ବନ୍ତଳା: ବର୍ତମାନ ରାଜ୍ୟରେ ଧିରେ ଧିରେ ବଢ଼ିବାକୁ ଲାଗିଛି ତାତି । ଗୋଟେ ପଟେ କରୋନା ମହାମାରୀ ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିୟମ କଡାକଡି କରିଥିବା ଯୋଗୁଁ ବ୍ୟବସାୟୀ ମାନେ ହାତବାନ୍ଧି ବସିଥିବା ବେଳେ ଖରାର ତାତିରେ ଲୋକେ ଅତିଷ୍ଠ ହୋଇପଡିଲେଣି । ଏହି ଖରା ତାତି ଯୋଗୁଁ ଶନିବାର ଦିନ ଜଣେ ମାଛ ବିକାଳୀଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାରର ପ୍ରମୋଦ କୁମାର ସାହୁ (୪୨) ସବୁଦିନ ପରି ସାଇକେଲ ଧରି ଶନିବାର ଦିନ ମଧ୍ୟ ଖିଣ୍ଡା, ତରାଶ, ନୂଆକ୍ଷେତା, ସାରୁଆଳି, ଅରାଡିହ, ଗଡତରାଶ ପ୍ରଭୃତି ଗାଁକୁ ମାଛ ବିକ୍ରି କରିବା ପାଇଁ ଯାଇଥିଲେ ।
ଦିନ ୧୨ଟା ବେଳକୁ ସେ ଫେରୁଥିବା ସମୟରେ ହଠାତ୍ ଅଚେତ ଅବସ୍ତାରେ ଖସି ପଡିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଏକ ଅଟୋ ଯୋଗେ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ । ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ ।କରିଥିଲେ । ଖବର ପାଇ ପୁଲିସ ସେଠାରେ ପହଚିଂ ଶବକୁ ଜବତ କରିଥିଲେ । ତେବେ ପ୍ରବଳ ଖରା ଯୋଗୁଁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।