ଉଛୁଳିଲା ବୈତରଣୀ ଓ କାଣୀ ନଦୀ : ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ୟା ଉପରେ ତୀକ୍ଷ୍ଣ ଦୃଷ୍ଟି , କଣ୍ଟପଡ଼ାରେ ସମ୍ଭାବ୍ୟ ଘାଇ ହେବାରୁ ରୋକାଗଲା , ସ୍ଥିତି ପରଖିଲେ ବିଧାୟକ ଓ ନିର୍ବାହୀ ଯନ୍ତ୍ରୀ
ଦଶରଥପୁର, ତା୨୧/୮ : ଉପର ମୁଣ୍ଡରେ ପ୍ରବଳ ବର୍ଷା ଫଳରେ ବୈତରଣୀ ଓ ଏହାର ଶାଖା କାଣୀ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି । ଦ୍ରୁତଗତିରେ ବନ୍ୟାଜଳ ବୈତରଣୀ ନଦୀର କୂଳଲଙ୍ଘି ଦଶରଥପୁରଠାରେ ବିପଦସଙ୍କେତର ୩ ଫୁଟ୍ ଉଚ୍ଚରେ ପ୍ରବାହିତ ହେଉଛି । ଫଳରେ ବ୍ଲକ୍ର ତଳିଆ ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।
କାଣୀ ନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ନଦୀର କୂଳଲଙ୍ଘି ଏହି ବନ୍ୟାଜଳ କଣ୍ଟପଡ଼ାଠାରେ ମଲ୍ଲିକାପୁର-କଣ୍ଟପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ଉପରେ ପାଣି ଚାଲୁଥିବାର ଜଣାପଡ଼ିଛି । ବିଶେଷକରି ମଲ୍ଲିକାପୁର ଓ ଦୁଦୁରାଅଣ୍ଟା ପଞ୍ଚାୟତ ପ୍ରତି ବିପଦ ଦେଖାଦେଇଛି । କଣ୍ଟପଡ଼ାଠାରେ ପ୍ରାୟ ୫୦ ଫୁଟରୁ ଉଦ୍ଧ୍ୱର୍ ଟିଆରଇ ବନ୍ଧ ଦବିଯିବାରୁ ଘାଇ ପରିସ୍ଥିତି ସୃଷ୍ଟି ହୋଇଛି । ଖବରପାଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଯାଜପୁର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ, ଇଂ. ଧନେଶ୍ୱର ସାମଲ କଣ୍ଟପଡ଼ାଠାରେ ପହଞ୍ଚି ବନ୍ୟାସ୍ଥିତିକୁ ନିରୀକ୍ଷଣ କରିଛନ୍ତି ।
ତୁରନ୍ତ ବନ୍ଧ ଦବିଯାଇଥିବା ସ୍ଥାନରେ ବିଭାଗ ପକ୍ଷରୁ କାଠରେ ବଲା ପିଟାଯାଇ ବାଲିବସ୍ତା ପକାଯାଇ ସମ୍ଭାବ୍ୟ ଘାଇରୁ ରୋକାଯିବାକୁ ଚେଷ୍ଟା ଚାଲିଛି । ଏଥିସହ ଯାଜପୁର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ କର, ଦଶରଥପୁର କନିଷ୍ଠ ଯନ୍ତ୍ରୀ ଇଂ. ଧୀରେନ କୁମାର ପାଣି ପ୍ରମୁଖ କଣ୍ଟପଡ଼ାଠାରେ ଅବସ୍ଥାନ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । କାଣୀ ନଦୀର ଦୁର୍ବଳ ବନ୍ଧ ଓ ବୈତରଣୀ ନଦୀର ଦୁର୍ବଳ ବନ୍ଧଗୁଡ଼ିକ ଉପରେ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ମୁକ୍ତିକାନ୍ତ ପଣ୍ଡା, ଦୁଦୁରାଅଣ୍ଟା ସରପଞ୍ଚ ହିମାଦ୍ରୀ ଭୂଷଣ କୁଅଁର, ତରପଦାର ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ସାହୁ ପ୍ରମୁଖ କଣ୍ଟପଡ଼ାଠାରେ ଅବସ୍ଥାନ କରି ଏହି ବନ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହାକୁ ତଦାରଖ କରୁଥିବାର ଦେଖିବାକୁ ମିଳିଛି