ଅନୁଗୁଳ: ସଂମ୍ପ୍ରତି କରୋନା ଭୂତାଣୁ ସାରା ବିଶ୍ୱରେ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନୁଗୁଳ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଅନୁଗୁଳ ବ୍ଲକ ଅଚଂଳରୁ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ପୁଣି ଅନୁଗୁଳ ବ୍ଲକ ଅଚଂଳରୁ ଦୁଇ ଜଣ,ବଅଁରପାଳ ଅଚଂଳରୁ ଦୁଇ ଜଣ ଓ ଅନ୍ୟ ଜଣେ ମହାରାଷ୍ଟ୍ରରୁ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।
ଅନୁଗୁଳ ଓ ବଅଁରପାଳର ବ୍ୟକ୍ତି ମାନେ ଯଥାକ୍ରମେ ସୁରଟ ଓ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ଥିବା ବେଳେ ମହାରାଷ୍ଟ୍ରର ବାସୀନ୍ଦା ଦୁର୍ଘଟଣାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା କର୍ଣ୍ଣର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଏ ମାନଙ୍କର ସମସ୍ତଙ୍କର କରୋନା ଲକ୍ଷଣ ନଥାଇ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଥିଲେ ।
ଅନୁଗୁଳ ବ୍ଲକର ଦୁଇ ଜଣଙ୍କ ବୟସ ୩୦ ଓ ୩୬ ହୋଇଥିବା ବେଳେ ସେମାନେ ଚଳିତ ମାସ ୧୫ ତାରିଖରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିଲେ । ସେହିପରି ବଅଁରପାଳ ବ୍ଲକର ଦୁଇ ଜଣଙ୍କର ବୟସ ୩୦ ଓ ୩୩ ଥିବା ବେଳେ ଚଳିତ ମାସ ୧୩ ତାରିଖରୁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଥିଲେ । ମହାରାଷ୍ଟ୍ରରୁ ଆସିଥିବା ଆହତ ବ୍ୟକ୍ତିଙ୍କ ବୟସ ୨୬ ବର୍ଷ ଓ ସେ ଚଳିତ ମାସ ୧୯ ତାରିଖରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା କର୍ଣ୍ଣର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ସାଂମ୍ପ୍ରତିକ ପରିସ୍ଥିତିରେ ଜନସାଧାରଣ ଆତଙ୍କିତ ନ ହୋଇ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପରାମର୍ଶ ଦେଇଛନ୍ତି ।