ବାରିପଦା : ଆନ୍ଧ୍ରପ୍ରଦେଶରୁ ପ୍ରବାସୀମାନଙ୍କୁ ନେଇ ଆସୁଥିବା ବସଟି ବାଟବଣା ହୋଇ ବାରିପଦା ସହରର ବଡବଜାର ଅଞ୍ଚଳକୁ ଚାଲିଆସିବା ପରେ ଏହି ବସଟିକୁ ଦେଖି ସ୍ଥାନୀୟ ଲୋକମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଥିଲା । କରୋନାକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ହଠାତ୍ ବୁଧୁବାର ଏପି-୦୪ୱାଇ-୪୫୪୫ ନମ୍ବର ବିଶିଷ୍ଟ ଏକ ବସରେ ୩୦ଜଣରୁ ଉଦ୍ଧ୍ୱର୍ ପ୍ରବାସୀ ବସିଥିବାବେଳେ ବସଟି ବଡବଜାରରେ ଛିଡାହୋଇଯାଇଥିଲା ।
ଏହାକୁ ଦେଖି ସ୍ଥାନୀୟ ଲୋକେମାନେ ହୋହୁଲା କରିବା ସହ ବସଡ୍ରାଇଭରକୁ ତୁରନ୍ତ ଏହି ବସଟିକୁ ନେଇ ଏହି ସ୍ଥାନରୁ ଚାଲିଯିବା ପାଇଁ ପାଟି କରିଥିଲେ । ମାତ୍ର ଏନେଇ ନା ଜିଲ୍ଲାପ୍ରଶାସନ ପାଖରେ ଖବର ଥିଲା ନା ପ୍ରବାସୀ ଓଡିଆ ମାନଙ୍କ ଦାୟିତ୍ୱ ବୁଝୁଥିବା ଅଫିସର ମାନଙ୍କ ପାଖରେ ଖବର ଥିଲା । କିନ୍ତୁ ଜଣାପଡିଥିଲା ଯେ, ଏହି ବସରେ ୩୦ଜଣ ପ୍ରବାସୀ ଆନ୍ଧ୍ରରୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦାକୁ ଫେରୁଥିଲେ । ମାତ୍ର ଡ୍ରାଇଭର ବାଟ ଠିକ୍ ଜାଣିନଥିବାରୁ ବାରିପଦା ସହରକୁ ପଶିଆସିଥିଲା ।
ଶେଷରେ ଶୁଳିଆପଦା ପୋଲିସ ଏହି ବସଟିକୁ ଶୁଳିଆପଦା ଅଞ୍ଚଳକୁ ବାଟ ଦେଖାଇ ନେଇଯାଇଥିଲା । ମାତ୍ର ଏହି ଘଟଣା ଘଟିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ମାନେ ପରଷ୍ପର ଉପରେ ଦୋଷ ଲଦାଲୋଦି ନହୋଇ ପ୍ରବାସୀମାନଙ୍କୁ ଉଚିତ ସ୍ଥାନରେ ପହଞ୍ଚାଇବା ପାଇଁ ତତ୍ପର ହେବା ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି ।