ଡେଲାଙ୍ଗ ବ୍ଲକର ୧୨ ପଞ୍ଚାୟତର ୫୮ଗାଁ ଜଳବନ୍ଦୀ,୫୩୮୩୯ ଲୋକ ବିପନ୍ନ : ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ପରଖିଲେ ବିଧାୟକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା
ଡେଲାଙ୍ଗ- ଦୟା ଓ ଲୁଣା ନଦୀରେ ବନ୍ୟାଜଳ ଆସିବାରୁ ଡେଲାଙ୍ଗ ବ୍ଲକର ୧୨ଟି ପଞ୍ଚାୟତର ୫୮ଗାଁ ଏବେ ଜଳବନ୍ଦୀ ହୋଇଥିବାବେଳେ ୫୩୮୩୯ଲୋକ ବିପନ୍ନ ହୋଇଥିବା ନେଇ ବ୍ଳକ୍ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ସୂଚନା ଅନୁଯାୟୀ,ଚଳିତ ବନ୍ୟାରେ ଡେଲାଙ୍ଗ ବ୍ଲକରେ ଆନୁମାନିକ ରବିବାର ସୁଧା ୭୨୨୧ହେକ୍ଟର ଚାଷ ଜମି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ବ୍ୟାପକ ରୁଆ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି।୧୧୮୮୨ପଶୁସମ୍ପଦ ପ୍ରଭାବିତ ହୋଇଥିବା ବେଳେ ୨୭ହଜାର କୁକୁଡ଼ା କ୍ଷତିଗ୍ରସ୍ତ ହୋଇଥିବା ନେଇ ବ୍ଲକ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଙ୍କ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। ଅନ୍ଯପଟେ ଡେଲାଙ୍ଗ ବ୍ଲକରେ ବନ୍ୟାଜଳ ପ୍ରବାହ କିଛି ମାତ୍ରାରେ ହ୍ରାସ ପାଇଥିବା ବେଳେ ଗୁଆଳିପଡା , ଧାନକେରା ଓ ଅଭୟମୁଖି ପଞ୍ଚାୟତର କେତେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ଆଜି ବିଧାୟକ ରୁଦ୍ରପ୍ରତାପ ମହାରଥୀ,ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ,ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିସଙ୍କ, ଜିଲ୍ଲାପରିଷଦ ଦୀପ୍ତିଶ୍ରୀ ରାଉତରାୟ,ବରିଷ୍ଠ ସମବାୟବିତ ବୈରାଗୀ ଜେନା,ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି,ସାଂସଦ ପ୍ରତିନିଧି ନାରାୟଣ ସ୍ବାଇଁ,୨୪ନମ୍ବର ଜିଲ୍ଲାପରିଷଦ ଧରଣୀଧର ସାହୁ ଧାନକେରା ପଞ୍ଚାୟତ ସରପଞ୍ଚ, ସମିତିସଭ୍ଯ ପ୍ରମୁଖ ଜଳବନ୍ଦୀ ଗ୍ରାମରେ ପହଂଚି ଲୋକମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସେଠାର ସ୍ଥିତି ଅନୁଧ୍ୟାନ କରିଥିଲେ।
