Odisha news

ସରୁନି ଗାର୍ଡ଼ ୱାଲ୍ ନିର୍ମାଣ , ବର୍ଷା ପୂର୍ବରୁ ବୋଇତିଭଙ୍ଗା ସେତୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା

0

ଗୋପ : ଗୋପ-ସତ୍ୟବାଦୀ ବ୍ଲକ୍କୁ ସିଧା ସଳଖ ସଂଯୋଗ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୧ ମସିହାରେ ବୋଇତି ଭଙ୍ଗା ଠାରେ ସେତୁ ନିର୍ମାଣ ଲାଗି ୩ କୋଟି ୮୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ମାତ୍ର ୨୦୧୧ ମସିହା ପରଠାରୁ ସେତୁ କାର୍ଯ୍ୟ ଚାଲିଥିବାବେଳେ ନିକଟରେ ସେତୁର ସମସ୍ତ ସ୍ପାନ୍ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବାବେଳେ ଦୁଇ ପାଶ୍ୱର୍ ସଂଯୋଗ ଲାଗି ମାଟି ପକାଯାଇଛି ।

ତେବେ ସେତୁର ଡ଼ାହାଣ ପାଶ୍ୱର୍ ଧନୁଆ ନଦୀ ବନ୍ଧରେ ଗାର୍ଡ଼ ୱାଲ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏଯାବତ୍ ସଂଯୋଗୀକରଣ ରାସ୍ତା ଉପରେ ପିଚୁ ପଡ଼ିନାହିଁ । ଦୀର୍ଘ ବର୍ଷ ପରେ ସେତୁ ସଂପୂର୍ଣ୍ଣ ହୋଇଥିବାବେଳେ ଚଳିତ ବର୍ଷ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ଦେଖାଦେଇଛି । ସାମାନ୍ୟ ବର୍ଷା ହେଲେ ସେତୁ ଉପରେ ଯାତାୟତ ଅନୁପଯୋଗୀ ହେବା ଆଶଙ୍କା ଉପୁଜିଥିବାବେଳେ ଗାର୍ଡ଼ ୱାଲ୍ କାର୍ଯ୍ୟ ଶେଷ ହେବା ପରେ ଏହି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି । ତେବେ ଗାର୍ଡ଼ ୱାଲ୍ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବାବେଳେ ଅଣଓସାରିଆ ନଦୀବନ୍ଧ ରାସ୍ତା ଉପରେ ଦୀର୍ଘ ଦିନ ଧରି ବାଲି ଗୋଡ଼ି ଜମା ହୋଇ ରହିବା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିôବା ନଜରକୁ ଆସିଥିବାବେଳେ ବର୍ଷାଦିନ ପୂର୍ବରୁ ଏହି କାର୍ଯ୍ୟ ସଂପୂର୍ଣ୍ଣ ନହେଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

ଅପରପକ୍ଷରେ ସେତୁ ନିର୍ମାଣ କାର୍ଯ୍ୟକୁ ସାଇ କନ୍ଷ୍ଟ୍ରକ୍ସନ୍ ନାମକ ଏକ ସଂସ୍ଥା ନେଇଥିବାବେଳେ କାର୍ଯ୍ୟରେ ଆହେତୁକ ବିଳମ୍ଭ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଯିବା ଫଳରେ କାର୍ଯ୍ୟ ପ୍ରତି ଅଣଦେଖା କରାଯାଉଛି । ଏହି କାର୍ଯ୍ୟ ସ୍ଥଳରେ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟ ହେଉଥିବା ଯୋଗୁଁ ସଠିକ୍ ଭାଗ ମାପରେ ଗାର୍ଡ଼ ୱାଲ୍ କାର୍ଯ୍ୟ ହେଉନଥିବାବେଳେ ଏହି କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂପୃକ୍ତ ଠିକାଦାର ସଂସ୍ଥା କିଛି ବ୍ୟକ୍ତିଙ୍କୁ ଏହି କାର୍ଯ୍ୟ କରିବା ଲାଗି ଅନୁମତି ଦେଇଥିବାବେଳେ ଏହି କାର୍ଯ୍ୟ ନିମ୍ନମାନର ହେଉଛି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାଶ ଚନ୍ଦ୍ର ଖଟୋଇଙ୍କୁ ପଚାରିବାରେ ସେ କୁହନ୍ତି ବର୍ଷାଦିନ ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଠିକାଦାରଙ୍କୁ ବାରମ୍ବାର ତାଗିଦ୍ କରାଯାଉଛି । ଲକ୍ଡ଼ାଉନ୍ ଯୋଗୁଁ ଶ୍ରମିକ ମିଳୁନଥିବା ଯୋଗୁଁ ସମସ୍ୟା ଉପୁଜୁଛି । ତେବେ ବର୍ଷାଦିନ ପୂର୍ବରୁ ଯଦି କାର୍ଯ୍ୟ ସଂପୂର୍ଣ୍ଣ ନହୁଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ତାମଣି ସେଠୀଙ୍କୁ ପଚାରିବାରେ ସେ କୁହନ୍ତି, ବର୍ଷାଦିନ ପୂର୍ବରୁ ବୋଇତିଭଙ୍ଗା ସେତୁକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଜାରି ରହିଛି । ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ।

Leave A Reply