Odisha news

ଦଣ୍ଡ ମୁକ୍ତ ଅଞ୍ଚଳରେ ଶିଶୁଙ୍କୁ ଶକ୍ତ ପ୍ରହାର, ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ ।

0

ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବଢ଼ିବାରେ ଲାଗିଛି ଶିଶୁମାନଙ୍କୁ ନିର୍ଯ୍ୟାତନା । ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବିଦ୍ୟାଳୟ ଗୁଡ଼ିକରେ ଛାତ୍ର ଛାତ୍ରୀଙ୍କୁ ବିନା ଦଣ୍ଡରେ ପାଠ ପଢ଼ାଇବାକୁ ନିଦେ୍ର୍ଦଶ ରହିଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାରମ୍ବାର ଛାତ୍ର ଛାତ୍ରୀମାନଙ୍କୁ ମାଡ଼ ମରାଯିବା ଅଭିଯୋଗ ହେଉଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରୁ ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗର ନିଦ ଭାଙ୍ଗୁନି । ଗତ କିଛି ଦିନ ତଳେ କେ. ବରିଡ଼ା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରି ହାତ ଫୁଲାଇ ଦେଇଥିବା ବେଳେ କୋଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏବେ ପୁଣି ଏହି ବ୍ଲକ୍ର ଅଙ୍ଗାରଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ସମାନ ଅଭିଯୋଗ । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଇଂରାଜୀ ନ ଆସିବା ନେଇ ଶିକ୍ଷକ ବାଉରୀ ବନ୍ଧୁ ସେଠୀ ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ । ଛାତ୍ରୀଙ୍କ ହାତରେ ଶକ୍ତ ଆଘାତ ଲାଗିଥିବା ବେଳେ ସେ ମେଡ଼ିକେଲରେ ଚିକିତ୍ସିତ ହୋଇଥିଲେ । ଏ ନେଇ ପରିବାର ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ କୋଦଳା ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ତେବେ ଏ ଯାଏଁ କୋ÷ଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ । ବାରମ୍ବାର ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ଉଠିଛି ପ୍ରଶ୍ନ । ସଂପୃକ୍ତ ଶିକ୍ଷକ ଜଣକ ପୁର୍ବରୁ ଦୋଷ ସ୍ୱୀକାର କରିଥିବା ବେଳେ ଏବେ ଘଟଣାକୁ ଏଡ଼ାଇ ଯାଉଛନ୍ତି । କାହା ଚାପରେ ଦୋଷୀକୁ ଦଣ୍ଡ ମିଳୁନି ଏବଂ ଘଟଣାକୁ ନେଇ କାହିଁକି ନିରବ ଦ୍ରଷ୍ଟା ସାଜିଛି ଶିକ୍ଷା ବିଭାଗ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave A Reply