ଘଟଗାଁ,୦୯/୨୩- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ନାକଝରୀ ଗ୍ରାମ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ସଦର ବ୍ଲକ ଅନ୍ତର୍ଗତ କେରି ଗ୍ରାମର ସଞ୍ଜୟ ମୁଣ୍ଡା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ସଞ୍ଜୟ ଦୀର୍ଘ ବର୍ଷ ହେବ ଘଟଗାଁ ବ୍ଲକ ତରା ଗ୍ରାମରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ସେ ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଛାତ୍ର ହୋଇଥିବା ବେଳେ ଆଜି ଟିଉସନ ସାରି ସାଇକେଲ ଯୋଗେ ତରା ଗ୍ରାମରୁ ଯାଉଥିବା ବେଳେ ତାଙ୍କୁ ଦୃତ ଗତିରେ ଯାଉଥିବା ଏକ ବାଇକ ଧକ୍କାଦେଇଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ଏକ ମାମଲା ରୁଜୁକରି ଘଟଣା ର ତଦନ୍ତ ଚଳାଇଛି।
