ଗୋପ : କରୋନା ସଂକ୍ରମଣକୁ ରୋକିବା ଲାଗି ସରକାର ଅନେକ ପଦକ୍ଷେପ ନେଇଥିବାବେଳେ ମାକ୍ସ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ମାତ୍ର କେତେକ ବ୍ୟକ୍ତି ଏହି ନିଦେ୍ର୍ଦଶାନାମାକୁ ବେଖାତିର କରି ବିନା ମାକ୍ସରେ ଛକ ବଜାରରେ ବୁଲୁଥିବା ନେଇ ଅଭିଯୋଗ ହେବା ପରେ ବୁଧବାର ଗୋପ ବଜାର ଠାରୁ ତହସିଲଦାର ପୃଥିରାଜ ମଣ୍ଡଳ, ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ, ଗୋପ ଥାନାଧିକାରୀ ସୁଧୀର କୁମାର ସାହୁଙ୍କ ସମେତ ଗୋପ ଥାନାର କେତେକ କର୍ମଚାରୀମାନେ ବଜାର ଉପରେ ମାକ୍ସ ଚେକିଂ କରିଥିଲେ ।
ଏହି ସମୟରେ ମାକ୍ସ ବ୍ୟବହାର କରିନଥିବା ୩୯ ଜଣଙ୍କ ଠାରୁ ୭୮୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ସେହିପରି ମାକ୍ସ ଚେକିଂ ସମୟରେ ଏକ ଗାଡ଼ିରେ ବେଆଇନ୍ ଭାବେ ଚୋରା କାଠ ଚାଲାଣ କରାଯାଉଥିବା ନଜରକୁ ଆସିବା ପରେ ଗୋପ ରାଜସ୍ୱ ନିରୀକ୍ଷକ ସଂପୃକ୍ତ ଗାଡ଼ିରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି । ତେବେ ଗୋପ ଅଞ୍ଚଳରେ ମାକ୍ସ ଚେକିଂ କଡ଼ାକଡ଼ି କରାଯିବ ବୋଲି କୁହାଯାଉଥିବାବେଳେ ବୁଧବାର ପ୍ରଥମ କରି ମାକ୍ସ ଚେକିଂ କରାଯାଇଛି । ଫଳରେ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଥିବାବେଳେ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ମାକ୍ସ ଚେକିଂକୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି ।
