ପୁରୁଷୋତ୍ତମପୁର :(୦୪/୦୩/୨୦୨୧) : ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ଐତିହାସିକ ଜଉଗଡ଼ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ଯ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ, ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କିର୍ତ୍ତି ଭାସନ, ମହାନଗର କମିଶନର ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଶେଷ ତଥା ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ଜଉଗଡ଼ର ସଂପୂର୍ଣ୍ଣ ଇତିହାସ ବିନା ବିଶ୍ବ ଇତିହାସ ଅସମ୍ପୂର୍ଣ୍ଣ ବୋଲି ଅତିଥି ମାନେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଜଉଗଡ଼ କୁ ବିଶ୍ବ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା କରାଯିବ ବୋଲି କହିଥିଲେ ଉପସ୍ଥିତ ଅତିଥି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପରିବେଷଣ କରାଯାଇଥିବା ଓଡ଼ିଶୀ, ସମ୍ବଲପୁରୀ, ଛଉ ନୃତ୍ୟ ଅତ୍ଯନ୍ତ ଚିତାକର୍ଷକ ହୋଇଥିଲା।କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ବରେ ଏହି ମହୋତ୍ସବ ଚଳିତବର୍ଷ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ବେଳେ ଜଉଗଡ଼ କମିଟି, ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିଥିଲେ ବିଧାୟିକା।
ରୁଷିକୂଲ୍ୟା ନିକଟରେ ଥିବା ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥଳକୁ ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକଲୋଚନକୁ ଆଣିବା ଅଭିପ୍ରାୟ ରଖି ଏହି ମହୋତ୍ସବ ଆୟୋଜନ ହୋଇଛି ବୋଲି କହିଥିଲେ ବିଧାୟିକା ଲତିକା ପ୍ରଧାନ। ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ଓଡ଼ିଆ ଧାରାବାହିକ ଅଭିନେତ୍ରୀ ଏଲିନା। ଏଥି ସହିତ ହାସ୍ୟ କଳାକାର ପ୍ରଜ୍ଞାନ ଓ ଶଂକରଙ୍କ ହସ ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିଥିଲା।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ