ବେତନଟୀ : ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଏପରିକି ମୟୂରଭଞ୍ଜ ଜିଲ୍ଲାର ସବୁ ଗୁଡିକ ସରପଞ୍ଚ, ସବୁ ଗୁଡିକ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭାପତି ପାଖରୁ ନେଇ ୭ଟି ବିଧାୟକ, ଦୁଇଟି ସାଂସଦ ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ । କିନ୍ତୁ ଏହି ନେତୃମଣ୍ଡଳୀ ନିଜ ବର୍ଗର ଲୋକଙ୍କ ପାଇଁ କେତେ ସମ୍ବେଦନଶୀଳ, କେତେ ଦାୟୀତ୍ୱବାନ ତାର ଏକ ଉଦାହରଣ ମିଳିଛି ବେତନଟୀ ବ୍ଲକର ସଠିଲୋ ପଞ୍ଚାୟତର ୭ ନମ୍ବର ୱାର୍ଡରେ । ସଠିଲୋ ଗ୍ରାମର ସ୍ୱର୍ଗତଃ ଘାସିରାମ ହାଁସଦାଙ୍କ ସାନପୁଅ ସୁକୁଲ ହାଁସଦା ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଶ୍ରମ କରି ଯାହା ପାଆନ୍ତି ସେଥିରେ ନିଜ ପିଲାପିଲିଙ୍କ ସହିତ ଚଳନ୍ତି ।
ଆଉ ପରିବାର କହିଲେ ନିଜର କକା ସୋରେନ ହାଁସଦା ଓ ବଡଭାଈ ସିଙ୍ଗରାୟ ହାଁସଦା ସେହି ହତା ମଧ୍ୟରେ ଗୋଟିଏ ଗୋଟିଏ ସରକାରୀ ଘର ପାଇ ରହୁଛନ୍ତି । ସରକାରୀ ଘରର ଗୋଟିଏ କକ୍ଷ ସେମାନଙ୍କ ନିଜ ପରିବାର ପାଇଁ ଯଥେଷ୍ଟ ନୁହେଁ ତେଣୁ ସୁକୁଲର ପରିବାରକୁ ପଚାରେ ବା କିଏ ? ସୁକୁଲଙ୍କ ପାଞ୍ଚ ପ୍ରାଣୀର କୁଟୁମ୍ବ ବୋଇଲେ ପନôୀ ଗୀତା ହାଁସଦା, ପୁଅ ସୂର୍ଯ୍ୟ, ଦୁଇ କନ୍ୟା ଲାଖିଆ ଓ ଆର୍ଶୁ । ଏହି ଆଦିବାସୀ ପରିବାରଟି ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମିତ ଏକ ପାଇଖାନାରେ ଜୀବନ ବିତାଉଛନ୍ତି । ଏଠାରେ ରୋଷେଇବାସ କରିବା ସହିତ ଲୁଗାପଟା ସବୁ ମଧ୍ୟ ରଖିଛନ୍ତି । ଖାଇପିଇ ସାରି ବାସନକୁସନକୁ ମଧ୍ୟ ଏଠାରେ ରଖି ଥାଆନ୍ତି । ବାସଗୃହ ଭାବେ ସୁକୁଲ ବ୍ୟବହାର କରୁ ଥିବା ପାଇଖାନାଟି ତାଙ୍କର ନିଜର ପାଇଖାନା ନୁହେଁ । ନିଜର ଭାଈ ସିଙ୍ଗରାୟ ହାଁସଦା ଓ କକା ସୋରେନ ହାଁସଦାଙ୍କୁ ଦୁଇଟି ପାଇଖାନା ମିଳି ଥିଲା ।
ଲଗାଲଗି ହୋଇ ନିର୍ମିତ ହୋଇ ଥିବା ଦୁଇଟି ପାଇଖାନା ମଧ୍ୟରୁ ଗୋଟିଏରେ ସୁକୁଲଙ୍କ ପରିବାର ବାସ କରୁଛନ୍ତି ଓ ଅନ୍ୟ ପାଇଖାନାଟିରେ ଭାଈ ଓ କକାର ପରିବାରର ଲୋକମାନେ ଶୌଚ ପାଇଁ ବ୍ୟବହାର କରୁ ଥିବାର ଜଣା ପଡିଛି । ବର୍ଷ ସାରା ଲାଗି ରହି ଥିବା ବର୍ଷା, ବଜ୍ରପାତ ଓ ତୋଫାନ ବେଳେ ଏହି କକ୍ଷ ମଧ୍ୟରେ କୌଣସି ପ୍ରକାର ଗୁଞ୍ଜିଗାଞ୍ଜି ହୋଇ ରହନ୍ତି । ପାଣି କାଦୁଅରେ ବେଙ୍ଗ,ସାପ, ବିଛା, କୀଟ ପତଙ୍ଗ ସବୁ ଏମାନଙ୍କର ସହିତ ରହୁଛନ୍ତି । ଏମିତି ବି ହୁଏ ଯୋର ତୋଫାନ ହେଲେ ଅଧାରାତ୍ରୀରେ ନିଜର ପିଲାପିଲିଙ୍କୁ ଧରି ପଟିଆ, ହେଂସ ମୁଣ୍ଡାଇ ଏମାନେ ଅନ୍ୟ କାହାରି ପିଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ଦୌଡନ୍ତି କିମ୍ବା କ୍ଲବ ଘର ପିଣ୍ଡାରେ ବସି ରାତ୍ରୀ ବିତାନ୍ତି ।
ତେବେ ପ୍ରଶାସନ ଏପରି ଦୁସ୍ଥ ପରିବାରକୁ ଚିହ୍ନଟ କରି ପାରିଲା ନାହିଁ କେମିତି ? ଏମାନଙ୍କ ଏପରି ଦୁସ୍ଥ ଜୀବନ ଯାପନ କରିବା ପଛରେ କିଏ ଦାୟୀ ତାହା ଏବେ ତଦନ୍ତ ସାପେକ୍ଷ ହୋଇ ପଡିଛି । ଘଟଣା ସମ୍ପର୍କରେ ସଠିଲୋ ନିର୍ବାହୀ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ପରିବାରଟି ସ୍ୱତନ୍ତ୍ର ଯୋଜନାରେ ଘର ପାଇବା କଥା ବୋଲି ମତ ଦେଇଛନ୍ତି । ଘଟଣାକୁ ତଦନ୍ତ କରିବାରେ ସଠିଲୋ ପଞ୍ଚାୟତର ନୋଡାଲ ଅଫିସର ଭାବେ ପୂର୍ବରୁ ସହକାରୀ ଯନ୍ତ୍ରୀ ଶରତଚନ୍ଦ୍ର ଭୋଈ ଥିଲେ । ତାଙ୍କୁ ଏହି ବ୍ୟକ୍ତିଙ୍କ ବାବଦରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହା ଯାଇ ଥିଲା । ସେ ଏଠାରୁ ବଦଳି ହୋଇ ଚାଲି ଯାଇ ଥିଲେ ମଧ୍ୟ ରିପୋର୍ଟ ବିଭାଗକୁ ପହଞ୍ଚି ନଥିବାର ସୂଚନା ମିଳିଛି । ଇତି ମଧ୍ୟରେ ପୂର୍ବତନ ବିଡିଓ ଜଗନ୍ନାଥ ହନୁମାନ ମଧ୍ୟ ଏହି ଜିଲ୍ଲାରୁ ଅନ୍ୟତ୍ର ବଦଳି ହୋଇ ଚାଲି ଗଲେଣି । ଏପରି ଚାଲିଛି ପ୍ରଶାସନ ଓ ପୀଡିତ ହେଉଛନ୍ତି ଗରୀବ ଜନ ସାଧାରଣ ।