Odisha news

ଫୁଟବଲ ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଲଙ୍କାକଣ୍ଡ ଘଟଣା ଉଭୟ ପକ୍ଷର ୧୦ ଆହତ, ସାହିରେ ପୋଲିସ ପଇଁତରା  

0
ବ୍ରହ୍ମପୁର,୧୫।୧୧: ଫୁଟବଲ ଖେଳରେ ହରା ଜିତାକୁ ନେଇ ଗତ ୨ ଦିନ ହେବ ଗେଟବଜାର ଜାଗିଲି ସାହ ନିକଟରେ ଥିବା  ହରିଜନ ସାହି ମଧ୍ୟରେ ଲଙ୍କାକଣ୍ଡ ଘଟିଥିଲା।  ଏଥିରେ ଉଭୟ ଗୋଷ୍ଠୀର ୫ ଜଣ ଲେଖାଏଁ ଆହତ ହୋଇଛନ୍ତି ।  ଗଣ୍ଡଗୋଳ ଓ ମାରପିଟ ଯୋଗୁ ଏହି ୨ ସାହିରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୁରୁବାର ରାତିରେ ୧ ପ୍ଲାଟୁନ ପୋଲିସ ମୁତୟନ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।  ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ୨ ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।  ସୂଚନାପ୍ରକାରେ, ଫୁଟବଲ ଖେଳକୁ ନେଇ ଜାଗିଲି ସାହି ନିକଟ ଜୟମଙ୍ଗଳା ସାହି ଓ ହୁମୋଗୋଡିଆ ସାହି ମଧ୍ୟରେ ଉଚ୍ଚବାଚ ଲାଗି ରହିଥିଲା ।  ୨ ଦିନ ତଳେ ଗୋଟିଏ ସାହିର କିଛି ଯୁବକଙ୍କୁ ଅନ୍ୟ ଏକ ସାହି କିଛି ଯୁବକ ଫୁଟବଲ ଖେଳରେ ଜିତିବା ଓ ହାରିବାକୁ ନେଇ କମେଣ୍ଟ ମାରିଥିଲେ ।ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏପରିକି ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଘଟି ଏକାଧିକ ଆହତ ହୋଇଥିଲେ ।ସ୍ଥାନୀୟ କର୍ପୋରେଟର ହସ୍ତକ୍ଷେପ କରି ବୁଝାସୁଝା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା । ହେଲେ ପୁଣିଥରେ ଗୁରୁବାର ରାତି ୯ଟା ବେଳେ ଜୟମଙ୍ଗଳା ସାହିର କିଛି ଯୁବକ ଭୋଜି ପାଇଁ ପନିପରିବା ନେଇ ଆସୁଥିବା ବେଳେ ହୁମଗାଡିଆ ସାହିର କିଛି ଯୁବକ ଛାତ ଉପରେ ରହି ବଡ ବଡ ପଥର ଓ କାଚ ବୋତଲ ମାଡ କରିଥିଲେ ।  ଏଥିରେ ପରିବା ନେଇ ଆସୁଥିବା ଯୁବକମାନେ ଆହତ ହୋଇଥିଲେ ।  ଏହାପରେ ପୁଣି ଉଭୟ ସାହି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ହାତରେ ଖଣ୍ଡା, ପଥର ଓ କାଚ ବୋତଲ ଧରି ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ । ଖବରପାଇ ଟାଉନ ଥାନା ଅଧିକାରୀ ସୌଭାଗ୍ୟ ସ୍ବାଇଁ, ଗୋସାଇଁନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ନିମଖଣ୍ଡି ଥାନା ଅଧିକାରୀ ରେବତୀ ଶବର, ବଡବଜାର ଥାନା ଅଧିକାରୀ ବାବାଶଙ୍କର ସରାଫ ସମେତ ୧ ପ୍ଲାଟୁନ ପୋଲିସ ସେହି ଅଞ୍ଚଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।  ଗଣ୍ଡଗୋଳକାରୀଙ୍କୁ କାବୁ କରାଯିବା ସହ ପୋଲିସ ରାତିରେ ପଇଁତରା ମାରି ଲୋକଙ୍କୁ ଘରୁ ନବାହାରିବାକୁ କହିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।  ଆକ୍ରମଣ ଘଟଣାକୁ ନେଇ ଜୟମଙ୍ଗଳା ସାହି ବାସିନ୍ଦାଙ୍କ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ୧୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ସେହିପରି ବିପକ୍ଷ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଆଉ ଏକ ମାମଲା ରୁଜୁ କରିବା ସହ ଏକାଧିକ ଲୋକଙ୍କୁ ପକ୍ଷଭୁକ୍ତ କରିଛି । ସେହିପରି ଫୁଟବଲ ଖେଳରୁ ଶତ୍ରୁତାକୁ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ କହିଛନ୍ତି । ପଥର ଓ କାଚ ବୋତଲ ମାଡରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଛନ୍ତି ।ସେମାନେ ସିଟି ହସପିଟାଲକୁ ଯାଇ ଚିକିତ୍ସିତ ହୋଇଛନ୍ତି । ଏ ନେଇ ଟାଉନ ଥାନାରେ ୨ ଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।  ବର୍ତ୍ତମାନ ଉଭୟ ସାହିର ସ୍ଥିତି ଉପରେ ପୋଲିସ ତୀକ୍ଷ୍ମ ନଜର ରଖିଛି ବୋଲି ଏସପି କହିଛନ୍ତି ।

Leave A Reply