ମୁମ୍ବାଇ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାକୁ ମାରିଛି, ଆଗକୁ ସୁଯୋଗ ମିଳିଲେ ବଲିଉଡ ଅଭିନେତା ସଲମାନ ଖାନକୁ ବି ମାରିବି। ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଏଭଳି ଖୁଲାସା କରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ସତବିନ୍ଦର ସିଂହ ଓରଫ ଗୋଲ୍ଡି ବ୍ରାର୍। ଗତ ବର୍ଷ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଯିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ସେ ନିଜ ଘରୁ ବାହାରି କିଛି ବାଟ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୂର୍ବରୁ ସିଦ୍ଧୁଙ୍କ ମୃତ୍ୟୁ ପାଇଁ ଗୋଲ୍ଡି ବ୍ରାରକୁ ଦାୟୀ କରାଯାଉଥିବା ବେଳେ ଏବେ ନିଜେ ଗୋଲ୍ଡି ବ୍ରାର୍ ଜାତୀୟ ଗଣମାଧ୍ୟମରେ ସିଦ୍ଧୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଏହା ସହ ସୁଯୋଗ ମିଳିଲେ ଖୁବଶୀଘ୍ର ସଲମାନଙ୍କୁ ହତ୍ୟା କରାଯିବ ବୋଲି କହିଛି। ସାକ୍ଷାତକାରରେ ଗୋଲ୍ଡି ବ୍ରାର୍ ସ୍ପଷ୍ଟ କରିଛି ଯେ, ମୁଁ ଖାଲିସ୍ତାନକୁ ସମର୍ଥନ କରେ ନୁହେଁ କି ଆଇଏସଆଇ ସହିତ ମୋର ବନ୍ଧୁତା ନାହିଁ।
ତେବେ ୧୯୯୮ରେ କଳାହରିଣକୁ ହତ୍ୟା କରିଥିବାରୁ ସଲମାନଙ୍କୁ ଟାର୍ଗେଟ କରିଆସିଛନ୍ତି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର୍। ଅନେକ ଥର ସଲମାନଙ୍କୁ ଏଥିପାଇଁ ହତ୍ୟା ଧମକ ମିଳିଛି। କିଛି ଦିନ ତଳେ ଲରେନ୍ସ ବିଷ୍ଣୋଇ ଜେଲରୁ ସାକ୍ଷାତକାର ଦେଇ କହିଥିଲା ଯେ, “ସଲମାନ ଖାନଙ୍କୁ କ୍ଷମା ମାଗିବାକୁ ପଡ଼ିବ। ସେ ବିକାନେରରେ ଥିବା ଆମ ମନ୍ଦିରକୁ ଯାଇ କ୍ଷମା ମାଗିବା ଉଚିତ୍। ମୋ ଜୀବନର ଲକ୍ଷ୍ୟ ହେଉଛି ସଲମାନ ଖାନଙ୍କୁ ହତ୍ୟା କରିବା। ଯଦି ତାଙ୍କ ସୁରକ୍ଷା ହଟାଯାଏ ତେବେ ମୁଁ ସଲମାନ ଖାନଙ୍କୁ ହତ୍ୟା କରିବି। ଯଦି ସେ କ୍ଷମା ମାଗନ୍ତି, ତେବେ ବିବାଦ ଶେଷ ହେବ। ସଲମାନ ହେଉଛନ୍ତି ଅହଙ୍କାରୀ, ସିଦ୍ଧୁ ମୁସେୱାଲା ମଧ୍ୟ ସେପରି ଥିଲେ। ସଲମାନ ଖାନଙ୍କ ଅହଙ୍କାର ରାବଣଙ୍କଠାରୁ ବି ବଡ।”