ବାରିପଦା : ମୟୂରଭଞ୍ଜ ଜିଲ୍ଲା ଲକ୍ଷ୍ମୀପୋଷି ସ୍ଥିତ ରଜାବସା ସ୍ଥିତ ଖେଳ ପଡିଆରେ ଫୁଟବଲ ମ୍ୟାଚ୍ ଚାଲିଥିବାବେଳେ ବଜ୍ରପାତ ହୋଇ ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ଅନ୍ୟ ୩ଜଣ ଗୁରୁତର ହେବାପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ବାରିପଦା ବ୍ଲକ ଶାଳବଣୀ ଗ୍ରାମର ଅଶୋକ ମୁର୍ମୁ(୩୦) । ଘଟଣାରୁ ପ୍ରକାଶ ଯେ, ପ୍ରତିବର୍ଷ ପରି ବିଶ୍ୱକର୍ମା ପୂଜାରେ ଏଥର ମଧ୍ୟ ବାରିପଦା ସହ ଉପକଣ୍ଠ ଲକ୍ଷ୍ମୀପୋଷି ସ୍ଥିତ ରଜାବସା ପଡିଆରେ ଚାଲିଥିଲା ଫୁଟବଲ ମ୍ୟାଚ୍ ଖେଳ ଦେଖିବା ପାଇଁ ଷ୍ଟାଡିୟମରେ ଶତାଧିକ ଲୋକ ରୁଣ୍ଡ ହୋଇଥିବାବେଳେ ପଡିଆ ଭିତରେ ଘମାଘୋଟ୍ ଖେଳ ଚାଲିଥିଲା । ତେବେ ଅପରାହ୍ନରେ ହଠାତ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ, ପରେ ବର୍ଷିବା ସହିତ ଘଡିଘଡି ମଧ୍ୟ ମାରିଥିଲା । ଏହି ବଜ୍ରପାତରେ ଫୁଟବଲ୍ ଖେଳ ଦେଖୁଥିବା ୪ଦର୍ଶକ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ୩ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।
