ମହାନବୀ ପାଣିରେ ଖୋର୍ଦ୍ଧା ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ : ହିରିମୂଳ ରାସ୍ତାରେ ଆଣ୍ଠୁଏ ପାଣି, ଯାତାୟତ ପାଇଁ ବୋଟ ପ୍ରସ୍ତୁତ
ନିରାକାରପୁର୨୩/୮: ଲଘୁଚାପ ବର୍ଷା ଯୋଗୁ ଉପର ମୁଣ୍ଡ ପାଣି ମହାନଦୀରେ ଆସି ଖୋର୍ଦ୍ଧା ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରବେଶ କରିବା ପରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି । ଫଳରେ ଓରବରସିଂହ ପଞ୍ଚାୟତର ହରିମୂଳ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏହି ରାସ୍ତାରେ ଆଣ୍ଠୁଏ ପାଣି ଅତିକ୍ରମ କରୁଥିଲେ ବି ଆଜି ଦିନବେଳା ଲୋକେ ସେଥିରେ ଯାତାୟତ କରିପାରୁଥିବାରୁ ପରିସ୍ଥିତ ସେହିପରି କିଛି ଜଟିଳ ହୋଇନାହିଁ । ଏହି ପଞ୍ଚାୟତର ଡ଼ିହଖୋଳା, ଓରବରସିଂହ,କୃଷ୍ଣପୁର, ଲେଖନପୁର, ନରଣଗଡ଼ ପଞ୍ଚାୟତର ମାନପୁର,ଓରମି, ବଳପୁର,ଧବଳପୁର ଓ କୁରୁମପଡ଼ା , ବ୍ରଜମୋହନପୁର ପଞ୍ଚାୟତ ଶରଧାପୁର, ଷଢେଇଗଡ଼ ଗ୍ରାମକୁ ପାଣି ଲାଗିଥିବାବେଳେ ହଜାର ହଜାର ହେକ୍ଟର ଚାଷ ଜମି ପାଣି ଘେରରେ ରହିଛି ।
ମହାନଦୀ ପାଣି ଆସିବା ଫଳରେ ରାଜୁଆ ନଦୀର ଶରଧାପୁର ଠାରୁ ଚଣ୍ଡୀ ବରଗଛ ନଦୀବନ୍ଧ ମୁକୁଳା ପଡ଼ିଥିବାରୁ ଉକ୍ତ ଜଳ ଏହି ଅଞ୍ଚରେ ବନ୍ୟା ସୃଷ୍ଟି କରୁଛି । ଆସନ୍ତା କାଲିଠାରୁ ଆହୁରି ଲଘୁଚାପ ସୃଷ୍ଟି ହେଉଥିବାରୁ ପାଣି ବଢିବାର ଆଶଙ୍କା ସୃଷ୍ଟି ହୋଇଛି । ୩/୪ଦିନ ହେବ ବନ୍ୟାଜଳ ଚାଷ ଜମିରେ ରହିଥିବାବେଳେ ଆହୁରି ଯଦି ଏହି ପରିସ୍ଥିତ ଲାଗି ରହେ ତେବେ ଧାନ ଫସଲ ପଚି ନଷ୍ଟ ହୋଇ ଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।
ଏହି ସବୁ ଅଞ୍ଚଳ ମଧ୍ୟରେ ହିରିମୂଳ ଗ୍ରାମଟି ବନ୍ୟା ହେଲେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗ୍ରାମରେ ୨୯ଟି ପରିବାର ରହୁଥିବାବେଳେ ଲୋକ ସଂଖ୍ୟା ୩୦୦ ହେବ । ବନ୍ୟା ପାଣି ଆସିଲା ମାତ୍ରେ ଏହି ଗ୍ରାମଟି ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛି । ସେଥିପାଇଁ ପ୍ରଶାସନ ଉକ୍ତ ଗ୍ରାମକୁ ଦୁଇଟି ବୋଟ ଡ଼ଙ୍ଗା ପ୍ରଦାନ କରିବା ସହ ଚାଳକଙ୍କୁ ବି ନିଯୁକ୍ତ ଦେଇଛନ୍ତି ।ଏହି ଗ୍ରାମରେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବା ପାଇଁ ଏକ ଆଶ୍ରୟସ୍ଥଳ ଗ୍ରାମ ମୁଣ୍ଡରେ ୨୦୦୪ ମସିହାରେ ନିର୍ମାଣ କରିଥିବାବେଳେ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତାହା ପୁଣି ରହିବା ଅନୁପୁଯୁକ୍ତ । କେତେବେଳେ ଯେ ଭୁଷୁଡ଼ି ପଡ଼ିବ ତାହା ବି କହିହେବ ନାହିଁ । ଆଜି ଦିନ ବେଳା ପାଣି କମ ଥିବାବେଳେ ରିପୋର୍ଟ ଲେଖାବେଳକୁ ଏହି ଅଞ୍ଚଳରେ ପାଣି ବଢୁଥିବା କଥା ଜଣାପଡ଼ିଛି । ତେବେ ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତ ହୋଇ ରହିଛି ବୋଲି ସୂଚନା ମିଳିଛି ।
