Odisha news

୮ ଶୈବପୀଠରେ ଦେବଦମ୍ପତିଙ୍କ ବିବାହ

0

ଗଣିଆ  : ଶୀତଳଷଷ୍ଠୀ  ଅବସରରେ ବୁଧବାର ଗଣିଆ ବ୍ଳକର ୮ଟି ପ୍ରମୁଖ ଶୈବପୀଠରେ ଶିବପାର୍ବତୀଙ୍କ ବିବାହ ମହାଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ପଚୁଂପଲ୍ଲୀପ୍ରଗଣାସ୍ଥିତ ଗୁପ୍ତେଶ୍ଵର ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ସୋମବାର ମଧାହ୍ନ ରେ ଅନୁଷ୍ଠିତ ହୋଇଥିଲା ।ଚଳିତବର୍ଷ ମାତା ପାର୍ବତୀଙ୍କ ସୌଭାଗ୍ଯ ଲାଭ କରିଥିବା ଗଙ୍ଗାଧର ସାହୁ ଗତ ମଙ୍ଗଳବାର ରିତିନୀତି ଅନୁଯାୟୀ ମଙ୍ଗଳକୃତ୍ୟ  ଓ ବରଧରା କାର୍ଯ୍ଯ କରିଥିଲେ । ବୁଧବାର ମଧାହ୍ନରେ ବରପିତା ଭାବେ ମଳୟ ରଞ୍ଜନ ପଟ୍ଟନାୟକ ବରଯାତ୍ରୀଙ୍କ ସହ ପ୍ରଭୁ ଗୁପ୍ତେଶ୍ଵର ମହାଦେବଙ୍କୁ ବର ବେଶରେ ସଜେଇ ଡିମିରିଛକ ଦୋଳମଣ୍ଡପଠାରୁ ବାଜା,ବାଣ ଓ ପଟ୍ଟୁଆର ସହ ମନ୍ଦିର ପରିସର ବିବାହ ମଣ୍ଡପରେ ପହଞ୍ଚିଥିଲେ ।କନ୍ୟାପିତା ପ୍ରଭୁ ଗୁପ୍ତେଶ୍ଵରଙ୍କୁ ବାଟବରଣୀ କରି ବିବାହ ମଣ୍ଡପକୁ ପାଛୋଟି ନେଇଥିଲେ ।ମନ୍ଦିର ବଡୁପୂଜକ ସମାଜ ତରଫରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ଥଣ୍ଡା ପାଣି,ପଣା ଓ ଭୋଜିଭାତରେ ଆପ୍ୟାୟିତ କରାଯାଇଥିଲା । ଅପରପକ୍ଷେ କୁଳ ପୁରୋହିତ କାଳନ୍ଦୀ ମିଶ୍ରଙ୍କ ମନ୍ତ୍ରଧ୍ବନୀ ସହ ହରିବୋଲ, ହୁଳହୁଳି,ଘଣ୍ଟ  ଓ ସଂକୀର୍ତ୍ତନ ଧ୍ବନୀରେ ପ୍ରଭୁ ଗୁପ୍ତେଶ୍ଵର ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଅପରାହ୍ନ ୫ଟାରେ ସମାପନ ହୋଇଥିଲା । ସେହିପରି ବୁଧବାର ସଂନ୍ଧ୍ଯାରେ ବ୍ଲକର ରାଉତପଡା,ଗଣିଆ, ଜଗନ୍ନାଥପ୍ରସାଦ, ବଡମୂଳ, ଡଙ୍କାରିସାହି, ପତଣ୍ଡା ଓ ଇନ୍ଦିପଟ୍ଟା  ଗ୍ରାମର ଶୈବ ପୀଠରେ ଦେବଦମ୍ପତିଙ୍କ ବିବାହ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply