଜମାକଲେ ତାହା ନିର୍ବାଚନରେ ଭୋଓଟ ପଡିବାକୁ ଅଳ୍ପଦିନ ଥାଇ କରାଗଲା । ତେଣୁ ମୂଢଚାଷୀ ଭାବିଲେ ନିର୍ବାଚନରେ ନେତାମାନେ ଯେଉଁ ହାତଗୁଞ୍ଜା ଦେଉଥିଲେ ସେଇଟଙ୍କାକୁ ଏଥର ପରିବାର ପିଛା ଗାୟମୋଟ କରି ଖାତାରେ ଚଢେଇଦେଲେ । ଉପରି ପଇସା ଯେମିତି ଖର୍ଚ୍ଚ କରିବାକଥା କଲେ । ପେଜକୁ ଫିଙ୍ଗିଦେଇ ତିନିବେଳା ଭାତସାଙ୍ଗରେ ତିଅଣ ତେଣ୍ଡିଲେ । ସଳପ ରସକୁ ଛାଡି ବିଦେଶି ପିଇଲେ । ନିର୍ବାଚନ ଦିନତକ ଗମାତ କରି ସରକାର ସପକ୍ଷରେ ଭୋଟ ଦେଇ ଜିତେଇଲେ । ଏବେ ସରକାର କହୁଛି, ‘ତୁମେ ସବୁ ଅଯୋଗ୍ୟ ଏବଂ ନେଇଥିବା ଟଙ୍କା ଫେରାଅ ।’ କୁଆଡୁ ଆଣିବେ? ସିଏ ଯେଉଁଠି ସବୁ ଖର୍ଚ୍ଚ କରିଦେଇଛନ୍ତି ସିଏ କ’ଣ ଫେରସ୍ତ ଦେବ? ସୁଣ୍ଡିପିଣ୍ଡାରେ ମୁଣ୍ଡପିଟିଲେ ବି ଟଙ୍କାଟିଏ ମିଳିବନି । କେମିତି ଫେରେଇବେ? କାଁଭାଁ ଭୁଲ୍ ଭଟକା ହୋଇଥିଲେ ଚଳିଥାନ୍ତା । କିନ୍ତୁ ଲକ୍ଷଲକ୍ଷ ଅଯୋଗ୍ୟ ମାନେ ଏକାବେଳେ ଲକ୍ଷଲକ୍ଷ ଭୁଲ୍!