ଭୋଗରାଇ-୨୪/୦୮ : – ସୁବର୍ଣ୍ଣରେଖା ବନ୍ୟାକୁ ୪ଦିନ ବିତିଥିବା ବେଳେ ବନ୍ୟାଘେରରେ ରହିଥିବା ବିପନ୍ନଙ୍କୁ ଜଳଯନ୍ତ୍ରଣା ଅଧିକ କଷ୍ଟ ଦେଉଛି । ବିପନ୍ନମାନେ ପିଲାଛୁଆ ଧରି ବିଭିନ୍ନ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ବନ୍ଧ ବାଡ଼ରେ ପଲିଥିନ୍ ପକାଇ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି । ଏଭଳି ସ୍ଥିତିରେ ପୁଣି ଏକ ଘୂର୍ଣ୍ଣିବଳୟ ଉପରମୁହାଁ ହୋଇ ବୁଧବାର ସକାଳଠାରୁ ବରଷୁଥିବା ବେଳେ ଜୀବନ ଜୀବିକାକୁ ବିଗାଡ଼ି ଦେଇଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ ତଥା ଜଳବନ୍ଦୀଙ୍କ ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଚୁଲି ଜଳୁ ନଥିବା ବେଳେ ଗ୍ୟାସ ଜରିଆରେ ଗରିବ ଗୁରୁବାଙ୍କ ରୋଷେଇ କରିବା ସମ୍ଭବ ହେଉ ନାହିଁ । ବନ୍ୟା ଅଞ୍ଚଳରେ ସମସ୍ତ ନଳକୂପ ପାଣିରେ ବୁଡ଼ି ଯାଇଥିବା ବେଳେ ପିଇବା ପାଣିର ସଙ୍କଟ ଦେଖାଦେଇଛି । କେବଳ ଗ୍ରାମ୍ୟ ପାଇପ୍ ଜଳଯୋଗାଣ ବସୁଧା,ପାଉଚ ଓ ବୋତଲ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଛି । ଭୋଗରାଇ, ବାଲିଆପାଳ ଜଳେଶ୍ୱର ବ୍ଲକର ବହୁ ଗାଁ ଏବେବି ଜଳବନ୍ଦୀ ହୋଇଥିବାରୁ ଜୀବନ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି । ଭୋଗରାଇ ବ୍ଲକର ୧୪ଟି ପଞ୍ଚାୟତର ୮ହଜାର ୩୧୨ ବିପନ୍ନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ଅନୁରୂପ ଭାବେ ଜଳେଶ୍ୱର, ବସ୍ତା, ବାଲିଆପାଳ ବ୍ଲକରେ ଖାଦ୍ୟ ସାମଗ୍ରୀ ଦିଆଯାଉଥିବାର ଖବର ମିଳିଛି । ବନ୍ୟାପାଣି ଧିରେ ଧିରେ କମୁଥିଲେ ମଧ୍ୟ ଆସନ୍ତା ଶୁକ୍ରବାର ଅମାବାସ୍ୟା ତିଥି ପଡ଼ୁଥିବାରୁ ସମୁଦ୍ରକୁ ବନ୍ୟାପାଣି ନିଷ୍କାସିତ ନହୋଇ ଜୁଆର ଜଳ ଠେଲି ରଖିବ । ବର୍ଷା ଲାଗି ରହିଲେ ବନ୍ୟା ଓ ବର୍ଷାଜଳ ମିଶି ଫୁଲିବା ସହିତ ବିପନ୍ନଙ୍କ ଅବସ୍ଥା ସାଂଘାତିକ ହେବ ବୋଲି କୁହାଯାଉଛି । ବର୍ଷା ଓ ବନ୍ୟା ଯୋଗୁଁ ପାଣିଘେରରେ ଥିବା ଲୋକେ ଦିନରାତି ସମାନ କରିଛନ୍ତି । ବିଭିନ୍ନ ଗ୍ରାମରେ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବାରୁ ସନ୍ଧ୍ୟା ହେଲେ ବିଷାକ୍ତ ସାପଙ୍କ ଭୟ ଲୋକଙ୍କୁ ଘାରୁଛି । ବୁଧବାର ଦିନ ଅବିଶ୍ରାନ୍ତ ବର୍ଷାରେ ପ୍ରଶାସନ ବିପନ୍ନଙ୍କ ନିକଟରେ ପହଞ୍ଚô ନଥିବାରୁ ସ୍ଥିତି ଜଟିଳ ହୋଇଛି । ବହୁ ସାମାଜିକ ସଂଗଠନ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ପହଞ୍ଚô ଖାଦ୍ୟବସ୍ତ୍ର ଆଦି ପ୍ରଦାନ କରୁଛନ୍ତି । ଅଦ୍ୟାବଧି ଅନେକ ସ୍ଥାନରେ ରିଲିଫ୍ ସାମଗ୍ରୀ ବିପନ୍ନଙ୍କ ନିକଟରେ ପହଞ୍ଚô ନଥିବାର ଅଭିଯୋଗ ହୋଇଛି
