ଶ୍ରୀଜୟ କୁମାର ସାହୁ : ଆମ ଦେଶର ସମାଜ ପିତୃକୈନ୍ଦ୍ରିକ ଅଟେ। ବିଗତ କିଛି ବର୍ଷ ପୂର୍ବେ ଝିଅ ମାନଙ୍କ ଜନ୍ମକୁ ଲୋକେ ଅଶୁଭ ବୋଲି ଧରୁଥିଲେ। ଝିଅ ହେବ ବୋଲି ଜାଣିଲେ ସ୍ୱାମୀ, ସ୍ତ୍ରୀକୁ ନିର୍ଯ୍ୟାତନା ଦେଇ ଭୃଣ ହତ୍ୟା କରିବାକୁ ବାଧ୍ୟ କରୁଥିଲା। ପୁଅ ଜନ୍ମ ହେଲେ ମିଠା ବାଣ୍ଟିବା ସହ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମମାନ ଅନୁଷ୍ଠିତ କରାଉଥିଲେ। ଜନ୍ମ ହେବାପରେ ନିଜ ପରିବାରରେ ଝିଅମାନେ ପୁଅ ମାନଙ୍କ ଅପେକ୍ଷା ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ରହୁଥିଲେ।
ପୁଣି ବାହା ହୋଇ ଶାଶୂଘରକୁ ଗଲା ପରେ ସେଠି ଝିଅ ଜୌତୁକକୁ ନେଇ ନିର୍ଯ୍ୟାତନା ଏବଂ ଘରୋଇ ହିଂସାର ସାମ୍ନା କରେ। ସମାଜରେ ରହୁଥିବା ମାନସିକ ରୋଗ ଗ୍ରସ୍ତ ପୁରୁଷଙ୍କ ଟାହି ଟାପରା ଦର୍ଶାଇଦିଏ ଯେ ଝିଅମାନଙ୍କ ସ୍ଥାନ ସେ ରହୁଥିବା ସମାଜରେ କେଉଠି ରହିଛି। ଏଭଳି ସମାଜରେ ନାରୀ ତା’ର ଅଧିକାର ପାଇବ ବା କିପରି? ଏଥିପାଇଁ ତାକୁ ଯୁଗ ଯୁଗ ଧରି ଲଢେ଼ଇ ଏବଂ ଅପେକ୍ଷା କରିବାକୁ ପଡୁଛି। ଗୋଟିଏ ମାଆ ପେଟରୁ ଜନ୍ମ ଉଭୟ ପୁଅ ଏବଂ ଝିଅଙ୍କୁ ଅଲଗା ଅଲଗା ଦୃଷ୍ଟିରେ ଦେଖିବା କ’ଣ ଏକ ବିକଳାଙ୍ଗ ମାନସିକତାର ପରିଚୟ ନୁହେଁ ? ଏଥିପାଇଁ ସମାଜ ସଂସ୍କାରର ଆବଶ୍ୟକତା ରହିବା ସହ ପୁରୁଷ ସମାଜର ମାନସିକତା ର ପରିବର୍ତ୍ତନ ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ବର୍ତ୍ତମାନ ସମୟ ବଦଳିବା ଆରମ୍ଭ କରିସାରିଛି।
ଦିନକୁ ଦିନ ସରକାରଙ୍କ ଦ୍ବାରା ନିଆଯାଉଥିବା କଡା ଆଭିମୁଖ୍ୟ ଯୋଗୁଁ ଭୃଣ ହତ୍ୟାର ଗତିରେ କିଛି ମାତ୍ରାରେ ରୋକ୍ ଲାଗିଛି। କେନ୍ଦ୍ର ସରକାରଙ୍କ ବେଟି ବଚାଅ ଏବଂ ବେଟି ପଢାଅ ଅଭିଯାନ କିଛି ମାତ୍ରାରେ ପରିବାର, ସମାଜ ଏବଂ ଦେଶରେ ଝିଅ ମାନଙ୍କ ଗୁରୁତ୍ୱ ବଢାଇଛି। ବର୍ତ୍ତମାନ ସମୟ ବଦଳିଛି ଯଦିଓ ମହିଳା ସଶକ୍ତିକରଣର କଥା କୁହାଯାଉଛି ଏବଂ ଏଥିପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି ତଥାପି ନାରୀ ଆଜି ମଧ୍ୟ ଅନେକ ହିଂସାକାଣ୍ଡ ର ଶିକାର ହେଉଛି, ଯାହାର ଜ୍ୱଳନ୍ତ ଉଦାହରଣ ଆମେ ଦୈନନ୍ଦିନ ଖବରକାଗଜ ଏବଂ ଟିଭିରେ ଦେଖୁଛନ୍ତି। ଏହାରି ମଧ୍ୟରେ ନାରୀ ନିଜକୁ ସୁଦୃଢ କରି ନିଜ ହକ୍ ପାଇଁ ଲଢେ଼ଇ ଜାରି ରଖିଛି। ଆଜି ନାରୀ, ପୁରୁଷଙ୍କ ପାଦରେ ପାଦ ମିଶାଇ ଆଗକୁ ବଢ଼ିବାରେ ଲାଗିଛି। ଏହି ଦୌଡରେ ନାରୀ ଆଗରେ ରହିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ଯେଉଁ କ୍ଷେତ୍ରରେ ଆମେ ଦେଖିବା ସେଠି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛି।
ରାଜନୀତିରେ ପଞ୍ଚାୟତିରାଜ ଅନୁଷ୍ଠାନରେ ୫୦% ନାରୀମାନଙ୍କ ପାଇଁ ସ୍ଥାନ ସରଂକ୍ଷଣ, ଶିକ୍ଷା, ନିଯୁକ୍ତି ଆଦି କ୍ଷେତ୍ରରେ ଧିରେ ଧିରେ ପୁରୁଷଙ୍କ ସହିତ ନାରୀ ସମାନ ଅଧିକାର ପାଇବାରେ ଲାଗିଛି। ସଂବିଧାନ ରେ ବ୍ୟବସ୍ଥିତ ଧାରା ୩୯(ଘ) “ସମାନ କାମକୁ ସମାନ ଦରମା” ନାରୀମାନଙ୍କୁ ପୁରୁଷଙ୍କ ସହ ସମାନତାର କଥା କହୁଛି। ଯଦିଓ ଏହି ନିୟମ ସରକାରୀ ସ୍ତରରେ କାର୍ଯ୍ୟକାରୀ ହେଉଛି କିନ୍ତୁ ବେସରକାରୀ ସ୍ତରରେ ଏହି ନିୟମର ଲାଭ ନେବା ପାଇଁ ଆଜି ବି ଲଢେ଼ଇ ଜାରି ରଖିଛି। ସଂପତ୍ତି ଅଧିକାର କଥା ଯଦି ବିଚାର କରିବା ତେବେ ଏହି ଅଧିକାର କୁ ନେଇ ଏକ ଆଇନ ୧୯୫୬ ମସିହାରେ ପ୍ରସ୍ତୁତ କରାଯାଇଥିଲା। ଯାହା ହିନ୍ଦୁ ଉତ୍ତରାଧିକାରୀ ଆଇନ ଭାବେ ପରିଚିତ। କେବଳ ଅବିବାହିତ ଝିଅଙ୍କ ବ୍ୟତୀତ ଅନ୍ୟ ଝିଅ ମାନଙ୍କୁ ଏହି ଆଇନରେ ନିଜ ବାପାଙ୍କ ସଂପତ୍ତିରେ ପୁଅ ମାନଙ୍କ ସହ ସମାନ ଭାଗ ପାଇବା ଅଧିକାରର ପ୍ରାବଧାନ ନଥିଲା। କିନ୍ତୁ ଯେତେବେଳେ ଆମ ସଂସଦ ୯ ସେପ୍ଟେମ୍ବର,୨୦୦୫ ରେ ଏଥିରେ ସଂଶୋଧନ ଆଣିଲା , ସେବେଠାରୁ ଯାଇ ଝିଅ ମାନଙ୍କୁ ପୁଅ ମାନଙ୍କ ସହିତ ନିଜ ବାପାଙ୍କ ସଂପତ୍ତିରେ ସମାନ ଭାଗ ପାଇବାର ଅଧିକାର ମିଳିଲା ବୋଲି ଣୁଣିବାକୁ ମିଳିଲା। କିନ୍ତୁ ଏହା ପୂର୍ବରୁ ବିଧି ଆୟୋଗ ନିଜ ୧୭୪ତମ ରିପୋର୍ଟରେ ହିନ୍ଦୁ ଉତ୍ତରାଧିକାରୀ ଆଇନରେ ସଂଶୋଧନ କରାଯାଉ ବୋଲି ସୁପାରିସ ମଧ୍ୟ କରିସାରିଥିଲା।
କିନ୍ତୁ ଧିରେ ଧିରେ ଏହି ସଂଶୋଧିତ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଏବଂ ବିବାଦ ଜୋର ଧରିଲା ଯେ ଏହି ଅଧିକାର ଟି ଝିଅ ମାନଙ୍କୁ କେବଳ ସଂଶୋଧିତ ହୋଇଥିବା ତାରିଖ ପରଠାରୁ ଲାଗୁହେବ। ଏହାର ଅର୍ଥ ଏହା ଧରି ନିଆଗଲା କି ଯଦି ଝିଅର ପିତାଙ୍କ ମୃତ୍ୟୁ ୯ ସେପ୍ଟେମ୍ବର,୨୦୦୫ ମସିହା ପୂର୍ବରୁ ହୋଇଛି ତେବେ ପିତାଙ୍କ ସଂପତ୍ତିରେ ସେହି ଝିଅର ସମାନ ଭାଗ ପାଇବାର ଅଧିକାର ରହିବ ନାହିଁ। ଯାହାକୁ ନେଇ ଏହା ଉପରେ ଅନେକ ବିରୋଧାଭାଷ ଦେଖାଦେଲା। ଫଳରେ ୨୦୧୫ ମସିହାରେ ସୁପ୍ରିମକୋର୍ଟ ଜଷ୍ଟିସ ଏ.କେ.ଗୋଏଲ୍ ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ, ପ୍ରକାଶ ଏବଂ ଫୁଲବତୀ ମାମଲାରେ ନିଜ ରାୟ ଶୁଣାଇଥିଲେ ଯେ ସଂଶୋଧିତ ହୋଇଥିବା ଆଇନର ଧାରା ୬, ୨୦୦୫ ପୂର୍ବରୁ ଲାଗୁହେବ ନାହିଁ ଅର୍ଥାତ ସଂଶୋଧିତ ତାରିଖ ପୂର୍ବରୁ ଏହାର ଲାଭ ମିଳିବ ନାହିଁ। ଏହାର ଅର୍ଥ ହେଲା, ଏହି ଆଇନ ସେହି ସଂଶୋଧନ ଦିନ ଠାରୁ ଲାଗୁ ହେବ ଅର୍ଥାତ ଯଦି ଝିଅ ଏବଂ ତାଙ୍କ ପିତା ସଂଶୋଧିତ ହୋଇଥିବା ଦିନ ବଞ୍ଚିଥିବେ ଅବା ଝିଅର ବାପା ସଂଶୋଧିତ ତାରିଖ ପୂର୍ବରୁ ମୃତ୍ୟୁବରଣ କରିନଥିବେ, ତେବେ ଯାଇ ଉକ୍ତ ଝିଅକୁ ସମାନ ସମ୍ପତ୍ତି ଅଧିକାର ମିଳିବ।
କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ପୁଣି ୨୦୧୮ ମସିହାରେ ଦନମ୍ମା ବନାମ ଅମର ସିଂ ମାମଲାରେ ସୁପ୍ରିମକୋର୍ଟର ଜଷ୍ଟିସ ଏ.କେ.ସିକ୍ରୀ ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ କହିଲେ ଯେ ଝିଅ ମାନଙ୍କ ତାଙ୍କ ବାପାଙ୍କ ସଂପତ୍ତି ରେ ସମାନ ଭାଗ ବା ଅଧିକାର ରହିବ ଯଦିବା ତାଙ୍କ ବାପାଙ୍କ ମୃତ୍ୟୁ ୨୦୦୧ ମସିହାରେ ହେଇଥାଉ ନା କାହିଁକି। ଏହାର ଅର୍ଥ ହେଲା ବାପାଙ୍କ ମୃତ୍ୟୁ ସେପ୍ଟେମ୍ବର ୯, ୨୦୦୫ ମସିହା ପୂର୍ବରୁ ହେଲେ ମଧ୍ୟ ତାଙ୍କ ଝିଅଙ୍କୁ, ପୁଅଙ୍କ ଭଳି ସଂପତ୍ତି ରେ ସମାନ ଅଧିକାର ରହିବ। ଠିକ୍ ସହି ବର୍ଷ ଏପ୍ରିଲ ମାସରେ ଜଷ୍ଟିସ ଆର୍.କେ.ଅଗରୱଲ୍ ଙ୍କ ନେତୃତ୍ବ ଖଣ୍ଡପୀଠ ପୁଣିଥରେ ୨୦୧୫ ମସିହାରେ ପ୍ରକାଶିତ ରାୟ କୁ ସଠିକ କହି ପୁନଃ ଦୋହରାଇଥିଲେ।
ସୁପ୍ରିମକୋର୍ଟ ଙ୍କ ଉକ୍ତ ଭିନ୍ନ ଭିନ୍ନ ମାମଲାରେ ଅଲଗା ଅଲଗା ପ୍ରକାଶିତ ରାୟ ଜନସାଧାରଣଙ୍କୁ ଦ୍ୱନ୍ଦ ରେ ପକାଇବା ସହ ଏହା କୋର୍ଟଙ୍କୁ ମଧ୍ୟ ସଂଶୋଧିତ ଆଇନର ବ୍ୟାଖ୍ୟା କରିବା ଦିଗରେ ବଡ ଆହ୍ବାନ ସାମ୍ନା କରିବାକୁ ପଡିଲା। କିନ୍ତୁ ବର୍ତ୍ତମାନ ଗଲା ମଙ୍ଗଳବାର ଅର୍ଥାତ ଅଗଷ୍ଟ ୧୧ ତାରିଖରେ ପ୍ରକାଶିତ ରାୟ ସମସ୍ତ ପ୍ରକାର ଦ୍ୱନ୍ଦର ଅବସାନ ଘଟାଇଛି। ସଦ୍ୟ ପ୍ରକାଶିତ ରାୟ ଅନୁସାରେ ପୁଅ ମାନଙ୍କ ସହିତ ଝିଅ ମାନଙ୍କୁ ମଧ ବାପାଙ୍କ ସଂପତ୍ତିରେ ସମାନ ଅଧିକାର ମିଳିଛି। ଏହାର କାରଣ ହେଲା ପୁଅ ମାନଙ୍କ ଭଳି ଝିଅ ମାନଙ୍କର ମଧ୍ୟ ଜନ୍ମ ରୁ ସମାନ ଅଧିକାର ରହିଛି।
ଏଥିପାଇଁ ଏହି କଥାର କୌଣସି ପ୍ରଭାବ ପଡିବ ନାହିଁ କି ପିତାଙ୍କ ସଂପତ୍ତି ଉପରେ ଝିଅଙ୍କ ଅଧିକାର ପାଇଁ ୯ ସେପ୍ଟେମ୍ବର, ୨୦୦୫ ବେଳକୁ ତାଙ୍କରି ପିତା ଜୀବିତ ଥିଲେ ନା ନାହିଁ। ଅର୍ଥାତ ବର୍ତ୍ତମାନ ସମ୍ପତ୍ତି ଅଧିକାର ପାଇବାରେ ଆଉ ଜନ୍ମ କିମ୍ବା ମୃତ୍ୟୁ କେବେ ହେଲା ତା’ର କିଛି ଜାଣିବା ଆବଶ୍ୟକ ନାହିଁ। ଜଷ୍ଟିସ ଅରୁଣ ମିଶ୍ର ଙ୍କ ନେତୃତ୍ବରେ ଅନ୍ୟ ଦୁଇ ଜଷ୍ଟିସ ଏସ୍.ଅବଦୁଲ ନଜିର ଏବଂ ଏମ୍.ଆର୍.ସାହା ଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏକ ଲୋକକଥା ଯଥା ” ପୁଅ ସେହି ସମୟ ପର୍ଯ୍ୟନ୍ତ ବାପା ମାଆର ପୁଅ ହୋଇ ରହିଥାଏ ଯେପର୍ଯ୍ୟନ୍ତ ତା’କୁ ତା’ ସ୍ତ୍ରୀ ନ ମିଳିଯାଇଛି କିନ୍ତୁ ଝିଅ ବାହା ହୋଇକି ପର ଘରକୁ ଗଲେ ମଧ୍ୟ ସେ ମାଆ ଏବଂ ବାପାର ସେହି ଗେହ୍ଲି ଝିଅ ହୋଇ ରହିଥାଏ ” ର ସାହାରା ନେଇ ସଂଶୋଧିତ ଆଇନକୁ ବ୍ୟାଖ୍ୟା କଲେ ଏବଂ ରାୟ ଦେଲେ ଯେ ଧାରା ୬ ସ୍ପଷ୍ଟ କରୁଛି ଯେ ଝିଅ ମାନଙ୍କୁ ପୁଅ ମାନଙ୍କ ସହ ପୌତୃକ ସଂପତ୍ତି ଉପରେ ସମାନ ଅଧିକାର ରହିଛି।
ଏହାର ଅର୍ଥ ୧୯୫୬ ମସିହା ପରଠାରୁ ପ୍ରତ୍ୟେକ ଝିଅଙ୍କ ତାଙ୍କରି ବାପାଙ୍କ ସଂପତ୍ତିରେ ନିଜ ଭାଇଙ୍କ ଭଳି ସମାନ ଭାଗ ପାଇବାର ଅଧିକାର ରହିଛି। ଏହା ସହ କୋର୍ଟ ନିମ୍ନ ଅଦାଲତରେ ପଡିରହିଥିବା ଏହି ସମ୍ପର୍କିତ ମାମଲା ଗୁଡିକୁ ଏହି ରାୟ ସାହାରାରେ ୬ ମାସ ମଧ୍ୟରେ ଶିଘ୍ର ସମାଧାନ କରିବା ସକାଶେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ଆଇନ ସମସ୍ତ ହିନ୍ଦୁ ପରିବାର ପାଇଁ ଲାଗୁ ହେବ। ଏହାର ଅର୍ଥ ହିନ୍ଦୁ ମାନଙ୍କ ସହ ବୌଦ୍ଧ ଧର୍ମାବଲମ୍ବୀ, ଶିଖ୍, ଜୈନ, ଆର୍ଯ୍ୟ ଏବଂ ବ୍ରହ୍ମୋ ସମାଜର ସମର୍ଥକ ଯାହାକୁ ହିନ୍ଦୁ ବୋଲି ଧରାଯାଏ, ସେମାନେ ମଧ୍ୟ ଏହି ଆଇନର ଅନ୍ତର୍ଭୁକ୍ତ ହେବେ। କିନ୍ତୁ ମାନବୀୟ ଦୃଷ୍ଟି କୋଣରେ ଦେଖିଲେ ଅନ୍ୟ ଧର୍ମାବଲମ୍ବୀ ମହିଳା ଏଥିରୁ ବଞ୍ଚିତ ରହିବା ପୁଣିଥରେ ସମଗ୍ର ନାରୀ ଅଧିକାର ପ୍ରତି ଆଉ ଏକ ଆହ୍ୱାନ ସୃଷ୍ଟି କରୁଛି। ଅତଏବ ଏହି ଅଧିକାରକୁ ଧର୍ମ ଠାରୁ ଉର୍ଦ୍ଧ୍ବରେ ରଖି ସମଗ୍ର ନାରୀ ଜାତି ପାଇଁ ଲାଗୁ କରିବାର ଆବଶ୍ୟକତା ରହିଛି। ଏହା ନିଶ୍ଚିତ ଖୁସିର ବିଷୟ ଯେ ଦେଶ ନିଜ ୭୪ତମ ସ୍ୱାଧିନ ଦିବସ ପାଳନ କରିବା ପୂର୍ବରୁ ଏହି ସମାନତା ଅଧିକାର ସ୍ୱାଧିନତା ଦିବସ ଉପଲକ୍ଷେ ଏହାକୁ ଉପହାର ସ୍ୱରୂପ ଝିଅମାନଙ୍କୁ ପ୍ରଦାନ କରିଛି। କିନ୍ତୁ ଅନୁଧ୍ୟାନର ବିଷୟ ଏହା ଯେ ଏହା କେତେଦୂର ଫଳ ପ୍ରଦ ହେବାକୁ ଯାଉଛି ନା ଆଇନ ତା ବାଟରେ ଏବଂ ବାସ୍ତବ ଚିତ୍ର କିଛି ଅଲଗା କହିବ।