ଜଗତସିଂହପୁର:କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଏବେ ପୁଣି ଏକ ବାତ୍ୟାକୁ ନେଇ ଲୋକେ ଆଶଙ୍କାରେ ରହିଛନ୍ତି ।ବିଗତ ଦିନରେ ବହୁବାର ବାତ୍ୟାର ସାମନା କରିଥିବା ଜଗତସିଂହପୁର ଜିଲ୍ଲାର ମାଛଗାଁ ପଞ୍ଚାୟତର ସୁକିଦା ଓ ଆଖପାଖର ଗ୍ରାମବାସୀ ଚିନ୍ତାରେ ରହିଛନ୍ତି ।କରୋନାକୁ ନେଇ କାମ ଧନ୍ଦା ବନ୍ଦ ଥିବାରୁ ଲୋକେ ଦି ଓଳି ଦିମୁଠା ଖାଇବା ଯୋଗାଡ କରିବା ପାଇଁ ନାକେଦମ ହେବାକୁ ପଡୁଛି ।ଏଭଳି ଦୁର୍ଦ୍ଦିନରେ ତଥା ବାତ୍ୟା ହେଲେ କିଭଳି ଭାବରେ ଲୋକେ ଅନାହାରରେ ନରହିବେ ସେଥିପାଇଁ ବାତ୍ୟା ପୁର୍ବରୁ ସହାୟତା ହାତ ବଢାଇଛନ୍ତି ଅଧ୍ୟାପକ ।
ଏହି ଦିନ ଦରିଦ୍ର ଲୋକମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ବାଲିକୁଦା କଲେଜର ଅର୍ଥନିତୀ ବିଭାଗର ଅଧ୍ୟାପକ ପ୍ରଦୀପ୍ତ ଶତପଥୀ ।ଦୀର୍ଘ ଦିନ ହେବ କରୋନା ପାଇଁ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ସାନିଟାଇଜର,ମାସ୍କ ବଣ୍ଟନ କରିବା ସହିତ ଆର୍ଥୀକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ମାଛଗାଁ ଠାରେ ପହଞ୍ଚି ସୁକିଦା ଠାରେ ଥିବା ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାଶ ପାଠାଗାର ସମ୍ମୁଖସ୍ଥ ପଡିଆରେ ୭୦ରୁ ଉର୍ଦ୍ଧ ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ବାତ୍ୟା ହେଲେ କିପରି ଲୋକମାନେ ନିଜକୁ ସୁରକ୍ଷିତ ରଖିବେ ସେଥିପାଇଁ ମଧ୍ୟ ସେ ଲୋକମାନଙ୍କୁ ସଚେତନ କରାଇଥିଲେ ।ଆଗାମୀ ଦିନରେ ସେ ଲୋକମାନଙ୍କ ସହିତ ରହିବା ସହିତ ସବୁପ୍ରକାର ସହ ଯୋଗ ଯୋଗାଇ ଦେବାପାଇଁ ସ୍ଥାନୀୟ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ ।