ଗୋପ,୬/୮: ଗତ ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଗୋପ ଅଞ୍ଚଳର ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବାବେଳେ ତଳି ଗୁଡ଼ିକ ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ତଳିଆ ଅଞ୍ଚଳରେ ପାଣି ଛାଡ଼ିବା ନେଇ ଆଶଙ୍କା ଉପୁଜିଥିବାବେଳେ ଧାନ ଚାଷ ହେବକି ନାହିଁ ଚାଷୀ ଦ୍ୱନ୍ଦରେ ଥିବା ଜଣାପଡ଼ିଛି । ୫ ରୁ ୬ ଦିନ ମଧ୍ୟରେ ଯଦି ପାଣି ନଛାଡ଼େ ତେବେ ତଳିଗୁଡ଼ିକ ନଷ୍ଟ ହେବ ବୋଲି ଚାଷୀମାନେ କହିଛନ୍ତି । ପ୍ରକାଶ ଯେ, ଚଳିତ ବର୍ଷ ଶ୍ରାବଣ ମାସରେ ଆଶାତୀତ ଭାବେ ବର୍ଷା ନଥିବାବେଳେ ଗଜା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । କେତେକ ସ୍ଥାନରେ ବର୍ଷା ନହେବା କାରଣରୁ ବିଲ ଗୁଡ଼ିକ ଫାଟି ଆଁ ମେଲା କରିଥିବାବେଳେ ତଳିଗୁଡ଼ିକ ମଧ୍ୟ ନଷ୍ଟ ହୋଇଥିଲା । ମାତ୍ର ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବା କାରଣରୁ ଚାଷ ଜମି ଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି ।
କେତେକ ସ୍ଥାନରେ ଚାଷୀ ତାର ଚାଷ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଗୋପ ବ୍ଲକ୍ ଅଧିନ ନୂଆଖୋଲମରା ଡ଼ଭାର, ତରକୋର ପଞ୍ଚାୟତ ସମେତ ବିଭିନ୍ନ ତଳିଆ ଅଞ୍ଚଳ ଶହ ଶହ ଏକର ଚାଷ ଜମି ବୁଡ଼ି ରହିଛି । ପାଣିପାଗର ତାରତମ୍ୟ ଯୋଗୁଁ ଚାଷୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛି । ଜଳବାୟୁର ପରିବର୍ତ୍ତନ ଯୋଗୁଁ ଚାଷ କାର୍ଯ୍ୟରେ ଆହେତୁକ ବିଳମ୍ଭ ଘଟୁଥିବାବେଳେ ଅନେକ ସମୟରେ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଅନ୍ୟପକ୍ଷରେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଠିକ୍ ସମୟରେ ବିହନ ସାର ଯୋଗାଣ କରାଯାଉନଥିବା ପ୍ରମୁଖ ସମସ୍ୟା ପାଲଟିଥିବା ଚାଷୀମାନେ ଅଭିଯୋଗ କରିଥିବାବେଳେ ସଠିକ୍ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଔଷଧ ଯୋଗାଇଦେବାକୁ ଦାବି ହୋଇଛି । ସେହିପରି ଗ୍ରାମ୍ୟ କୃଷି କର୍ମଚାରୀମାନେ କୃଷିଙ୍କ ନିକଟରେ ପହଞ୍ଚୁନଥିବା ଯୋଗୁଁ ଅନେକ ସମୟରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଗୋପ ବ୍ଲକ୍ ସହକାରୀ କୃଷି ଅଧିକାରୀ ନକୁଳ ମଲ୍ଲିକ୍ଙ୍କୁ ପଚାରିବାରେ ସେ କୁହନ୍ତି, ସରକାରଙ୍କ ନିଦେ୍ର୍ଦଶ ମୁତାବକ ସଠିକ୍ ସମୟରେ ଚାଷୀମାନଙ୍କୁ ବିହନ ସାର ଯୋଗାଣ କରାଯାଉଛି । ତଳିଆ ଅଞ୍ଚଳରେ ଥିବା ପାଣି ଖସିବା ପରେ ଧାନ ଚାଷ କ୍ଷତିଗ୍ରସ୍ତ ହେବକି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ।
