ଛତ୍ରପୁର ୧୮/୭: ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାକୁ ରୋକ୍ ଲଗାଇବା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ଆହୁରି ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି । ଏହା ସହିତ ଅମାନିଆମାନଙ୍କ ନିମନ୍ତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଆଜି ଛତ୍ରପୁର ଏନଏସିର ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଅପର ପକ୍ଷରେ ଏନଏସି ପକ୍ଷରୁ କରୋନା ସଂକ୍ରମଣକୁ ରୋକିବା ଦିଗରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନା କରାଯିବା ସହ ୫ଟି ଟିମ୍ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଲକ୍ଷ୍ୟଣ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କ ସ୍ୱାବ୍ ଟେଷ୍ଟ୍ କରାଯାଉଛି ।
ଏହା ସହିତ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ୍ ଭ୍ୟାନ୍ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଉଛି ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏହି ସ୍ୱାବ୍ ଟେଷ୍ଟ କରାଯାଉଛି । ଯେଉଁ ମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନଙ୍କୁ କୋଭିଡ୍ ଆମ୍ବୁଲାନ୍ସ ଦ୍ୱାରା କୋଭିଡ୍ କେୟାର ହୋମ୍ ଏବଂ ଶୀଳତଳାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସପିଟାଲକୁ ପଠାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ୫ଟି ଟିମ୍ ବିଭିନ୍ନ ସାହି ବସ୍ତି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଥିବା ଦେଖିବାକୁ ମିଳିଥିଲା ।
ଏଥିରେ ଆୟୁଷ ଡାକ୍ତର ଜ୍ଞାନ ଚନ୍ଦ୍ର ମିଶ୍ର, ଏନଏସି ଟ୍ୟାକ୍ସ କଲେକଟର ଏସ୍. ଦାଲେୟା ରେଡ୍ଡି, ଏଏନଏମ୍ ବନଲତା ମିଶ୍ର, ଅଙ୍ଗନବାଡ଼ି କର୍ମୀ ଜି. ସରସ୍ୱତୀ ଓ ଲିଲି ବେହେରାଙ୍କ ସମେତ ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ରହିଥିଲେ । ସେହିପରି ଅନୁରୂପ ଆଉ ୪ଗୋଟି ଟିମ୍ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିବା ଦେଖିବାକୁ ମିଳିଛି । ସେହିପରି ଆଜିଠୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ କୁ କିପରି ସୁଚାରୁ ରୂପେ ବ୍ୟବସାୟୀ ଓ ଲୋକମାନେ ପାଳନ କରୁଛନ୍ତି କି ନାହିଁ ଏଥି ନିମନ୍ତେ ଏନଏସି ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏନଏସିର ବିଭିନ୍ନ ସାହି ବୁଲି ତଦାରଖ କରାଯାଇଥିଲା ।
ଆଜି ସୁଦ୍ଧା ଛତ୍ରପୁର ଏନଏସି ରେ ୩୫ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୯ଜଣ ସୁସ୍ଥ ହୋଇଛନ୍ତି । ୧୬ଜଣ ଆକ୍ଟିଭ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ହୋମ ଆଇସୋଲସନରେ ରହିଥିବା ବେଳେ ବଳକା ୧୨ଜଣ ଆନୁଷ୍ଠାନିକ ଆଇସୋଲସନରେ ଥିବା ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।ସେହିପରି ଗଞ୍ଜାମ ଜିଲାର ବିଭିନ୍ନ ସହରାଞ୍ଚଳରେ ଘର ଦୁଆରେ ଡାକ୍ତରୀ ଟିମ୍ ତଥା ରାପିଡ୍ ରେସ୍ପନ୍ସ ଟିମ୍ ପହଞ୍ଚି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ କରୁଛନ୍ତି।
ଏହି ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂରେ ଉକ୍ତ ଟିମ୍କୁ ସହଯୋଗ କରିବା ସହ ଲକ୍ଷଣଗୁଡିକୁ ନ ଲୁଚାଇବାକୁ ଆଇଏଏସ୍ ତଥା ଛତ୍ରପୁର ସବ୍ଡିଭିଜନର ସ୍ବତନ୍ତ୍ର ଏଡିଏମ ପାରୁଲ ପଟଉଆରି ଟୁଇଟ୍ କରି କହିଛନ୍ତି। ଏହି ରାପିଡ୍ ରେସ୍ପନ୍ସ ଟିମ୍ରେ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଓ ହେଲ୍ପର ରହିଛନ୍ତି। ଛତ୍ରପୁର ଏନ୍ଏସିରେ ୫ଟି ଡାକ୍ତରୀ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଗଞ୍ଜାମ ଓ ରମ୍ଭା ଏନ୍ଏସିର ରେଡ୍ ଜୋନ୍ ୱାର୍ଡ ମାନଙ୍କରେ ଶନିବାର ସାନିଟାଇଜ କରାଯାଇଛି। ଏଥିସହ ମହିଳା ସଂଘ ପକ୍ଷରୁ କୋଭିଡ୍ ସଚେତନତା ଓ ପୋଖରୀରେ ନ ଗାଧୋଇବାକୁ କୁହାଯାଉଥିବା ସ୍ବତନ୍ତ୍ର ଏଡିଏମ୍ ସୂଚନା ଦେଇଛନ୍ତି।
