ଶେଖ୍ ଫରିଦ୍ଉଦ୍ଦିନ୍ : ୧୯୧୫ ଜାନୁଆରୀ ୯ ତାରିଖରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ନିଜ ଜନ୍ମମାଟି ଭାରତରେ ପହଞ୍ଚôଥିଲେ । ସେତେବେଳେ ଗାନ୍ଧୀ ନା ଥିଲେ ମହାତ୍ମା ନା ବାପୁ । ତଥାପି, ଅନେକ ଭାରତବାସୀ ଆଶା ବାନ୍ଧିଥିଲେ ଯେ, ସେ ପରାଧୀନ ଭାରତକୁ ସ୍ୱାଧୀନ କରିବେ । ଭାରତର ମୁକ୍ତି ପାଇଁ ସଂଗ୍ରାମ ଆରମ୍ଭ କରିବା ପୂର୍ବରୁ ଗାନ୍ଧୀ ଚାହିଁଥିଲେ ଭାରତକୁ ଜାଣିବେ, ଭାରତୀୟଙ୍କୁ ଚିହ୍ନିବେ । ସେଥିପାଇଁ ସେ ଆରମ୍ଭ କରିଥିଲେ ରେଳରେ ଭାରତ ଭ୍ରମଣ ଏବଂ ଏଥି ସହ ଆରମ୍ଭ ହୋଇଥିଲା ଭାରତର ଅନ୍ଧାରରୁ ଆଲୋକ ଆଡ଼କୁ ଯାତ୍ରା । ଆଜି ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନର ଶହେ ଛଅ ବର୍ଷ ପୂର୍ତ୍ତି ଉପଲକ୍ଷେ ।
ଓଡ଼ିଶା ସହ ପ୍ରଥମ ପରିଚୟ : ୧୯୧୯-୨୦ରେ ପୁରୀ ଜିଲ୍ଲାରେ ଦୁର୍ଭିକ୍ଷ ପଡ଼ିଲା । ଡଭାର ଗାଁରୁ ଆରମ୍ଭ କରି ଏହି ଦୁର୍ଭିକ୍ଷ କ୍ରମେ ପୁରୀ ସଦନ, ଗୋପ, ବାଲିଅନ୍ତା ଓ ବାଣପୁରକୁ ବ୍ୟାପୀଲା । ୧୮୬୬ର ନଅ ଅଙ୍କ ଦୁର୍ଭିକ୍ଷ ପରେ ଏହା ଓଡ଼ିଶା ପାଇଁ ଦ୍ୱିତୀୟ ବଡ଼ ପ୍ରାକୃତିକ ବିପର୍ଯ୍ୟୟ । ବ୍ରିଟିଶ ସରକାର ସବୁ ଦେଖୁଥାନ୍ତି ସତ ଲୋକଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥାନ୍ତି । ଏହା ଉକ୍ରଳମଣି ଗୋପବନ୍ଧୁଙ୍କୁ ଖୁବ୍ ବାଧିଲା । ମହାତ୍ମା ଜାଣିଲେ, ହୁଏତ କିଛି ପ୍ରତିକାର ହୋଇପାରିବ ଭାବି, ସେ ଚିଠି ଲେଖିଲେ । ଚିଠିଟି ପଢ଼ି ମହାତ୍ମା ବ୍ୟଥିତ ହେଲେ ଏବଂ ଗୁଜରାତୀ ଭାଷାରେ ପ୍ରକାଶ ପାଉଥିବା ନବଜୀବନରେ ଓଡ଼ିଶାରେ ଦୁର୍ଭିକ୍ଷ ଶୀର୍ଷକ ଲେଖାଟିଏ ଲେଖିଥିଲେ । ଗୋପବନ୍ଧୁଙ୍କ ମାଧ୍ୟମରେ ହିଁ ଓଡ଼ିଶା ସହ ତାଙ୍କର ପ୍ରଥମ ପରିଚୟ ।
କାଠଯୋଡ଼ି ବାଲିରେ ସଭା : ଓଡ଼ିଶା ତଥା ଓଡ଼ିଆଙ୍କୁ ଜାତୀୟ ଜୀବନର ମହାସ୍ରୋତରେ ମିଶାଇବା ପାଇଁ ପ୍ରଥମେ ଯେଉଁମାନେ ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରେ ଉକ୍ରଳମଣି ଗୋପବନ୍ଧୁ ପ୍ରମୁଖ । ତାଙ୍କ ନିୟନ୍ତ୍ରଣରେ ପ୍ରଥମ ଥର ପାଇଁ ମହାତ୍ମାଙ୍କ ପାଦ ଓଡ଼ିଶାରେ ପଡ଼ିଥିଲା । ୧୯୨୦ ସେପ୍ଟେମ୍ବରରେ କାଲକାତାରେ ଅନୁଷ୍ଠିତ ନିଖିଳ ଭାରତୀୟ କଂଗ୍ରେସର ବିଶେଷ ଅଧିବେଶନରେ ଓଡ଼ିଶା ଗସ୍ତ କରିବା ପାଇଁ ଉକ୍ରଳମଣି ଅନୁରୋଧ କରିଥିଲେ । ୧୯୨୧ରେ ଆରମ୍ଭ ହୋଇଥିଲା ଅସହଯୋଗ ଆନେ୍ଦାଳନ । ଏହି ଆନେ୍ଦାଳନକୁ ସୁଦୂରପ୍ରସାରୀ କରିବା ପାଇଁ ମହାତ୍ମା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ । ଏହି କ୍ରମରେ ୨୩ ମାର୍ଚ୍ଚ ୧୯୨୧ରେ ସେ କଟକରେ ପହଞ୍ଚôଥିଲେ । ସେ ଦିନ ଥିଲା ଦୋଳ ପୂର୍ଣ୍ଣିମା । ପୂର୍ବ ସାଙ୍ଗକୁ ମହାତ୍ମାଙ୍କ ଆଗମନ ସମଗ୍ର ରାଜ୍ୟ ଉତ୍ସବ ମୁଖରିତ ହୋଇଉଠିଥିଲା । ମହାତ୍ମାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ କଟକରେ ପହଞ୍ଚôଥିଲେ ।
ମହାତ୍ମା ରେଳରୁ ଓହ୍ଲାଇବା କ୍ଷଣି ମହାତ୍ମା ଗାନ୍ଧୀ କି ଜୟ, ବନେ୍ଦ ମାତରଂ ଆଦି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଉକ୍ତ ଦିନ ଅପରାହ୍ନରେ କାଠଯୋଡ଼ି କୂଳ ଗଣେଶ ଘାଟ ନିକଟରେ ଶୁଖିଲା ନଦୀର ବିସ୍ତୃତ ବାଲୁକା ଉପରେ ସଭା ଅନୁଷ୍ଠିତ ହୋଇଥିଲା । ବଡ଼ ବଡ଼ କାଠ ଖଟ ପକାଇ, ତିଆରି କରାଯାଇଥିବା ମଞ୍ଚ ଉପରେ ମହାତ୍ମାଙ୍କୁ ନେଇ ମଞ୍ଚାସୀନ କରାଇଥିଲେ ଉକ୍ରଳମଣି । ଛିଡ଼ା ହେବାକୁ ଅକ୍ଷମ ଥିବା ମହାତ୍ମା କାଠ ଚୌକିରେ ବସି ହିନ୍ଦୀରେ ଭାଷଣ ଦେଇଥିଲେ । କଟକରେ ଦୁଇ ଦିନ ରହି ନେତା ତଥା ସାଧାରଣ ଲୋକଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ମହାତ୍ମା ଯାଇଥିଲେ ଭଦ୍ରଖ । ଭଦ୍ରଖରୁ ସତ୍ୟବାଦୀ ତାହା ପରେ ପୁରୀ ଓ ବ୍ରହ୍ମପୁର । ତାଙ୍କର ପ୍ରଥମ ଓଡ଼ିଆ ଗସ୍ତ ଶେଷ ହୋଇଥିଲା ୩୧ ମାର୍ଚ୍ଚରେ ।
ମହାତ୍ମାଙ୍କୁ ଭେଟିଥିବା ପ୍ରଥମ ଓଡ଼ିଆ : ମହାତ୍ମାଙ୍କୁ ଭେଟିଥିବା ପ୍ରଥମ ଓଡ଼ିଆ ଥିଲେ ଦଶପଲ୍ଲାର ମୁକ୍ତି ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର । ଦଶପଲ୍ଲାର କନ୍ଧମେଳି ଓ ଶାସକମାନଙ୍କର ନିର୍ମମ ଅତ୍ୟାଚାର ତଥା ନରହତ୍ୟା ଦେଖି ଦେଖି ବ୍ୟଥିତ ହୋଇଥିଲେ ଗୋବିନ୍ଦ । ଇଂରେଜମାନଙ୍କୁ ନ ତଡ଼ିବା ଯାଏ ଦେଶବାସୀ ସୁରକ୍ଷିତ ନୁହନ୍ତି ଏହାକୁ ମନରେ ଗ୍ରହଣ କରି ସେ ଓଡ଼ିଶା ଛାଡ଼ିଥିଲେ । କାଲକାତାରେ ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଶାନ୍ତିନିକେତନରେ ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟି ଓଡ଼ିଶାର ଦୁଃଖ ଜଣାଇଥିଲେ । ତାହା ପରେ ଦୀନବନ୍ଧୁ ଆଣ୍ଡ୍ରୁଜ୍ଙ୍କ ସହ ଦେଖା ହୋଇଥିଲା । ତାଙ୍କ ପରାମର୍ଶ ମାନି ଯାଇଥିଲେ ମହାତ୍ମାଙ୍କ ସାବରମତୀ ଆଶ୍ରମ ।
ଖଦିର ପ୍ରସାର : ଡିସେମ୍ବରରେ ମହାତ୍ମା ତୃତୀୟ ଥର ପାଇଁ ଓଡ଼ିଶା ଆସିଥିଲେ । ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ନଭେମ୍ବରରେ ଆସିବାର ଥିଲା । ତେବେ ସମସ୍ୟା ଯୋଗୁଁ ଆସିଥିଲେ ଡିସେମ୍ବର ପ୍ରଥମ ସପ୍ତାହରେ । ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଭଲରହୁ ନଥିଲା । ଏକ ମାସ ଓଡ଼ିଶାରେ ବୁଲିବେ ବୋଲି ସ୍ଥିର କରିଥିଲେ ହେଁ କୋଡିଏ ଦିନରେ ଗସ୍ତ ଶେଷ କରିଥିଲେ ।
ଆନ୍ଧ୍ର ଗସ୍ତ ଶେଷ କରି ସେ ବ୍ରହ୍ମପୁରରେ ପହଞ୍ଚôଥିଲେ ୪ ଡିସେମ୍ବରରେ । ବ୍ରହ୍ମପୁରରେ ଦୁଇଟି ସଭା ଅନୁଷ୍ଠିତ ହୋଇଥିଲା । ଗୋଟିଏ ସଭାରେ ଚରଖା, ଖଦି, ସ୍ୱଦେଶୀ ବସ୍ତ୍ର ଆଦି ସପକ୍ଷରେ ବକ୍ତବ୍ୟ ରଖିଥିଲେ । ଛାତ୍ରମାନଙ୍କ ଦ୍ୱାରା ଆୟୋଜିତ ଦ୍ୱିତୀୟ ସଭାରେ ପ୍ରାର୍ଥନାର ଗୁରୁତ୍ୱ ବୁଝାଇଥିଲେ । ତାହା ପରେ ଛତ୍ରପୁର, ବୋଲଗଡ଼, ବାଣପୁର, ଖୋର୍ଦ୍ଧା, ଜଟଣୀ, ପୁରୀ, ବାଲେଶ୍ୱର, ଭଦ୍ରଖ ଗସ୍ତ ସାରି ପହଞ୍ଚôଥିଲେ କଟକରେ । ୨୧ ଡିସେମ୍ବର ରାତିରେ ମାଡ଼୍ରାସ ମେଲ୍ରେ କଟକ ଛାଡ଼ିଥିଲେ ।
ଉକ୍ରଳ ଗୌରବଙ୍କ ଅନୁରୋଧ ରଖିଲେ : ୧୯୨୫ ବେଳକୁ କଂଗ୍ରେସ କାର୍ଯ୍ୟକ୍ରମ ମାନଙ୍କରୁ ଟିକିଏ ଦୂରେଇ ସଙ୍ଗଠନ କାମ ଓ କୁଟୀରଶିଳ୍ପର ପ୍ରସାର ଦିଗରେ ଅଧିକ ସମୟ ଦେବା ପାଇଁ ମହାତ୍ମା ନିଷ୍ପତ୍ତି ନେଇସାରିଥିଲେ । ସେହି ସମୟରେ ଓଡ଼ିଶାରେ ଏଭଳି କାର୍ଯ୍ୟ ମାନଙ୍କୁ ଗୁରୁତ୍ୱ ଦେଉଥିଲେ ଉକ୍ରଳ ଗୌରବ ମଧୁସୂଦନ ଦାସ । ମଧୁସୂଦନଙ୍କ ଅନୁରୋଧରେ ଦ୍ୱିତୀୟ ଥର ପାଇଁ ମହାତ୍ମାଙ୍କ ପାଦ ଓଡ଼ିଶାରେ ପଡ଼ିଲା । ସେ ୧୯ ଅଗଷ୍ଟ ୧୯୨୫ରେ ରେଳରେ ଆସି କଟକରେ ପହଞ୍ଚôଥିଲେ । ସଙ୍ଗରେ ଥିଲେ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ, କାଲକାତାର ବିତ୍ତଶାଳୀ ମାରୱାଡ଼ୀ ବ୍ୟବସାୟୀ ରଙ୍ଗଲାଲ ।
ଷ୍ଟେସନରୁ ପାଛୋଟି ଆଣିଥିଲେ ମଧୁସୂଦନ ଓ ଉକ୍ରଳମଣି ଗୋପବନ୍ଧୁ । ମହାତ୍ମା କଟକ ଚାଉଳିଆଗଞ୍ଜସ୍ଥିତ ଉକ୍ରଳ ଟାନେରୀ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟ କରୁଥିବା ଅଛୁଆଁ ଶ୍ରମିକଙ୍କ ସହ କିଛି ସମୟ ବିତାଇଥିଲେ । ପୁଣି ସାବରମତୀରେ ଗୋଟିଏ ଟାନେରୀ ପ୍ରତିଷ୍ଠା କରିବା ପାଇଁ ମଧୁବାବୁଙ୍କ ପରାମର୍ଶ ନେଇଥିଲେ । ୨୦ ଅଗଷ୍ଟରେ କଟକସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ ।
ସମ୍ବଲପୁରରେ ବାପୁ : ୧୯୨୧-୨୮ ମଧ୍ୟରେ ମହାତ୍ମା ତିନି ତିନି ଥର ଓଡ଼ିଶା ଗସ୍ତରେ ଆସିଥିଲେ ହେଁ ସମ୍ବଲପୁରରେ ତାଙ୍କର ପାଦ ପଡ଼ି ନଥିଲା । ଏହି କାରଣରୁ ସମ୍ବଲପୁରବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଗଭୀର ଦୁଃଖ । ଅସହଯୋଗ ଆନେ୍ଦାଳନକୁ ସମ୍ବଲପୁର ବାସୀଙ୍କ ଅବଦାନ ସଂପର୍କରେ ମହାତ୍ମା ନାନା କଥା ଶୁଣିଥିଲେ ।
ତେଣୁ ସମ୍ବଲପୁରବାସୀଙ୍କ ଦାବିକୁ ସମ୍ମାନ ଦେଇ ମୁମ୍ବଈରୁ କାଲକାତା ଯିବା ବାଟରେ ୨୨ ଡିସେମ୍ବର ୧୯୨୮ରେ ଝାରସୁଗୁଡ଼ା ଷ୍ଟେସନରେ ଓହ୍ଲାଇ ସମ୍ବଲପୁର ଆସିଥିଲେ । ମହାନଦୀ ବାଲିରେ ସାଧାରଣ ସଭା ହୋଇଥିଲା । ଦାରିଦ୍ର ଦୂରୀକରଣ ପାଇଁ ଖଦୀର ଗୁରୁତ୍ୱ ବୁଝାଇଥିଲେ । ସନ୍ଧ୍ୟାରେ ମହିଳା ସଭାରେ ବକ୍ତବ୍ୟ ରଖି କାଲକାତା ଯାତ୍ରା କରିଥିଲେ ।
ହରିଜନ ଯାତ୍ରା : ୭ ନଭେମ୍ବର ୧୯୩୩ରେ ମହାତ୍ମା ଅସ୍ପୃଶ୍ୟତା ବିରୋଧରେ ହରିଜନ ଯାତ୍ରା ଆରମ୍ଭ କରିଥିଲେ । ୧୯୩୪ ଅଗଷ୍ଟରେ ଏହି ଯାତ୍ରା ଶେଷ ହୋଇଥିଲା । ଏହି ଦଶ ମାସରେ ସେ ୧୨୦୦ ମାଇଲ ବୁଲିଥିଲେ, ସେଥିରୁ ୧୫୬ ମାଇଲ ପାଦରେ ଚାଲି ଚାଲି । ଏହି କାଳରେ ହରିଜନଙ୍କ ଉନ୍ନତି ପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ । ଏହି ଉପଲକ୍ଷେ ସେ ଓଡ଼ିଶାରେ ବ୍ୟାପକ ଭାବେ ଗସ୍ତ କରିଥିଲେ । ପ୍ରଥମେ ୧୨ ଦିନ କଟାଇବେ ବୋଲି ସ୍ଥିର ହୋଇଥିଲା ।
ତେବେ ଓଡ଼ିଶାରେ ବୁଲୁ ବୁଲୁ ୨୧ ଦିନ ବିତିଯାଇଥିଲା । ବିହାରରୁ ବାହାରି ମେ ୫ରେ ପହଞ୍ଚôଥିଲେ ଝାରସୁଗୁଡ଼ାରେ । ତାହାପରେ ଅନୁଗୁଳ । ଅନୁଗୁଳ ସେତେ ବେଳେ ଥିଲା ଏକ ବିଚିତ୍ର ଇଲାକା । ଆଇନକାନୁନ୍ ବୋଲି କିଛି ନଥିଲା । ହାକିମଙ୍କ ତୁଣ୍ଡରୁ ଯାହା ବାହାରିବ ତାହା ଥିଲା ଆଇନ । ମହାତ୍ମାଙ୍କୁ କେହି ଆଶ୍ରୟ ଦେଇପାରିବେ ନାହିଁ ବୋଲି ଘୋଷଣା କରାଯାଇଥିଲା । ଅନୁଗୁଳ ଦେଇ ନ ଯିବା ପାଇଁ ତାଙ୍କୁ କେହି କେହି ଉପଦେଶ ଦେଇଥିଲେ । ତାହା ଶୁଣି ମହାତ୍ମା କହିଥିଲେ ଆଶ୍ରୟ ନ ମିଳିଲେ ଗଛ ମୂଳେ ରହିବି । ସେ ଅନୁଗୁଳରେ ସଭା କରିଥିଲେ ଏବଂ ତାଙ୍କ ପାଇଁ ତମ୍ବୁର ବ୍ୟବସ୍ଥା କରାଯାଇଥିଲା । ହରିଜନ ଯାତ୍ରା କାଳରେ ଓଡ଼ିଶାର ମୋଟ ଛପନଟି ସ୍ଥାନରେ ସେ ସଭା କରିଥିଲେ । ପୁରୀରେ ପଦଯାତ୍ରା କରିଥିଲେ । ଆଜିର ବସ୍ତୁ ଓ ଭୋଗ ସର୍ବସ୍ୱ ସମାଜର ସନ୍ଧିକ୍ଷଣରେ ପ୍ରତିଟି ଭାରତୀୟ ମହାତ୍ମା ଗାନ୍ଧୀଙ୍କ ଅବଦାନକୁ ଚିର ଦିନ ପାଇଁ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ସ୍ମରଣ କରୁଛନ୍ତି ।
