Odisha news

ଗୋପ : ନିମ୍ନମାନର କାର୍ଯ୍ୟ , ଏକମାସ ମଧ୍ୟରେ ନଷ୍ଟ ହେଲା କଂକ୍ରିଟ ରାସ୍ତା , ଭିଜିଲାନ୍ସ ତଦନ୍ତ ଦାବି

0

ଗୋପ : ନାଗପୁରରୁ କପିଳେଶ୍ୱର ସଂଯୋଗ କରୁଥିବା ରାସ୍ତାର ମଲ୍ଲିଆତୁଠ ଠାରୁ ତରକୋର ପର୍ଯ୍ୟନ୍ତ ପଡ଼ିଥିବା କଂକ୍ରିଟ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି । କାର୍ଯ୍ୟ ହେବାର ଏକରୁ ଦୁଇ ମାସ ମଧ୍ୟରେ କଂକ୍ରିଟ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ କିଛି ଜନସାଧାରଣ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ପରେ ଗର୍ତ୍ତ ଥିବା ସ୍ଥାନରେ ସିମେଣ୍ଟ ବୋଳି ମରାମତି କରୁଥିବା ସମୟରେ କିଛି ବ୍ୟକ୍ତି ଏହାର ବିରୋଧ କରିଥିବାବେଳେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ପ୍ରକାଶ ଯେ, ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା କାର୍ଯ୍ୟ କରାଯାଉଥିବାବେଳେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ନିମ୍ନମାନର ହେଉଛି ।

ଏ ନେଇ ଜନସାଧାରଣମାନେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । କେତେକ କ୍ଷେତ୍ରରେ ନିମ୍ନମାନର କାର୍ଯ୍ୟ ସଂପର୍କରେ ଅଭିଯୋଗ ହେବା ମାତ୍ରେ ତରବରିଆ ଭାବେ ସଂପୃକ୍ତ ସ୍ଥାନକୁ ମରାମତି କରାଯାଉଛି । ଗୋପ ବ୍ଲକ୍ ଅଧିନ ତରକୋର ପଞ୍ଚାୟତ ସ୍ଥିତ ମଲ୍ଲିଆତୁଠ ଗ୍ରାମ ଠାରୁ ତରକୋର ଗ୍ରାମ ପର୍ଯ୍ୟନ୍ତ ହୋଇଥିôବା କଂକ୍ରିଟ ରାସ୍ତାକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାବେଳେ ସରକାରଙ୍କ ନିୟମ ଅନୁଯାୟୀ ଏହି କାର୍ଯ୍ୟ ହୋଇନଥିବା ଅଭିଯୋଗ ହୋଇଛି । ମରାମତି କରାଯାଇଥିବା ରାସ୍ତା ଉପରେ ୪ ଇଞ୍ଚ ପରିବର୍ତ୍ତେ ଦୁଇ ରୁ ତିନି ଇଞ୍ଚ କଂକ୍ରିଟ ପକାଯାଇ ସରକାରୀ ଅର୍ଥ ହରିଲୁଟ୍ କରାଯାଇଛି ।

କେତେକ ସ୍ଥାନରେ କଂକ୍ରିଟ ପଡ଼ିବାର କିଛିଦିନ ବ୍ୟବଧାନରେ କଂକ୍ରିଟ ଉଠିଯାଇ ଗୋଡ଼ି ଦେଖାଯିବା ପରେ ସ୍ଥାନୀୟ ଗ୍ରାମର ଦିଲ୍ଲୀପ୍ ପ୍ରଧାନ, ରବୀନ୍ଦ୍ର ମୁରୁଡ଼ି, ସତ୍ୟଶୁଭ୍ରଜିତ୍ ବରାଳ, ଶଶିକାନ୍ତ ମୁରୁଡ଼ି, ଭାଗିରଥୀ ମୁରୁଡ଼ି ପ୍ରମୁଖ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ କିଛି ବ୍ୟକ୍ତି ଖଣ୍ଡିଆଖାବରା ହୋଇଥିବା ରାସ୍ତା ଉପରେ ସିମେଣ୍ଟ ଗୋଳା ଢ଼ାଳି ମରାମତି କରୁଥିôବା ସମୟରେ କାର୍ଯ୍ୟବନ୍ଦ କରିଥିବା ଜଣାପଡ଼ିଛି । ତେବେ ଏହି କାର୍ଯ୍ୟ ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନିତୀ ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଦାବି ହୋଇଛି । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଚିନ୍ତାମଣି ସେଠୀଙ୍କୁ ପଚାରିବାରେ ସେ କହୁନ୍ତି ଏହା ଉପରେ ତଦନ୍ତ କରାଯିବ । ଯଦି ନିମ୍ନମାନର କାର୍ଯ୍ୟ ହୋଇଥାଏ ତେବେ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

Leave A Reply