ଗୋଳlବନ୍ଧ: ବାଲେଶ୍ୱର ବାହାନଗା ଠାରେ ସଂଘଟିତ ମର୍ମନ୍ତୁଦ କରମଣ୍ଡଳ ରେଳ ଦୁର୍ଘଟଣାରେ ଘଟଗାଁ ବ୍ଲକ ସାନ୍ତରାପୁର ପଞ୍ଚାୟତ ରଘୁବେଡା ଗ୍ରାମର ଭୁବନ ନାୟକଙ୍କ ଅକାଳ ମୃତ୍ୟ ଘଟିଥିବା ବେଳେ ଆଜି ଓଡିଶା ସରକାରଙ୍କ ତରଫରୁ ତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି। ଆଜି ସକାଳେ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଘଟଗାଁ ବିଡ଼ିଓ ଉମାକାନ୍ତ ପରିଡା, ତହସିଲଦାର ଜନକ ନାୟକ ଏବଂ ସାନ୍ତରାପୁର ସରପଞ୍ଚ ବବିତା ସିଂ ପ୍ରମୁଖ ଭୁବନଙ୍କ ଘରକୁ ଯାଇ ତାଙ୍କ ବିଧବା ପତ୍ନୀ ଶଶୀ ନାୟକଙ୍କୁ ଏହି ସହାୟତା ପ୍ରଦାନ କରିଥିବା ଜଣାଯାଏ। ଏଠାରେ ସୂଚନା ଥାଉ କି ପୂର୍ବରୁ ରେଳ ବିଭାଗ ତରଫରୁ ଭୁବନଙ୍କ ପତ୍ନୀଙ୍କୁ ଦଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ରେଡ଼କ୍ରସ ପାଣ୍ଠିରୁ କୋଡିଏ ହଜାର ଟଙ୍କା ଓ ମୃତଦେହ ବାଲେଶ୍ୱରରୁ ଘରକୁ ଆଣିବା ବାବଦକୁ ପାଞ୍ଚ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ଖବରରୁ ଜଣାଯାଏ ଯେ ଘଟଗାଁ ବିଡ଼ିଓ ଉମାକାନ୍ତ ପରିଡା ଶଶୀ ନାୟକଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ କୋଡିଏ ହଜାର ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ନେଉଛନ୍ତି। ଏହା ସହ ବିଧବା ଭତ୍ତା ଓ ଓଡିଶା ଜୀବିକା ମିଶନ ସୌଜନ୍ୟରୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ମଧ୍ୟ ବିଡ଼ିଓ ଆଶୁ ପଦକ୍ଷେପ ନେଉଥିବା ଜଣାଯାଏ।